ହ୍ୟାଣ୍ଡବଲ ଚମ୍ପିଆନସିପ୍ ଉଦ୍ଯାପିତ, କେନ୍ଦୁଝର ଚମ୍ପିଆନ
କେନ୍ଦୁଝରଗଡ଼଼: କେନ୍ଦୁଝର ହ୍ୟାଣ୍ଡବଲ ଷ୍ଟାଡିୟମରେ ମଙ୍ଗଳବାର ଆରମ୍ଭ ହୋଇଥିବା ଦୁଇଦିନିଆ ୨୧ତମ ରାଜ୍ୟସ୍ତରୀୟ ସବ୍ଜୁନିୟର ବାଳକ ବାଳିକା ହ୍ୟାଣ୍ଡବଲ ଚମ୍ପିଆନସିପ୍ ବୁଧବାର ଅପରାହ୍ନରେ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜେତା କେନ୍ଦୁଝର ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ବାଳକ ବର୍ଗ ସେମିଫାଇନାଲରେ କେନ୍ଦୁଝର ଯାଜପୁରକୁ ୨୨-୧୨ ଗୋଲରେ ଓ ଗଞ୍ଜାମ ଦେବଗଡ଼଼଼କୁ ୧୬-୮ ଗୋଲରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଥିଲା। ବାଳିକା ବର୍ଗ ସେମିଫାଇନାଲରେ କେନ୍ଦୁଝର ଢେଙ୍କାନାଳକୁ ୧୫-୪ ଗୋଲରେ ଓ ଯାଜପୁର ଦେବଗତକୁ ୮-୪ ଗୋଲରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଥିଲା। ଫାଇନାଲ ମ୍ୟାଚରେ କେନ୍ଦୁଝରର ବାଳକ ଓ ବାଳିକା ଦଳର ଖେଳାଳୀମାନେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ବାଳକବର୍ଗରେ ଗଞ୍ଜାମକୁ ୨୬-୧୬ ଗୋଲରେ ପରାସ୍ତ କରିଥିବା ବେଳେ ବାଳିକା ବର୍ଗରେ ଯାଜପୁରକୁ ୧୨-୧୦ ଗୋଲରେ ପରାସ୍ତ କରି ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଉନ୍ନତମାନର ଖେଳ ପ୍ରଦର୍ଶନ କରି ବାଳିକା ବିଭାଗରେ କେନ୍ଦୁଝର ଦଳର ଶ୍ରେୟାସି ସୁନୟନା ପାଣି ଶ୍ରେଷ୍ଠ ଖେଳାଳୀ, ନିକିତା ପ୍ରିୟଦର୍ଶିନୀ ମହାନ୍ତ ଶ୍ରେଷ୍ଠ ଗୋଲ କିପର ଏବଂ ବାଳକ ବର୍ଗରେ କେନ୍ଦୁଝରର ସୌରଭ ଜେନା ଶ୍ରେଷ୍ଠ ଖେଳାଳୀ ଓ ଗଞ୍ଜାମର ଦେବାଶିଷ ଗନ୍ତାୟତ ଶ୍ରେଷ୍ଠ ଗୋଲକିପର ଭାବେ ମୁଖ୍ୟଅତିଥି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ। ରାଜ୍ୟରେ ପ୍ରଥମଥର ପାଇଁ ଖେଳ କୋଟାରେ ଓଡ଼ିଶା ପ୍ରଶାସନିକ ସେବା ପରିକ୍ଷାରେ କୃତିତ୍ୱ ହାସଲ କରିଥିବା ଚନ୍ଦନ ମଣ୍ଡଳଙ୍କୁ ମଧ୍ୟ ଏହି ଅବସରରେ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିିତ କରାଯାଇଥିଲା। ଜିଲା ହ୍ୟାଣ୍ଡବଲ ସଂଘ ସଭାପତି ଇଂ ବସନ୍ତ କୁମାର ଦାନି ଓ ସମ୍ପାଦକ ରିତିକ ଅଧିକାରୀଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହି ଦୁଇଦିନିଆ ପ୍ରତିଯୋଗିତା ଆୟୋଜନରେ ସହଯୋଗ କରିଥିଲେ।
Comments are closed.