ସାଇବର ଠକକୁ ଗିରଫ କଲା କ୍ରାଇମବ୍ରାଞ୍ଚ
କଟକ: ଡିଜିଟାଲ ଗିରଫ ମାମଲାରେ ଓଡ଼ିଶାର ପ୍ରଥମ ଗିରଫଦାରୀ ହୋଇଛି । ତେଲେଙ୍ଗାନାରୁ ଜଣେ ସାଇବର ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତ ନାଁ ଅବଦୁଲ ସଲିମ । ନିଜକୁ ମୁମ୍ବାଇ ସାଇବର କ୍ରାଇମ ଅଧିକାରୀ ପରିଚୟ ଦେଇଥିଲା । ବ୍ରହ୍ମପୁରର ଜଣେ ବ୍ୟକ୍ତିଙ୍କୁ ଡିଜିଟାଲ ଆରେଷ୍ଟ କରିଥିଲା ଅବଦୁଲ । ବିଭିନ୍ନ ଆଳରେ ତାଙ୍କ ଠାରୁ ଏକ କୋଟି ଟଙ୍କା ଲୁଟ କରିଥିଲା । ଅବଦୁଲ ବ୍ୟବହାର କରିଥିବା ଆକାଉଣ୍ଟ ନାଁରେ ରହିଛି ଆହୁରି ୧୩ ଟି ଅଭିଯୋଗ । ରାଜ୍ୟ ପୁଲିସ ଜାରି କରିଥିବା ପ୍ରେସ ବିଜ୍ଞପ୍ତିରେ ଉଲେଖ ରହିଛି ଯେ , ନିଜକୁ ଟ୍ରାଇ ଏବଂ ମୁମ୍ବାଇ ସାଇବର କ୍ରାଇମ ଡିଭିଜନ ପୁଲିସ କର୍ମଚାରୀର ପରିଚୟ ଦେଇ ଗିରଫ କରିବାର ଧମକ ଦେବା ସହ ଜଣେ ବ୍ୟକ୍ତିଙ୍କ ଠାରୁ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କା ଠକିବାର ଅଭିଯୋଗରେ କ୍ରାଇମବ୍ରାଞ୍ଚ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ତେଲେଙ୍ଗାନା ନିଜାମାବାଦର ଅବଦୁଲ ସଲିମ ।
ପୁଲିସ ଅଭିଯୁକ୍ତଠାରୁ ମୋବାଇଲ ଫୋନ, ୩ଟି ସିମ କାର୍ଡ, ସାଉଦି ଆରବର ସିମକାର୍ଡ, ପାସବୁକ, ପାସପୋର୍ଟ, ଆଧାର କାର୍ଡ, ପାନ କାର୍ଡ, ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ ଜବତ କରିଛି । ଅଭିଯୁକ୍ତ ସଲିମ ନାମରେ ସାରା ଦେଶରେ ୧୩ରୁ ଅଧିକ ମାମଲାରେ ସମ୍ପୃକ୍ତି ଥିବା ତଦନ୍ତରେ ପୁଲିସ ଜାଣିବାକୁ ପାଇଛି । ଅଭିଯୋଗ ଆଧାରରେ ବ୍ରହ୍ମପୁରରେ ରହୁଥିବା ଜଣେ ବରିଷ୍ଠ ନାଗରିକ ଏହି ଡିଜିଟାଲ ଗିରଫ ଭଳି ଠକାମୀର ଶିକାର ହୋଇଥିଲେ । ଠକମାନେ ନିଜକୁ ଟ୍ରାଇ ଏବଂ ମୁମ୍ବାଇ ସାଇବର କ୍ରାଇମ ଡିଭିଜନର ପୋଲିସ କର୍ମଚାରୀ ବୋଲି ପରିଚୟ ଦେବା ସହ ତାଙ୍କ ଆଧାରକାର୍ଡରେ ଲିଙ୍କ ହୋଇଥିବା ଏକ ଅଜଣା ମୋବାଇଲ ନମ୍ବର ସମ୍ପର୍କରେ ପଚାରିଥିଲେ । ସେହି ମୋବାଇଲ ନମ୍ବରଟି ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଭଳି ମାରାତ୍ମକ ଜିନିଷ କିଣିବାରେ ବ୍ୟବହୃତ ହୋଇଛି ବୋଲି ପ୍ରଥମେ ଭୟଭୀତ କରିଥିଲେ ।
ଏହା ବ୍ୟତୀତ ଉକ୍ତ ନମ୍ବରରୁ ମହାରାଷ୍ଟ୍ରର ଅନେକ ବ୍ୟକ୍ତିଙ୍କୁ ଧମକ ପୂର୍ଣ୍ଣ କଲ୍ ଯାଇଥିବା କଥା ସମ୍ପର୍କରେ ମଧ୍ୟ ଠକମାନେ ଉଲ୍ଲେଖ କରିଥିଲେ । ଏଥିନିମନ୍ତେ ତାଙ୍କୁ ୩ ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହେବ ବୋଲି କହିବା ସହ ଠକ ମାନେ ତାଙ୍କୁ ହ୍ବାଟ୍ସଆପ୍ ଜରିଆରେ ଭିଡିଓ କଲ କରି ଅଟକ ରଖିଥିଲେ । ଅଭିଯୋଗକାରୀ ଜଣକ ମାନସିକ ଅବସାଦର ସମ୍ମୁଖୀନ ହୋଇଥିଲେ । ଯାଞ୍ଚ ପାଇଁ ତାଙ୍କର ସମସ୍ତ ଟଙ୍କାକୁ ଅଭିଯୁକ୍ତର ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ କହିଥିଲେ । ଏହାସହ ଯାଞ୍ଚ ସମାପ୍ତ ହେବାପରେ ସମ୍ପୂର୍ଣ୍ଣ ଟଙ୍କା ତାଙ୍କ ଆକାଉଣ୍ଟକୁ ଫେରାଇ ଦିଆଯିବ ବୋଲି ଅଭିଯୁକ୍ତ କହିଥିଲେ । ସେହି ଅନୁଯାୟୀ ଅଭିଯୋଗକାରୀ ବରିଷ୍ଠ ନାଗରିକ ଠକର ଆକାଉଣ୍ଟକୁ ଦୁଇଥରରେ ୧ କୋଟି ଟଙ୍କା ଜମା କରିଥିଲେ । ପରେ ସେ ଠକାମୀର ଶିକାର ହୋଇଛନ୍ତି ବୋଲି ଜାଣିବା ପରେ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ସଲିମକୁ ଗିରଫ କରିଛି। ଉଲ୍ଲେଖଯୋଗ୍ୟ ଯେ, ୨୦୧୭ ମସିହାରେ ଅଭିଯୁକ୍ତ ସଲିମ ୯ ମାସ ପାଇଁ ଏବଂ ୨୦୨୪ ରେ ମଧ୍ୟ ସାଉଦି ଆରବ ଯାଇଥିଲା ବୋଲି ପୁଲିସ ତଦନ୍ତରେ ଜାଣିବାକୁ ପାଇଛି।
Comments are closed.