ସିବିଆଇ ନିର୍ଦେଶକ ନିଯୁକ୍ତି: ମନୋନୟନ କମିଟି ବୈଠକ ଅସଫଳ
ନୂଆଦିଲ୍ଲୀ : କେନ୍ଦ୍ରୀୟ ଅନ୍ବେଷଣ ବ୍ୟୁରୋ (ସିବିଆଇ) ନିର୍ଦେଶକ ନିଯୁକ୍ତି ନେଇ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ମନୋନୟନ କମିଟି ବୈଠକ ଅସଫଳ ହୋଇଛି। ସିବିଆଇର ନିଦେର୍ଶକ ପଦରେ କାହାକୁ ନିଯୁକ୍ତି ଦିଆଯିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇପାରି ନାହିଁ। ଫଳରେ ଶୁକ୍ରବାର ପୁନର୍ବାର କମିଟି ବୈଠକ ଅନୁଷ୍ଠିତ ହେବ। ବୈଠକରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ଓ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ଯୋଗ ଦେଇଥିଲେ। ସିବିଆଇ ନିର୍ଦେଶକ ପଦ ପାଇଁ ୧୯୮୨ ରୁ ୧୯୮୫ ବ୍ୟାଚର ୧୨ଜଣ ଆଇପିଏସ୍ ଅଫିସରଙ୍କ ନାମକୁ ନେଇ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ସଂକ୍ଷିପ୍ତ ତାଲିକାରେ ଗୁଜରାଟ ଡିଜିପି ଶିବାନନ୍ଦ ଝା, ବିଏସଏଫ ମହାନିର୍ଦେଶକ ରଜନୀକାନ୍ତ ମିଶ୍ର, ସିଆଇଏସଏଫ ମହାନିର୍ଦେଶକ ରାଜେଶ ରଞ୍ଜନ, ଏନଆଇଏ ମହାନିର୍ଦେଶକ ୱାଇସି ମୋଦୀ ଓ ମୁମ୍ବଇ ପୁଲିସ କମିସନର ସୁବୋଧ ଜୟସ୍ବାଲଙ୍କ ନାମ ରହିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କମିଟି ଯଦି ବରିଷ୍ଠତା ଭିତ୍ତିରେ ପ୍ରାର୍ଥୀ ମନୋନୟନ କରନ୍ତି; ତେବେ ଝାଙ୍କ ନାମ ପ୍ରଥମେ ଆସିବ। ଝା ଯଦି ସିବିଆଇ ନିର୍ଦେଶକ ହୁଅନ୍ତି ତେବେ ଖାଲିପଡିବାକୁ ଥିବା ଗୁଜରାଟ ଡିଜିପି ପଦରେ ରାକେଶ ଆସ୍ଥାନାଙ୍କୁ ନିଯୁକ୍ତି ଦିଆଯିବା ନେଇ ଚର୍ଚ୍ଚା ହେଉଛି। ଏନଆଇଏ ନିର୍ଦେଶକ ମୋଦୀ ମଧ୍ୟ ଏହି ପଦ ପାଇଁ ଅନ୍ୟତମ ଦାବିଦାର ରହିଛନ୍ତି। ସିବିଆଇରେ ସେ ପୂର୍ବରୁ ବହୁଦିନ କାର୍ଯ୍ୟ କରିସାରିଛନ୍ତି। ଗୁଜରାଟ ଦଙ୍ଗା ଉପରେ ନିଯୁକ୍ତ ତଦନ୍ତକାରୀ ଟିମ୍ର ସେ ସଦସ୍ୟ ଥିଲେ। ବିଏସଏଫ ଡିଜି ମିଶ୍ର ମଧ୍ୟ ଏହି ପଦ ପାଇଁ ଅନ୍ୟତମ ଦାବିଦାର। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନିପେନ୍ଦ୍ର ମିଶ୍ରଙ୍କର ସେ ଘନିଷ୍ଠ ଭାବେ ଜଣାଶୁଣା। ମୁମ୍ବଇ ପୁଲିସ କମିଶନର ଜୟସ୍ବାଲ ଆରଏସ୍ଏସ୍ ସ୍ତରରୁ ଆସିଥିବା ନେଇ ସେ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି।