କଂଗ୍ରେସ ଟିକଟରେ ଲୋକସଭା ନିର୍ବାଚନ ଲଢିବେ କରିନା!
ଭୋପାଳ : ବଲିଉଡର ଗ୍ଲାମର ଗର୍ଲ ତଥା ସୁପରହିଟ ନାୟିକା କରିନା କପୁର ରାଜନୀତିରେ ପ୍ରବେଶ କରିବେ। ଏନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଖାଲି ଏତିକି ନୁହେଁ କଂଗ୍ରେସ ଟିକଟରେ ସେ ଲୋକସଭା ନିର୍ବାଚନ ଲଢିବେ ବୋଲି କୁହାଯାଉଛି। କରିନା ନିଜେ ଏ ସମ୍ବନ୍ଧରେ କିଛି କହି ନ ଥିଲେ ମଧ୍ୟ ଭୋପାଳର କିଛି କଂଗ୍ରେସ ନେତା ରାଜନୀତିରେ ତାଙ୍କ ସମ୍ପୃକ୍ତି ନେଇ ଇଚ୍ଛା ପ୍ରକାଶ କରିଛନ୍ତି। ଏପରିକି ଦଳୀୟ ଟିକଟରେ ତାଙ୍କୁ ଭୋପାଳର ଲୋକସଭା ପ୍ରାର୍ଥୀ କରିବାକୁ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟରେ ସେମାନେ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଉଲ୍ଲେଖ ଯେ କରିନାଙ୍କ ସ୍ବର୍ଗତ ଶ୍ବଶୁର ତଥା ପୂର୍ବତନ କ୍ରିକେଟ ଖେଳାଳି ମନସୁର ଅଲ୍ଲୀ ଖାନ୍ ପଟୌଦୀ ୧୯୯୧ରେ ଭୋପାଳ ଆସନରୁ ଲୋକସଭା ନିର୍ବାଚନ ଲଢିଥିଲେ। ରାହୁଲଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ସେ ସମୟରେ ପଟୌଦୀଙ୍କୁ ଟିକଟ ଦେଇଥିଲେ। ଅବଶ୍ୟ ପଟୌଦୀ ନିର୍ବାଚନ ହାରିଯାଇଥିଲେ। ଏବେ ବିଜେପିଠାରୁ ଭୋପାଳ ଆସନ ଛଡାଇ ଆଣିବା ନିମନ୍ତେ କରିନାଙ୍କ ଭଳି ଜଣେ ଲୋକପ୍ରିୟ ନେତ୍ରୀଙ୍କୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ହେବ ବୋଲି ସମ୍ପୃକ୍ତ ନେତାମାନେ ରାହୁଲ ଓ ପିସିସି ସଭାପତି ତଥା ମୁଖ୍ୟମନ୍ତ୍ରୀ କମଳନାଥଙ୍କ ନିକଟରେ ଯୁକ୍ତି ବାଢିଛନ୍ତି। ସେମାନେ କହିଛନ୍ତି, ଭୋପାଳରେ ଯୁବ ଭୋଟରଙ୍କ ସଂଖ୍ୟା ଢେରବେଶୀ। କରୀନା ଏମାନଙ୍କ ଭୋଟ ଆକର୍ଷିତ କରିବାର କ୍ଷମତା ରଖନ୍ତି। ଅନ୍ୟପଟେ ନବାବ ପରିବାର ସହିତ ତାଙ୍କ ସମ୍ପୃକ୍ତି ସଫଳତା ଦିଗରେ କରିନାଙ୍କୁ ସହଯୋଗ କରିବ। ଭୋପାଳରେ ସଂଖ୍ୟାଲଘୁ ଭୋଟର ମଧ୍ୟ ଅଧିକ ଥିବାରୁ ଦଳ ଏହାର ଫାଇଦା ଉଠାଇପାରିବ।