www.samajalive.in
Saturday, December 6, 2025
15.1 C
Bhubaneswar

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଶେଷ ଦିନ: ବାଙ୍ଗିରିପୋଷିରେ ରେଳପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମ

ରାଇରଙ୍ଗପୁର: ଆଜି ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଶେଷ ଦିନ ରହିଛି। ଆଜି ସକାଳେ ବାଙ୍ଗିରିପୋଷି ଯାଇ ସେଠାରେ ରେଳ ବିଭାଗର ତିନି ନୂତନ ପ୍ରକଳ୍ପ ସମେତ ରାଇରଙ୍ଗପୁର ସହର ପାଇଁ ତିନୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ଜିଲାର ଦୁଇ ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ସମେତ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ସେପଟେ ଶୁକ୍ରବାର ନିଜ ପୈତୃକ ଗାଁ ମୟୂରଭଞ୍ଜ ଜିଲ୍ଲା ଉପରବେଡ଼ା ଯାଇଥିଲେ ମହାମହିମ।  ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଆସୀନ ହେବା ପରେ ଶ୍ରୀମତୀ ମୁର୍ମୁ ଜନ୍ମମାଟିରେ ପଦାର୍ପଣ କରି ଅତ୍ୟନ୍ତ ଭାବବିହ୍ବଳ ହୋଇପଡ଼ିଥିବା ଦେଖାଯାଇଥିଲା।  ସେଠାରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ, ଲୋକସଭା ସାଂସଦ ନବଚରଣ ମାଝୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ସେଠାରୁ ସେ ନିଜର ପୈତୃକ ଗ୍ରାମ ଉପରବେଡା ଅଭିମୁଖେ ଯାଇଥିଲେ। ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ପରେ ପ୍ରଥମ କରି ନିଜ ଜନ୍ମମାଟିକୁ ଆସିଥିବାରୁ ଗ୍ରାମବାସୀ ତାଙ୍କୁ ଘଣ୍ଟ ବାଦ୍ୟ ସହିତ ପାରମ୍ପରିକ ନୃତ୍ୟ ତଥା ରୀତିନୀତିରେ ସ୍ବାଗତ କରିଥିଲେ। ଗ୍ରାମର ମହିଳା ମାନେ ରାସ୍ତା ତଥା ଘର ସାମନାରେ ଝୋଟି ପକାଇ ମାଟିର ଝିଅକୁ ସ୍ବାଗତ ଜଣାଇଥିଲେ। ଜନ୍ମମାଟିକୁ ଭକ୍ତିପୂତ ପ୍ରଣାମ ଜଣାଇବା ସହ ନିଜ ଜନ୍ମ ମାଟିର ବାସ୍ନାରେ ଉଲ୍ଲସିତ ହୋଇ ଉଠିଥିଲେ ଓ ନିଜ ପ୍ରିୟଜନ ତଥା ଗ୍ରାମବାସୀଙ୍କ ଗହଣରେ ପହଞ୍ଚି ଆନନ୍ଦରେ ବିଭୋର ହୋଇ ପଡ଼ିଥିଲେ । ଏହାପରେ ରାଷ୍ଟ୍ରପତି ପିଲାବେଳେ ପ୍ରାଥମିକ ଶିକ୍ଷା ଲାଭ କରିଥିବା ଉପରବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ସ୍କୁଲର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ସ୍ନେହଭରା ଭାବ ବିନିମୟ କରିଥିଲେ। ଏହି ଅବସରରେ ମହାମହିମ କହିଥିଲେ, ‘ଭାରତର ରାଷ୍ଟ୍ରପତି ହେବା ତାଙ୍କ ପାଇଁ ଆଶୀର୍ବାଦ। ତାଙ୍କ ପିତାମାତା, ପରିବାରବର୍ଗ, ଶିକ୍ଷକଙ୍କ ଆଶୀର୍ବାଦ ପାଇଁ ଏହା ସମ୍ଭବ ହୋଇପାରିଛି।’ ଅତୀତର ସ୍ମୃତି ମନେ ପକାଇ ରାଷ୍ଟ୍ରପତି କହିଥିଲେ ଯେ ତାଙ୍କ ସମୟରେ ଏମିତି ସ୍କୁଲ ନଥିଲା। ବର୍ତ୍ତମାନ ଏହା ନବକଳେବର କରାଯାଇଛି। ସେ ଯେତେବେଳେ ପଢୁଥିଲେ, ଏହା ଏକ ମାଟି ଘର ଥିଲା। ଏହାର ଉନ୍ନତିକରଣ ପାଇଁ ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଥିଲେ। ବର୍ତ୍ତମାନ ସମସ୍ତଙ୍କ ଆଗରେ ଠିଆ ହୋଇ କଥା ହେବା ସମୟରେ ତାଙ୍କ ପିଲା ଦିନର କଥା ମାନେ ପଡିଯାଉଛି ବୋଲି ଭାବଵିହ୍ବଳ ହୋଇ କହିଥିଲେ। ଏହି ଅବସରରେ ସେ ତାଙ୍କୁ ପାଠ ପଢ଼ାଇ ଥିବା ଶିକ୍ଷକ ତଥା ସହପାଠୀଙ୍କୁ ସାଲ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପରେ ରାଷ୍ଟ୍ରପତି ଗାଁ ମୁଣ୍ଡରେ ଥିବା ସ୍ଥାନୀୟ କମଳା-ବିମଳା ଉଚ୍ଚ ବିଦ୍ୟାଳୟକୁ ଯାଇ ସେଠାରେ ଛାତ୍ରଛାତ୍ରୀ ଓ ଯୁବ ବର୍ଗଙ୍କ ସହିତ ଭାବ ବିନିମୟ କରିଥିଲେ। ଯୁବଶକ୍ତିର ଉପାଦେୟତା ଓ ନିଷ୍ଠାପରତା ଦେଶକୁ ସମୃଦ୍ଧ କରିବା ପାଇଁ ଏକାନ୍ତ ଆବଶ୍ୟକ ବୋଲି ବକ୍ତବ୍ୟରେ କହିଥିଲେ। ଏହାପରେ ରାଷ୍ଟ୍ରପତି ସେଠାରୁ ଉପରବେଡ଼ା ସ୍ଥିତ ନିଜ ବାସଭବନରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଆଦିବାସୀ ପରମ୍ପରା ଅନୁସାରେ ପାଦ ଧୋଇ ସ୍ବାଗତ କରାଯାଇଥିଲା। ପରେ ସମସ୍ତ ପ୍ରୋଟୋକଲ ଭୁଲି ଗାଁର ଝିଅ ବୋହୁଙ୍କ ସହ ହାତ ଧରି ନାଚିଥିଲେ। ଘରେ ଗ୍ରାମବାସୀଙ୍କ ସହିତ ଭାବାବେଗପୂର୍ଣ୍ଣ ପରିବେଶରେ ଭାବ ବିନିମୟ କରିଥିଲେ। ଅପରାହ୍ନ ୩.୩୦ରେ ରାଷ୍ଟ୍ରପତି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଏସଏଲଏସ ଟ୍ରଷ୍ଟର ଏକ ଜରୁରୀକାଳୀନ ଯାନ ତଥା ଭାରତୀୟ ରେଡ଼କ୍ରସ୍ ର ଏକ ଉନ୍ନତ ଆମ୍ବୁଲାନ୍ସକୁ ସବୁଜ ପତାକା ଦେଖାଇ ଲୋକାର୍ପିତ କରିଥିଲେ। ଏହାପରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟକୁ ଯାଇ ଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ ଏବଂ ନିଜ ଅଭିଭାଷଣରେ ମହିଳାଙ୍କୁ ସଫଳତାର ସହିତ ଓ ସମସ୍ତ ବାଧାବିଘ୍ନକୁ ଏଡାଇ ଆଗକୁ ବଢିବାକୁ ଉପଦେଶ ଦେଇଥିଲେ। ୧୩୦୦ ଛାତ୍ରୀ ପଢୁଥିବା ଉପଖଣ୍ଡର ଏକମାତ୍ର ମହିଳା ମହାବିଦ୍ୟାଳୟକୁ ସରକାରୀ ଘୋଷଣା କରାଯିବା ନେଇ ଦାବି ପ୍ରତି ସେ ଅବଗତ ହେବାପରେ ଏ ଦିଗରେ ଦୃଷ୍ଟି ଦେବେ ବୋଲି କହିଥିଲେ। ପରେ ରାଷ୍ଟ୍ରପତି ସହରର ୩ନମ୍ବର ୱାର୍ଡ ଶ୍ରୀ ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ହୋମ ଯଜ୍ଞରେ ପୂର୍ଣ୍ଣାହୁତି ଦେବା ସହ ଆରତି ଓ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ । ସନ୍ଧ୍ୟାରେ ସ୍ଥାନୀୟ ରାସ୍ତା ଓ ଗୃହନିର୍ମାଣ ବିଭାଗ ଡାକବଙ୍ଗଳାରେ କିଛି ଲୋକଙ୍କୁ ଭେଟିବା ସହ ନିଜ ବାଇଦାପୋଷୀ ବାସଭବନରେ ରାତ୍ରୀଯାପନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories