୨୦୨୪ରେ ଗୁଗଲରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ବ୍ୟକ୍ତିତ୍ଵ

ସମାଜ ଡିଜିଟାଲ ଡେସ୍କ: ଆଉ କିଛି ଦିନ ପରେ ୨୦୨୪ ବିଦାୟ ନେବ। ଆସିବ ନୂଆ ବର୍ଷ। ତେବେ ଏହି ବିଦାୟୀ ବର୍ଷରେ ଅନେକ ବ୍ୟକ୍ତି ଚର୍ଚ୍ଚାକୁ ଆସିଛନ୍ତି। ଯେଉଁମାନଙ୍କୁ ସର୍ଚ୍ଚ ଇଞ୍ଜିନ ଗୁଗଲରେ ସର୍ବାଧିକ ଥର ଖୋଜାଯାଇଛି। ଏଭଳି ୧୦ ଜଣ ଲୋକପ୍ରିୟ ଭାରତୀୟ ବ୍ୟକ୍ତିତ୍ଵଙ୍କ ବିଷୟରେ ଏଠାରେ ଉଲ୍ଲେଖ କରାଯାଉଛି। ତେବେ ତାଲିକାର ଶୀର୍ଷରେ ରହିଛନ୍ତି ବିନେଶ ଫୋଗାଟ।

୧. ବିନେଶ ଫୋଗାଟ

କୁସ୍ତିଯୋଦ୍ଧା ବିନେଶ ଫୋଗାଟ ୨୦୨୪ ସବୁଠୁ ଅଧିକ ଥର ଖୋଜାଯାଇଥିବା ବ୍ୟକ୍ତିତ୍ଵ ପାଲଟିଛନ୍ତି। ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ। ଏପରି କି ସାମାଜିକ ଗଣମାଧ୍ୟମରେ ୧୦୦ଗ୍ରାମ ଶବ୍ଦ ସବୁଠୁ ବେଶି ଟ୍ରେଣ୍ଡ କରିଥିଲା। ଲୋକମାନେ ବିନେଶଙ୍କୁ ‘ଫରଏଭର ଗୋଲ୍ଡେନ ଗର୍ଲ’ ଆଖ୍ୟା ଦେଇଥିଲେ। ବିନେଶଙ୍କୁ ୫୦ କିଗ୍ରା କୁସ୍ତିଯୋଦ୍ଧା ବର୍ଗର ଫାଇନାଲ ରାଉଣ୍ଡ ଖେଳିବା ପୂର୍ବରୁ ଓଜନବୃଦ୍ଧି କାରଣରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହା ପରେ ସେ କଂଗ୍ରେସରେ ଯୋଗଦେଇ ରାଜନୀତିକୁ ଓହ୍ଲାଇଥିଲେ।

୨. ନିତିଶ କୁମାର

ତାଲିକାର ୨ୟ ସ୍ଥାନରେ ରହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର। ସେ ଦଳବଦଳ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସନ୍ତି। ଚଳିତବର୍ଷ ସେ ଦେଶରେ ଏନଡିଏ ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

୩.ଚିରାଗ ପାସଓ୍ବାନ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ଵର୍ଗତ ରାମବିଳାସ ପାସଓ୍ବାନଙ୍କ ପୁଅ ହେଉଛନ୍ତି ଚିରାଗ। ସେ ୨୦୨୪ରେ ମୋଦୀ କ୍ୟାବିନେଟରେ ସ୍ଥାନ ପାଇଛନ୍ତି।

୪. ହାର୍ଦ୍ଦିକ ପାଣ୍ଡ୍ୟା

ଏହି ଭାରତୀୟ କ୍ରୀଡ଼ାବିତ ନିଜ ସ୍ତ୍ରୀ ନତାଶା ଷ୍ଟାଙ୍କୋଭିକଙ୍କୁ ଛାଡ଼ପତ୍ର ଦେବା ଘଟଣାରେ ଚର୍ଚ୍ଚାକୁ ଆସିଥିଲେ। ଯାହାଫଳରେ ତାଙ୍କୁ ଗୁଗଲରେ ସବୁଠୁ ଅଧିକ ଥର ସର୍ଚ୍ଚ କରାଯାଇଥିଲା।

୫. ପଓ୍ବନ କଲ୍ୟାଣ

ତେଲୁଗୁ ଅଭିନେତା ପଓ୍ବନ କଲ୍ୟାଣ ଅନେକ ହିଟ୍‌ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ଲୋକପ୍ରିୟତା ହାସଲ କରିପାରିଛନ୍ତି। ହେଲେ ଚଳିତବର୍ଷ ସେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜନୀତିରେ ତାଙ୍କର ପ୍ରାଧାନ୍ୟ ବୃଦ୍ଧି ପାଇବା ପରେ ସେ ଅଧିକ ଲୋକପ୍ରିୟ ହୋଇଛନ୍ତି।

୬. ଶଶାଙ୍କ ସିଂହ

୨୦୨୩ରେ ଶଶାଙ୍କ ସିଂହ ପ୍ରଥମ ଶ୍ରେଣୀ କ୍ରିକେଟରେ ଗୋଟିଏ ମ୍ୟାଚରେ ୧୫୦ ରନ କରିବା ସହିତ ୫ ଉଇକେଟ ଅକ୍ତିଆର କରିଥିଲେ। ୨୦୨୪ ଆଇପିଏଲରେ ସେ ଭଲ ପ୍ରଦର୍ଶନ କରିବା ପ​‌ରେ ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ।

୭. ପୁନମ ପାଣ୍ଡେ

ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେ ସାମାଜିକ ଗଣମାଧ୍ୟମରେ ନିଜର ମୃତ୍ୟୁ ଖବର ପ୍ରଚାରିତ କରି ଚର୍ଚ୍ଚାକୁ ଆସିଥିଲେ। ଏଥିପାଇଁ ଗୁଗଲରେ ତାଙ୍କୁ ଲୋକମାନେ ବେଶୀ ସର୍ଚ୍ଚ କରିଥିଲେ। ଏହି ତାଲିକାରେ ସେ ୭ମ ସ୍ଥାନରେ ରହିଛନ୍ତି। ସର୍ଭିକାଲ କର୍କଟ ରୋଗରେ ତାଙ୍କର ମୃତ୍ୟୁ ହୋଇଥିବା ପ୍ରଚାରିତ ହୋଇଥିଲା, ଯାହା ମିଥ୍ୟା ଥିଲା।

୮. ରାଧିକା ମର୍ଚ୍ଚାଣ୍ଟ

ଜୁଲାଇ ୧୨ରେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ରାଧିକା ମର୍ଚ୍ଚାଣ୍ଟଙ୍କୁ ବିବାହ କରିଥିଲେ। ଏହା ପରେ ଇଣ୍ଟରନେଟରେ ତାଙ୍କୁ ସବୁଠୁ ବେଶୀ ସର୍ଚ୍ଚ କରାଯାଇଥିଲା। ଏନକୋର ହେଲଥକେୟାର କମ୍ପାନୀର ସିଇଓ ବିରେନ ମର୍ଚ୍ଚାଣ୍ଟଙ୍କ ଝିଅ ହେଉଛନ୍ତି ରାଧିକା।

୯. ଅଭିଷେକ ଶର୍ମା

ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ବ୍ୟକ୍ତିତ୍ଵଙ୍କ ମଧ୍ୟରେ ୯ମ ସ୍ଥାନରେ ରହିଛନ୍ତି ୨୩ ବର୍ଷୀୟ ଭାରତୀୟ କ୍ରିକେଟର ଅଭିଷେକ ଶର୍ମା। ଆଇପିଏଲ ଏବଂ ଟି-୨୦ କ୍ରିକେଟରେ ଦମଦାର ପ୍ରଦର୍ଶନ ପାଇଁ ସେ ବେଶ୍‌ ଲୋକପ୍ରିୟତା ସାଉଁଟିଛନ୍ତି।

୧୦. ଲକ୍ଷ୍ୟ ସେନ

ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ ପ୍ୟାରିସ ଅଲିମ୍ପିକ୍ସରେ ଇଣ୍ଡୋନେସିଆର ଜୋନାତନ କ୍ରିଷ୍ଟିଙ୍କୁ ପରାଜିତ କରି ଇତିହାସ ରଚିଥିଲେ। ଯେଉଁଥିପାଇଁ ତାଙ୍କୁ ଇଣ୍ଟରନେଟ ସବୁଠୁ ବେଶୀ ସର୍ଚ୍ଚ କରାଯାଇଥିଲା।

Comments are closed.