www.samajalive.in
Friday, December 5, 2025
17.1 C
Bhubaneswar

ଆଜି ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି : ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଭିତର ଭଣ୍ଡାର ଲୁହା ଭାରା ବନ୍ଧା ଶେଷ ହୋଇଛି। ମରାମତି ପାଇଁ ଗୋଟିଏ ପାର୍ଶ୍ୱରେ ପ୍ରାୟ ୨୦ ଫୁଟ ଉଚ୍ଚର ଲୁହା ଭାରା ବନ୍ଧାଯାଇଛି। ଭାରା ବ୍ୟବହାର କରି କାନ୍ଥ, ଛାତ ଓ ବିଭିନ୍ନ ସ୍ଥାନରେ ଥିବା ଫାଟର ମରାମତି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଦ୍ବାରା ନିଯୁକ୍ତ କୁଶଳୀ କାରିଗର କରିବେ। ଏଏସ୍‌ଆଇ ପ୍ରାଥମିକଭାବେ ଗୋଟିଏ ପରେ ଗୋଟିଏ ପାର୍ଶ୍ୱରେ ଭାରା ବାନ୍ଧି ଚୂନ ଛଡ଼ାଇବା ଓ ମରାମତି କାର୍ଯ୍ୟ କରିବ। ମଙ୍ଗଳବାର ପ୍ରଥମ ଦିବସରେ ଏଏସ୍‌ଆଇ ଅଧିକାରୀ ପହଞ୍ଚିବା ପରେ ପରୀକ୍ଷାମୂଳକ ଭାବେ ଗୋଟିଏ ପାର୍ଶ୍ୱର କିଛି ଅଂଶରେ ଚୂନ ଛଡ଼ାଯାଇଛି। ପରେ ସମସ୍ତ ଚୂନ ପ୍ଲାଷ୍ଟର ହଟାଯିବ ବୋଲି ଏଏସ୍‌ଆଇ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ରହିଥିବାରୁ ରତ୍ନଭଣ୍ଡାର ମରାମତି ବନ୍ଦ ରହିବ। ଗୁରୁବାରଠାରୁ ପୁନର୍ବାର କାର୍ଯ୍ୟ ଆରମ୍ଭ ହେବ। ଏଏସ୍‌ଆଇ ସୂଚନା ମୁତାବକ, ପ୍ରାଥମିକ ପର୍ଯ୍ୟାୟରେ ଚୂନ ପ୍ଲାଷ୍ଟର ହଟାଯିବ। ପରେ ଫାଟ ଥିବା ପଥରଗୁଡ଼ିକ ହଟାଯାଇ ସେଠାରେ ନୀଳଗିରିରୁ ଆସୁଥିବା ଉନ୍ନତମାନର ପଥର ଲଗାଯାଇ ମରାମତି କରାଯିବ। ପ୍ରାୟ ୧୫ରୁ ୨୦ କୁଶଳୀ ଶ୍ରମିକଙ୍କୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟରେ ନିୟୋଜିତ କରାଯାଇଥିବା ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ରତ୍ନଭଣ୍ଡାର ମରାମତି କାର୍ଯ୍ୟ କରାଯିବା ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ଶ୍ରଦ୍ଧାଳୁଙ୍କ ଦର୍ଶନରେ ଯେଭଳି କୌଣସି ବ୍ୟାଘାତ ସୃଷ୍ଟି ନହୁଏ ସେଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ ସମୟ ଅନୁସାରେ କରାଯିବ। ଦ୍ବିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ପ୍ରତ୍ୟେକ ଦିନ ମଧ୍ୟାହ୍ନ ୧ଟା ପରଠାରୁ ସନ୍ଧ୍ୟା ୬ଟା ଯାଏଁ ପ୍ରାୟ ପାଞ୍ଚଘଣ୍ଟା ପର୍ଯ୍ୟନ୍ତ ମରାମତି କାର୍ଯ୍ୟ କରାଯିବ। ରତ୍ନଭଣ୍ଡାର ଚଟାଣରେ ମୂଷା ଗାତ ଥିବାବେଳେ କାନ୍ଥରେ ଫାଟ ରହିଛି। କାନ୍ଥରୁ ପୁରୁଣା ପଥରଗୁଡ଼ିକ କଢ଼ାଯାଇ ନୂଆ ପଥର ଲଗାଯିବା ବ୍ୟବସ୍ଥା କରାଯାଇଛି। ରତ୍ନଭଣ୍ଡାର ଭିତରେ ଥିବା ପୁରୁଣା ଲୁହା ବିମ୍‌ ସ୍ଥାନାନ୍ତର କରାଯାଇ ନୂଆ ବିମ୍ ଲଗାଯିବ। ତିନିମାସ ମଧ୍ୟରେ ରତ୍ନଭଣ୍ଡାର ମରାମତି ଶେଷ ପାଇଁ ଏଏସ୍‌ଆଇ ଲକ୍ଷ୍ୟ ରଖିଛି। ଅଧିକ ମାନବସମ୍ବଳ ଲଗାଯାଇ ଶୀଘ୍ର ମରାମତି କାର୍ଯ୍ୟ ଶେଷ କରାଯିବ ବୋଲି ଏଏସ୍‌ଆଇ ଅଧିକାରୀ ଡି.ବି. ଗଡ଼ନାୟକ ସୂଚନା ଦେଇଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories