ନାଟୋ ଦେଶର ଅସ୍ତ୍ରଶସ୍ତ୍ରକୁ ପୁଟିନଙ୍କ ଟାର୍ଗେଟ, ଏଟିଏସିଏମଏସ ନେଇ ୟୁକ୍ରେନ ଯାଉଥିବା ଟ୍ରେନକୁ ଉଡ଼ାଇଲା ରୁଷ
ସମାଜ ଡିଜିଟାଲ ଡେସ୍କ: ୟୁକ୍ରେନ ପକ୍ଷରୁ ରୁଷ ଉପରେ ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ଏଟିଏସିଏମଏସ ଦ୍ଵାରା ଆକ୍ରମଣ କରାଯିବା ପରଠାରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆକ୍ରମଣକୁ ଅଧିକ ତୀବ୍ରତର କରିଛନ୍ତି। ୟୁକ୍ରେନ ଉପରେ ରୁଷ ପକ୍ଷରୁ ଜୋରଦାର ଆକ୍ରମଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ନାଟୋ ଦେଶର ଟ୍ରେନ ଯୋଗେ ଏଟିଏସିଏମଏସ କ୍ଷେପଣାସ୍ତ୍ରକୁ ୟୁକ୍ରେନ ପହଞ୍ଚାଇବାକୁ ଉଦ୍ୟମ କରାଯାଉଥିବାବେଳେ ତାହାକୁ ଭଣ୍ଡୁର କରିଛି ରୁଷ। ସିଧାସଳଖ ଏହି ଟ୍ରେନ ଉପରେ ଆକ୍ରମଣ କରିଛନ୍ତି ପୁଟିନ। ରୁଷ ଏହାର କ୍ଷେପଣାସ୍ତ୍ର ଦ୍ଵାରା ଏସିଏସିଏମଏସ ଦୂରଗାମୀ କ୍ଷେପଣାସ୍ତ୍ର ପରିବହନ କରାଯାଉଥିବା ନାଟୋ ଦେଶର ଟ୍ରେନକୁ ଉଡ଼ାଇ ଦେଇଛି। ଟ୍ରେନରେ କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରଚଣ୍ଡ ବିସ୍ଫୋରଣ ଘଟିବା ସହିତ ୟୁକ୍ରେନ ଆକାଶ ଧୂଆଁମୟ ହୋଇଯାଇଥିଲା।
ଆମେରିକା ପକ୍ଷରୁ ଏହି ଦୂରଗାମୀ କ୍ଷେପଣାସ୍ତ୍ରଗୁଡ଼ିକୁ ପଶ୍ଚିମ ଦେଶଗୁଡ଼ିକୁ ଯୋଗାଇ ଦିଆଯାଇଥାଏ। ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନକୁ ରୁଷ ଉପରେ ଦୂରଗାମୀ କ୍ଷେପଣାସ୍ତ୍ର ଦ୍ଵାରା ଆକ୍ରମଣ ଅନୁମତି ଦେଇଥିଲେ। ଏହାପରେ ୟୁକ୍ରେନ ପକ୍ଷରୁ ଏଟିଏସିଏମଏସ ଦ୍ଵାରା ରୁଷ ଉପରେ ଆକ୍ରମଣ ଜାରି ରହିଛି। ଏହି କ୍ଷେପଣାସ୍ତ୍ର ରୁଷ ଆଭ୍ୟନ୍ତରୀଣ ଇଲାକାକୁ ଟାର୍ଗେଟ କରୁଛି। ତେଣୁ ରୁଷ ପଶ୍ଚିମ ଦେଶଗୁଡ଼ିକ ପକ୍ଷରୁ ୟୁକ୍ରେନକୁ ଯୋଗାଣ କରାଯାଉଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକୁ ବାଟରେ ଧ୍ବଂସ କରିଦେବାକୁ ଯୋଜନା ଚଳାଇଛି।
Comments are closed.