ଭୁବନେଶ୍ବର : ଭରତପୁର ଥାନା ଘଟଣାରେ ତଦନ୍ତ କମିସନ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଶୁଣାଣି ସ୍ଥଗିତ ରହିଛି। ଶୁକ୍ରବାର କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ସଂକ୍ରାନ୍ତ ଦସ୍ତାବିଜ ଓ ଭିଡ଼ିଓ ଦାଖଲ ଲାଗି ଦିନଧାର୍ଯ୍ୟ ହୋଇଥିଲା। ତଦନ୍ତକାରୀ ସଂସ୍ଥା ଦସ୍ତାବିଜ ଦାଖଲ କରିନପାରିବାରୁ ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା। ଆସନ୍ତା ୧୮ ତାରିଖକୁ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଛି। ଉକ୍ତ ଦିନ ଉଭୟପକ୍ଷଙ୍କ ଓକିଲ କାହାକୁ ଜେରା କରିବେ ସେମାନଙ୍କ ତାଲିକା ଦେବେ। ଆବଶ୍ୟକସ୍ଥଳେ ଜେରା ମଧ୍ୟ କରିବେ ବୋଲି କମିସନଙ୍କ ସଚିବ ଶୁଭେନ୍ଦୁ ମହାନ୍ତି ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ କାର୍ରେ ଘରକୁ ଫେରୁଥିବା ବେଳେ ଚନ୍ଦକା-ପଥରଗାଡ଼ିଆ ରାସ୍ତାରେ କିଛି ଯୁବକଙ୍କ ସହ ମୁହାଁମୁହିଁ ହୋଇଥିଲା। ଏହାକୁ ନେଇ ସେନା ଅଧିକାରୀ ଓ ବାନ୍ଧବୀ ଅଭିଯୋଗ କରିବାକୁ ଭରତପୁର ଥାନାକୁ ଯାଇଥିଲେ। ଥାନା ଅଧିକାରୀ ନଥିବାବେଳେ ଅନ୍ୟ କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଘଟଣାରେ ଥାନା ଅଧିକାରୀଙ୍କ ସମେତ ୫ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ମାମଲାର ନ୍ୟାୟିକ ତଦନ୍ତ ନିର୍ଦେଶ ଦେଇଥିଲେ।
ଭରତପୁର ଥାନା ଘଟଣା: ଦସ୍ତାବିଜ ଦାଖଲ କରିପାରିଲାନି କ୍ରାଇମବ୍ରାଞ୍ଚ୍, ଶୁଣାଣି ସ୍ଥଗିତ
Popular Categories



