ଇରାକରେ ମିଳିପାରେ ୯ ବର୍ଷର ଶିଶୁଙ୍କୁ ବିବାହ କରିବାକୁ ଅନୁମତି!
ଡେସ୍କ: ଇରାକ ନିଜର ବିବାହ ଆଇନରେ ସଂଶୋଧନ କରିବାର ସମ୍ଭାବନା ରହିଛି, ଯାହା ଦ୍ୱାରା ସମ୍ମତିର ଆଇନଗତ ବୟସ ୧୮ରୁ ୯କୁ ହ୍ରାସ ପାଇବ। ବର୍ତମାନ ଆଫଗାନିସ୍ତାନରେ ବିବାହ ବୟସ ସର୍ବନିମ୍ନ, ଯେଉଁଠି ଝିଅ ଓ ପୁଅ ୧୫ ବର୍ଷ ବୟସରେ ବିବାହ କରିପାରିବେ। ଇରାକରେ ମହିଳା ଓ ବାଳିକାଙ୍କ ଅଧିକାର ହ୍ରାସ ପାଇବାରେ ଲାଗିଛି। ବାଲ୍ୟ ବିବାହକୁ ବୈଧତା ଦେଇ ଦେଶ ମହିଳାଙ୍କ ବିବାହ ବୟସ ୧୮ରୁ ୯କୁ ହ୍ରାସ କରିବାକୁ ଯାଉଛି।
ରବିବାର ପ୍ରଥମ ଥର ପାଇଁ ଏହି ପ୍ରସ୍ତାବିତ ସଂଶୋଧନ ଗୃହୀତ ହେବା ପରେ ଏହାକୁ ନେଇ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ସ୍ତରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଇରାକର ସିଆ ଇସଲାମିକ ଦଳମାନେ ବ୍ୟକ୍ତିଗତ ମାନ୍ୟତାର ଆଇନ ୧୮୮୮ରେ ସଂଶୋଧନ କରିବାକୁ ବିଚାର କରୁଛନ୍ତି।୧୯୫୯ମସିହାରେ ପାରିତ ହୋଇଥିବା ଏହି ଆଇନ ପଶ୍ଚିମ ଏସିଆରେ ସବୁଠାରୁ ପ୍ରଗତିଶୀଳ ବୋଲି ବିବେଚନା କରାଯାଉଛି।ଏହି ଆଇନରେ ଉଭୟ ପୁରୁଷ ଓ ମହିଳାଙ୍କ ବିବାହ ପାଇଁ ଆଇନଗତ ବୟସ ୧୮ ଧାର୍ଯ୍ୟ କରାଯାଇଛି ଏବଂ ପୁରୁଷମାନଙ୍କୁ ଦ୍ୱିତୀୟ ପତ୍ନୀ ନେବାକୁ ଅନୁମତି ଦେବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥିସହ ଜଣେ ମୁସଲମାନ ପୁରୁଷ ବିନା କୌଣସି ପୂର୍ବ ସର୍ତ୍ତରେ ଜଣେ ଅଣମୁସଲମାନ ମହିଳାଙ୍କୁ ବିବାହ କରିପାରିବେ।
ତେବେ ରକ୍ଷଣଶୀଳ ସିଆ ଇସଲାମିକ ଦଳର ମେଣ୍ଟ ସମନ୍ୱୟ ଢାଞ୍ଚା ଏହି ଆଇନରେ ସଂଶୋଧନ ପାଇଁ ଜୋର ଦେଉଛି। ସ୍ୱାଧୀନ ସାଂସଦ ରୈଦ ଅଲ-ମାଲିକିଙ୍କ ଦ୍ୱାରା ଆଗତ ପ୍ରସ୍ତାବିତ ସଂଶୋଧନରେ ମହିଳାଙ୍କ ବିବାହ ବୟସ ୧୮ରୁ ୯ ଏବଂ ପୁଅମାନଙ୍କର ୧୫ ବର୍ଷରୁ କମ୍ ବୟସକୁ ହ୍ରାସ କରାଯାଇ ବାଲ୍ୟ ବିବାହକୁ ବୈଧତା ଦିଆଯାଇଛି। ଡ୍ରାଫ୍ଟ ବିଲରେ ଏହା ମଧ୍ୟ କୁହାଯାଇଛି ଯେ ଜଣେ ଦମ୍ପତି ସୁନ୍ନି କିମ୍ବା ସିଆ ସମ୍ପ୍ରଦାୟ ମଧ୍ୟରେ “ବ୍ୟକ୍ତିଗତ ମାନ୍ୟତାର ସମସ୍ତ ବିଷୟ” ଚୟନ କରିବା ଆବଶ୍ୟକ।
ଚିଠା ବିଲରେ କୁହାଯାଇଛି ଯେ, ଯେଉଁ ନିୟମ ଅନୁଯାୟୀ ବିବାହ ଚୁକ୍ତି ସମ୍ପନ୍ନ ହୋଇଥିଲା, ସେହି ନୀତିକୁ ନେଇ ଯେତେବେଳେ ପତି-ପତ୍ନୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୁଏ, ତେବେ ଏହାର ବିପରୀତ ପ୍ରମାଣ ନ ମିଳିଲେ ସ୍ୱାମୀଙ୍କ ସିଦ୍ଧାନ୍ତ ଅନୁଯାୟୀ ଚୁକ୍ତି ସମ୍ପନ୍ନ ହୋଇଛି ବୋଲି ବିବେଚନା କରାଯାଏ। ଏହି ସଂଶୋଧନ ଦ୍ୱାରା “ସିଆ ଓ ସୁନ୍ନି ଧର୍ମାନୁଷ୍ଠାନର କାର୍ଯ୍ୟାଳୟ” ଅଦାଲତ ପରିବର୍ତ୍ତେ ବିବାହକୁ ପବିତ୍ର ମାନ୍ୟତା ଦେବ। ସଂଶୋଧନକୁ ମଞ୍ଜୁରୀ ମିଳିବା ପରେ ମହିଳାମାନେ ଛାଡ଼ପତ୍ର, ଶିଶୁ ହେପାଜତ ଏବଂ ଉତ୍ତରାଧିକାରୀ ଅଧିକାରରୁ ବଞ୍ଚିତ ହେବେ ବୋଲି ସମ୍ବାଦପତ୍ର ଦ ଟେଲିଗ୍ରାଫ୍ କହିଛି।
ଯୁବତୀମାନଙ୍କୁ ଅନୈତିକ ସମ୍ପର୍କରୁ ରକ୍ଷା କରିବା ପାଇଁ ଶାସକ ମେଣ୍ଟ ଏହି କାର୍ଯ୍ୟାନୁଷ୍ଠାନକୁ ଇସଲାମିକ ଆଇନର କଠୋର ବ୍ୟାଖ୍ୟା ବୋଲି ବର୍ଣ୍ଣନା କରିଛି।
Comments are closed.