‘କାରାଭାନ’ ଓ ଜୟରାମଙ୍କ ବିରୋଧରେ ଅଦାଲତ ଗଲେ ବିବେକ ଡୋଭାଲ
ନୂଆଦିଲ୍ଲୀ : ଆଫ୍ରିକୀୟ ଦ୍ବୀପ କେମାନ୍ରେ ଘରୋଇ ନିବେଶ ପାଣ୍ଠି ବା ହେଜ୍ ଫଣ୍ଡ କାରବାର ସଂକ୍ରାନ୍ତରେ ପ୍ରକାଶିତ ଖବର ପ୍ରତିବାଦରେ ଅଦାଲତକୁ ଯାଇଛନ୍ତି ଭାରତ ସରକାରଙ୍କ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ପୁଅ ବିେବକ ଡୋଭାଲ। ସ୍ଥାନୀୟ ପଟିଆଲା ହାଉସ୍ ଅଦାଲତରେ ସମ୍ପୃକ୍ତ ଖବର ପ୍ରକାଶ କରିଥିବା ପତ୍ରିକା ‘ଦି କାରାଭାନ୍’ ଓ ଖବରଦାତା କୌଶଲ ସ୍ରଫଙ୍କ ସହିତ କଂଗ୍ରେସ ନେତା ଜୟରାମ ରମେଶଙ୍କ ବିରୋଧରେ ବିବେକ ଆପରାଧିକ ମାନହାନି ମକଦ୍ଦମା ଦାୟର କରିଛନ୍ତି। ମଙ୍ଗଳବାର ଏହି ମାମଲାର ଶୁଣାଣି ହେବା ସମ୍ଭାବନା ରହିଛି।
ଟିକସ ଫାଙ୍କିର ସ୍ବର୍ଗ ଭାବେ ପରିଚିତ କେମାନ୍ ଦ୍ବୀପରେ ବିବେକ ବେଆଇନ ଅର୍ଥ ନିବେଶ କାରବାର ଚଳାଇଥିବା ସମ୍ପର୍କିତ ଖବର ‘ଦି କାରାଭାନ୍’ ପତ୍ରିକାରେ ପ୍ରକାଶ ପାଇଥିଲା। ଏହା ଶୀର୍ଷକ ଥିଲା ‘ଦି ଡି-କମ୍ପାନୀସ୍’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ନଭେମ୍ବର ୮ରେ ବିମୁଦ୍ରାୟନ ଘୋଷଣା କରିବାର ମାତ୍ର ୧୩ଦିନ ପରେ ଏହି ବ୍ରିଟିଶ ନାଗରିକ ଥିବା ବିବେକ ଡୋଭାଲଙ୍କ ‘ଜିଏନ୍ୱାଇ ଏସିଆ’ ବା ତଥାକଥିତ ‘ଡି-କମ୍ପାନୀସ୍’ ପ୍ରତିଷ୍ଠା ହୋଇଥିଲା ଓ ବିବେକ ଏହା ମାଧ୍ୟମରେ ବିପୁଳ କଳାଟଙ୍କା କାରବାର କରିଥିଲେ ବୋଲି ଖବରରେ ଉଲ୍ଲେଖ ଥିଲା। ବିବେକଙ୍କ କମ୍ପାନୀ ବିଦେଶୀ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପାଇଁ ବିପୁଳ (୮୩୦୦ କୋଟି) ବେଆଇନ ଆର୍ଥିକ ଦେଣନେଣ କାରବାର କରିଥିଲା। ଏଥିରେ ଅଜିତ ଡୋଭାଲଙ୍କ ବଡ଼ ପୁଅ ସୌର୍ଯ୍ୟ ଡୋଭାଲଙ୍କ ନାମ ମଧ୍ୟ ଉଲ୍ଲେଖ ଥିଲା। ସୌର୍ଯ୍ୟ ହେଉଛନ୍ତି ଜଣେ ବିଜେପି ନେତା ଓ ତାଙ୍କର ‘ଥିଙ୍କ୍ ଟ୍ୟାଙ୍କ ଇଣ୍ଡିଆ ଫାଉଣ୍ଡେସନ୍’ ନାମକ ସଂସ୍ଥା ରହିଛି। ଏହି ଖବର ପ୍ରକାଶ ପାଇବା ପରେ କଂଗ୍ରେସ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରିଥିଲା। କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ କରିଥିଲେ ଯେ ବିବେକ ତାଙ୍କ କମ୍ପାନୀ ମାଧ୍ୟମରେ ବିମୁଦ୍ରାୟନଜନିତ କଳା ଟଙ୍କାର ବେଆଇନ କାରବାର କରିଥିଲେ।
ଏହି ପରିପ୍ରେକ୍ଷରେ କାରାଭାନ୍ ପତ୍ରିକା ମିଛ ଓ ଉଦ୍ଦେଶ୍ୟପ୍ରଣୋଦିତ ଖବର ପ୍ରକାଶ କରିଛି। ଅଜିତ ଡୋଭାଲ ସୁରକ୍ଷା ପରାମର୍ଶଦାତା ଥିବାରୁ ତାଙ୍କୁ ଓ ତାଙ୍କ ପରିବାରକୁ ବଦନାମ କରିବା ପାଇଁ ଏହି ଖବରରେ ଉଦ୍ୟମ ହୋଇଥିବା ବିବେକ ଅଭିଯୋଗ କରିଛନ୍ତି। ‘ଡି-କମ୍ପାନୀ’ ହେଉଛି କୁଖ୍ୟାତ ଡନ୍ ଦାଉଦ୍ ଇବ୍ରାହିମ୍ର କମ୍ପାନୀ। ଦାଉଦ୍କୁ ଦମନ କରିବାରେ ଡୋଭାଲ ବଡ଼ ଭୂମିକା ନିଭାଇ ଆସିଛନ୍ତି। ଏହା ସତ୍ତ୍ବେ ବିବେକଙ୍କ କମ୍ପାନୀକୁ ଉକ୍ତ ଲେଖାରେ ‘ଡି-କମ୍ପାନୀ’ ଦର୍ଶାଯିବା ଅପମାନଜନକ ବୋଲି ବିବେକ ଦର୍ଶାଇଛନ୍ତି।