‘ରାଧାନାଥ ରଥ ସତ୍ୟନିଷ୍ଠ ସାମ୍ବାଦିକତାର ଶ୍ରେଷ୍ଠ ପ୍ରତୀକ’
ଆଠଗଡ: ଜନ୍ମମାଟି ଆଠଗଡରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ମହାନ ଜନସେବକ, ଶତାୟୁ ସାମ୍ବାଦିକ, ନୀତିନିଷ୍ଠ ରାଜନୀତିଜ୍ଞ ତଥା ‘ସମାଜ’ର ପୂର୍ବତନ ସମ୍ପାଦକ ପଦ୍ମଭୂଷଣ ଡ.ରାଧାନାଥ ରଥଙ୍କ ୧୨୮ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ଡ.ରାଧାନାଥ ରଥ ସ୍ମୃତି କମିଟି ଓ ଗୋପବନ୍ଧୁ ମହିଳା ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗୋପବନ୍ଧୁ କନିଷ୍ଠ ମହିଳା କଲେଜର ରାଧାନାଥ ରଥ ପ୍ରେକ୍ଷାଗୃହରେ ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ବହୁ ବିଶିଷ୍ଟ ଅତିଥି ଯୋଗଦେଇଥିଲେ। ଅତିଥିମାନେ ଡ.ରଥଙ୍କ ଅକ୍ଷୟ କୃତି ଓ କୀର୍ତ୍ତିକୁ ସ୍ମରଣ କରି ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୁଖ୍ୟଅତିଥି ଭାବେ ‘ସମାଜ’ର ପୂର୍ବତନ ସମ୍ପାଦକ କାନନ ବିହାରୀ ଦାଶ ନିଜ ବକ୍ତବ୍ୟରେ ରାଧାନାଥ ରଥଙ୍କ ତ୍ୟାଗ ଓ ତପସ୍ୟା ବଳରେ ‘ସମାଜ’ ଏକ କ୍ଷୁଦ୍ର ଚାରାରୁ ମହାଦ୍ରୁମରେ ପରିଣତ ହୋଇପାରିଛି ବୋଲି ପ୍ରକାଶ କରିଥିଲେ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଆହ୍ବାନ କ୍ରମେ ରାଧାନାଥ ସରକାରୀ ଚାକିରି ଛାଡି ସାପ୍ତାହିକ ସମାଜରେ ଯୋଗଦେବା ତାଙ୍କ ତ୍ୟାଗର ପରିଚୟ ଦିଏ । ନିଜ ମାର୍ଗଦର୍ଶକ ତଥା ଗୁରୁ ଗୋପବନ୍ଧୁଙ୍କ ଆଦର୍ଶ ଓ ପ୍ରଦର୍ଶିତ ମାର୍ଗରୁ ତିଳେ ହେଲେ ବିଚ୍ୟୁତ ନ ହୋଇ ରାଧାନାଥ ରଥ ଜୀବନବ୍ୟାପୀ ବିପର୍ଯ୍ୟୟ ପୀଡିତ ଓ ଦୁଃଖୀ ମଣିଷର ସେବାରେ ନିଜକୁ ସମର୍ପିତ କରିଥିଲେ ବୋଲି ମୁଖ୍ୟଅତିଥି ଶ୍ରୀ ଦାଶ ପ୍ରକାଶ କରିଥିଲେ।
ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଆଇନଜୀବୀ ପ୍ରାଣକୃଷ୍ଣ ଦାଶ ଡ.ରଥ ଜ୍ଞାନର ଭଣ୍ଡାର ଥିଲେ ଏବଂ ‘ସମାଜ’ରେ ‘ଝିଟିପିଟି କହେ’ ସ୍ତମ୍ଭରେ ତାଙ୍କର ଆଲେଖ୍ୟ ଓଡିଶାର ଜନଜୀବନ ଓ ରାଜନୀତିକୁ ବହୁ ମାତ୍ରାରେ ପ୍ରଭାବିତ କରୁଥିଲା ବୋଲି କହିଥିଲେ। ସ୍ବାଧୀନତା ପରବର୍ତ୍ତୀ ସମୟରେ ଓଡ଼ିଶାରେ ବିଭିନ୍ନ ବିଭାଗର ମନ୍ତ୍ରୀ ରୂପେ ଓ ଆଠଗଡର ୫ଥରର ବିଧାୟକ ଭାବେ ରାଜ୍ୟର ତଥା ଆଠଗଡର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି ଆଇନଜୀବୀ ଶ୍ରୀ ଦାଶ ମତବ୍ୟକ୍ତ କରିଥିଲେ। ମଧ୍ୟପ୍ରଦେଶର ଅମରକଣ୍ଟକସ୍ଥିତ ଜାତୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ.ନରୋତ୍ତମ ଗାଆଣ, ସମାଜସେବୀ ଭାଗିରଥି କର ଓ ମହିଳା ସ୍ନାତକ କଲେଜ ଅଧ୍ୟକ୍ଷା ସଂଗୀତା ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଡ.ରଥଙ୍କ କୃତିକୁ ସ୍ମରଣ କରିଥିଲେ। ତାଙ୍କ ଭଳି ଜଣେ ଯୋଗଜନ୍ମା ବ୍ୟକ୍ତିଙ୍କୁ ଜନ୍ମ ଦେଇ ଆଠଗଡ ମାଟି ଧନ୍ୟ ହୋଇଛି ଏବଂ ଆଜିର ଯୁବ-ଛାତ୍ର ସମାଜ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ଡ.ରାଧାନାଥ ରଥ ସ୍ମୃତି କମିଟିର ଆବାହକ ସୁଧି ରଞ୍ଜନ ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।
ପ୍ରାରମ୍ଭରେ କଲେଜ ପରିସରରେ ପ୍ରତିଷ୍ଠିତ ଡ.ରଥଙ୍କ ପ୍ରତିମୂର୍ତ୍ତିରେ ଅତିଥିଗଣ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଛାତ୍ରୀମାନେ ଡ.ରଥଙ୍କ ଉପରେ ସୁନାମଧନ୍ୟ ଗୀତିକାର ରାଧାନାଥ ଦାସଙ୍କ ଦ୍ବାରା ରଚିତ ସ୍ୱାଗତ ସଂଗୀତ ଗାନ କରିଥିଲେ। ଏହି ଅବସରରେ ଖୁଣ୍ଟୁଣୀ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ସଚ୍ଚିଦାନନ୍ଦ ପଣ୍ଡାଙ୍କୁ ‘ଡ.ରାଧାନାଥ ରଥ ସମ୍ମାନ ୨୦୨୪’ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଇନରହ୍ୱିଲ କ୍ଲବ, ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ସଂଘ, ଗ୍ରାଜୁଏଟ୍ସ କ୍ଲବ, ଆଠଗଡ ସାହିତ୍ୟ ସମାଜ, ରାସରସିକପୁର ସାହି କମିଟି ପ୍ରଭୃତି ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ କଲେଜର ସମସ୍ତ ଛାତ୍ରୀ, ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପ୍ରାଧ୍ୟାପିକା ସ୍ମିତା ମହାପାତ୍ର ମାନପତ୍ର ପାଠ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.