www.samajalive.in
Sunday, December 7, 2025
14.1 C
Bhubaneswar

ବାଘଖିଆଙ୍କୁ ସାମାଜିକ ବାସନ୍ଦ କର:ପିସିସିଏଫ

ଭୁବନେଶ୍ୱର : ବନ୍ୟଜନ୍ତୁଙ୍କ ପାଇଁ ଆତଙ୍କ ଖେଳାଇଛି ବାର୍‌ହା ଫାଶ। ବାର୍‌ହା ଶିକାର ପାଇଁ ବିଛା ଯାଉଥିବା ବିଦ୍ୟୁତ୍‌ ତାର ଫାଶରେ କେତେବେଳେ ହାତୀ ତ ଆଉ କେତେବେଳେ ବାଘ ଫସି ଯାଉଛନ୍ତି। ଅନେକ ସମୟରେ ଏହି ଫାଶରେ ମଣିଷ ପଡ଼ି ପ୍ରାଣ ହରାଉଛି। ବନ୍ୟ ଜୀବଜନ୍ତୁଙ୍କ ପାଇଁ ବାର୍‌ହା ଫାଶ କାଳ ସାଜିଛି। ତିନିଦିନ ତଳେ ସମ୍ବଲପୁର ଜିଲାରେ ବାର୍‌ହା ଫାଶରେ ପଡ଼ି ୩ହାତୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ମନରୁ ଲିଭି ନଥିବା ବେଳେ ମଙ୍ଗଳବାର ନୂଆପଡ଼ା ଜିଲାରେ ବାର୍‌ହା ଫାଶରେ ପଡ଼ି ଗୋଟିଏ କଲରାପତରିଆ ବାଘର ମୃତ୍ୟୁ ହୋଇଛି। ଶିକାରୀମାନେ ବାଘ ମାଂସ ରୋଷେଇ କରି ଖାଇଥିଲେ। ବାଘଖିଆଙ୍କୁ ସାମାଜିକ ବାସନ୍ଦ କରାଯିବା ଆବଶ୍ୟକ ବୋଲି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି। ମହାବଳ ବାଘ ହେଉ କି କଲରାପତରିଆ ଅନେକ ସମୟରେ ଶିକାରୀ ଶିକାର କରିଥାଏ; କିନ୍ତୁ ପ୍ରଥମଥର ପାଇଁ ଦେଖିବାକୁ ମିଳୁଛି ଲୋକେ କଲରାପତରିଆ ବାଘ ମାଂସ ଖାଉଛନ୍ତି। ସଭ୍ୟ ସମାଜରେ ଏହାର କୌଣସି ସ୍ଥାନ ନାହିଁ। ଅନୁରୋଧ କରୁଛି, ଲୋକମାନେ ଏଭଳି ବ୍ୟକ୍ତିଙ୍କୁ ସାମାଜିକ ବାସନ୍ଦ କରନ୍ତୁ ବୋଲି ସେ କହିଛନ୍ତି। ଜଙ୍ଗଲ ମଝିରେ ଯାଉଥିବା ବିଦ୍ୟୁତ୍‌ ତାର ପାଇପ୍ ଦ୍ବାରା ଆବଦ୍ଧ କରାଯାଉ ନାହିଁ। ଫଳରେ ଶିକାରୀ ବିଦ୍ୟୁତ୍‌ ସଂଯୋଗ ଆଣି ବାର୍‌ହା ଫାଶ ବିଛାଉଛନ୍ତି। ପୁଣି ହାତୀ କରିଡର ଅଞ୍ଚଳରେ ବିଦ୍ୟୁତ୍ ତା’ର ଝୁଲି ରହୁଥିବାରୁ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟୁଛି। ବନ୍ୟଜନ୍ତୁଙ୍କ ଜୀବନ ରକ୍ଷା କରିବାରେ ଶକ୍ତି ବିଭାଗ ଏବଂ ବନ ବିଭାଗ ମଧ୍ୟରେ ସମନ୍ବୟ ରହୁନାହିଁ। ବନ୍ୟପ୍ରାଣୀ ବାର୍ଷିକ ରିପୋର୍ଟ କହୁଛି, ଆର୍ଥିକ ବର୍ଷ ୨୦୧୪-୧୫ରୁ ୨୦୨୩-୨୪ମଧ୍ୟରେ ମୋଟ ୫ ହଜାର ୪ ଶହ ୧୪ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଛି। ଏହି ସମୟ ମଧ୍ୟରେ ସର୍ବାଧିକ ୧୦୨୯ଟି ବାର୍‌ହା ପ୍ରାଣ ହରାଇଛନ୍ତି। ୨୦୧୪-୧୫ବର୍ଷ ତୁଳନାରେ ଗତ ତିନିବର୍ଷ ହେଲା ବାର୍‌ହା ମୃତ୍ୟୁହାର ଅଧିକ। ୨୦୨୩ରେ ୧୩୩ଟି ବାର୍‌ହାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୨ରେ ୧୨୯, ୨୦୨୧ରେ ୧୧୨ ଏବଂ ୨୦୨୦ରେ ୧୬୧ଟି ବାର୍‌ହା ମୃତ୍ୟୁ ହୋଇଛି। ଏହାମଧ୍ୟରେ ୮୩୭ ହରିଣ, ୨୬୧ ସମ୍ବର, ୭୯୦ ହାତୀ, ୫୭ ଚିତାବାଘ ଏବଂ ୮ଟି ବାଘ ରହିଛି। ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ମଣିଷ ଚନ୍ଦ୍ରରେ ପାଦ ଥାପିଲାଣି; କିନ୍ତୁ ଜଙ୍ଗଲ ଭିତରେ ଲୋକେ ବସବାସ କରି ଅନ୍ଧକାର ଭିତରେ ରହିଛନ୍ତି। ସେମାନଙ୍କ ଆବଶ୍ୟକତା ମେଣ୍ଟାଇବା ପାଇଁ ବନ୍ୟଜନ୍ତୁ ଶିକାର କରୁଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ବଞ୍ଚିତ ହେଉଥିବାରୁ ଭୁଲ କାମ କରୁଛନ୍ତି। ସରକାର ସେମାନଙ୍କୁ ଜଙ୍ଗଲ ବାହାରକୁ ଆଣି ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଦରକାର। ପିସିସିଏଫ ଶ୍ରୀ ନନ୍ଦ କହିଛନ୍ତି, ପଇଁତରାକୁ ବ୍ୟାପକ କରାଯିବ। ବନ ଏବଂ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ମିଳିତ ଭାବେ ପଇଁତରା ମାରିବେ। ଆବଶ୍ୟକସ୍ଥଳେ ପୁଲିସ୍‌ ପଇଁତରା ମାରିବ। ବିଦ୍ୟୁତ୍‌ ହୁକ ଜୋରିମାନା ପରିମାଣ ବୃଦ୍ଧି କରାଯିବ। ଫଳରେ ଶିକାରୀ ଜେଲ ଦଣ୍ଡ ଭୋଗିବା ସହିତ ବିଦ୍ୟୁତ୍‌ ଜୋରିମାନା ଆଦାୟ କରାଯିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories