ୟୁପିରେ ‘ଦି ସାବରମତି ରିପୋର୍ଟ’ ଚଳଚ୍ଚିତ୍ର ଟିକସମୁକ୍ତ
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଗୁରୁବାର ‘ଦି ସାବରମତି ରିପୋର୍ଟ’ ଚଳଚ୍ଚିତ୍ରକୁ ଟିକସମୁକ୍ତ ଘୋଷଣା କରାଯାଇଛି। ଫଳରେ ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ଉପରେ କୌଣସି ଆମୋଦ ପ୍ରମୋଦ ଟିକସ ଲାଗୁ କରାଯିବ ନାହିଁ। ବିକ୍ରାନ୍ତ ମାସି, ରାଶି ଖାନ୍ନା ଅଭିନୀତ ଏବଂ ଧୀରଜ ସରନା ନିର୍ଦେର୍ଶିତ ଏହି ଚଳଚ୍ଚିତ୍ରର ବିଷୟବସ୍ତୁ ୨୦୦୨ ଗୋଧ୍ରା ଟ୍ରେନ ପୋଡି ଘଟଣା ଉପରେ ପର୍ଯ୍ୟବେସିତ। ୨୦୦୨ ଫେବୃୟାରୀ ୨୭ରେ ଗୁଜରାଟର ଗୋଧ୍ରା ଷ୍ଟେସନରେ ଦୁର୍ବୃତ୍ତମାନେ ସାବରମତି ଏକ୍ସପ୍ରେସର ୬ ନମ୍ବର ବଗିରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଉକ୍ତ ବଗିରେ ଅଯୋଧ୍ୟାରୁ ଫେରୁଥିବା ୫୯ କରସେବକ ପୋଡି ହୋଇ ପ୍ରାଣ ହରାଇଥିଲେ। ଏହି ଘଟଣାକୁ କେନ୍ଦ୍ରକରି ଗୁଜରାଟରେ ପରବର୍ତ୍ତୀ ସମୟରେ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା। ଏହି ଚଳଚ୍ଚିତ୍ରକୁ ଏକତା କପୁରଙ୍କ ବାଲାଜୀ ଫିଲମ୍ସ ନିର୍ମାଣ କରିଥିବାବେଳେ ଚଳିତ ମାସ ୧୫ରେ ଏହା ମୁକ୍ତିଲାଭ କରିଛି। ପୂର୍ବରୁ ମଧ୍ୟପ୍ରଦେଶ ଓ ହରିୟାଣା ସରକାର ଏହି ଚଳଚ୍ଚିତ୍ରକୁ ଟିକସମୁକ୍ତ ଘୋଷଣା କରିସାରିଛନ୍ତି।
Comments are closed.