ସରିଲା ହାତୀ ଗଣନା, ଶେଷ ସପ୍ତାହରେ ରିପୋର୍ଟ

ଭୁବନେଶ୍ବର : ରାଜ୍ୟର ୪୮ଟି ବନଖଣ୍ଡରେ ହାତୀ ଗଣନା ଚାଲିଛି। ଚଳିତ ବର୍ଷ ପ୍ରଥମଥର ପାଇଁ ଡ୍ରୋନ ସାହାଯ୍ୟରେ ହାତୀ ଗଣନା କରାଯାଉଛି। ଶୀତଋତୁରେ ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶରୁ କେତେ ପ୍ରବାସୀ ହାତୀ ଓଡ଼ିଶାକୁ ଆସୁଛନ୍ତି ତା’ର ସଂଖ୍ୟା ଏବଂ ଓଡ଼ିଶାର ନିଜସ୍ବ ହାତୀ କେତେ ସେ ସମ୍ବନ୍ଧରେ ଜାଣିବା ପାଇଁ ବନ ବିଭାଗ ପ୍ରଥମଥର ନିମନ୍ତେ ଶୀତଋତୁରେ ହାତୀ ଗଣନା କରିଛି। ଏହାର ରିପୋର୍ଟ ଚଳିତ ମାସ ଶେଷ ସପ୍ତାହରେ ପ୍ରକାଶ କରିବାକୁ ବନ୍ୟପ୍ରାଣୀ ବିଭାଗ ଲକ୍ଷ୍ୟ ରଖିଛି।
ନଭେମ୍ବର ୧୪ରୁ ୧୬ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ହାତୀ ଗଣନା କରାଯାଇଛି। ରାଜ୍ୟରେ କେତେ ହାତୀ ରହିଛନ୍ତି ସେ ସଂକ୍ରାନ୍ତ ଗଣନା ରିପୋର୍ଟ ବନ ବିଭାଗ ପକ୍ଷରୁ ପ୍ରକାଶ ପାଇବ। ଆଠଗଡ଼ ବନଖଣ୍ଡ ଅଧୀନରେ ଥିବା ପାଞ୍ଚଟି ରେଞ୍ଜରେ ହାତୀ ଗଣନା ହୋଇଛି। ପ୍ରତି ରେଞ୍ଜରେ ୩ ଜଣିଆ ବନ କର୍ମଚାରୀ ଗଣନା କାର୍ଯ୍ୟରେ ଲାଗିଥିଲେ। ଆଠଗଡ଼ ରେଞ୍ଜ, ଖୁଣ୍ଟୁଣି, ବଡ଼ମ୍ବା, ନରସିଂହପୁର ପୂର୍ବ ଓ ନରସିଂହପୁର ପଶ୍ଚିମ ରେଞ୍ଜର ବିଭିନ୍ନ ସ୍ଥାନରେ ବୁଲି ହାତୀଙ୍କ ଗଣନା ହୋଇଛି। ଏହି ଶୀତକାଳୀନ ଗଣନା କାର୍ଯ୍ୟରେ ଥର୍ମାଲ କ୍ୟାମେରା ଏବଂ ଡ୍ରୋନ ବ୍ୟବହାର କରାଯାଇଛି। ସେହିପରି ୧୪ ଓ ୧୫ ତାରିଖ ଦୁଇଦିନ ଧରି ଢେଙ୍କାନାଳ ଜିଲାରେ ହାତୀ ଗଣନା ହୋଇଛି। ହାତୀ ଗଣନା ପାଇଁ ଜିଲାର ୮ଜଣ ରେଞ୍ଜର, ଫରେଷ୍ଟ ଗାର୍ଡ, ଡେପୁଟି ରେଞ୍ଜର ଓ ଫରେଷ୍ଟର, ହାତୀ ସ୍କ୍ୱାଡ କର୍ମଚାରୀ, ଟ୍ରାକର ଆଦିଙ୍କୁ ନେଇ ୪୦୦ରୁ ଊର୍ଦ୍ଧ୍ବ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏଥିପାଇଁ ୪ଟି ରାତିଦୃଶ୍ୟ (ନାଇଟ୍‌ ଭିଜନ) ଡ୍ରୋନ ଲଗାଯାଇଥିଲା। ବାଇନାକୁଲାର ସହିତ ଲାଇଟ ଲାଗିଥିବା ସ୍ୱତନ୍ତ୍ର ଗାଡି ମଧ୍ୟ ବ୍ୟବସ୍ଥା ହୋଇଥିଲା। ଜିଲାରେ ୩୦୦ରୁ ଅଧିକ ହାତୀ ରହିଥିବା ବେଳେ କେବଳ ହିନ୍ଦୋଳ ରେଞ୍ଜରେ ୨୦୦ହାତୀ ଥିବା ଜଣାପଡ଼ିଛି। ଅନୁଗୋଳ, ଆଠମଲ୍ଲିକ, ବାଲିଗୁଡା, ବରଗଡ଼, ବାରିପଦା, ବ୍ରହ୍ମପୁର, କଟକ, ଜୟପୁର, କୋରାପୁଟ, ନୟାଗଡ଼, ନବରଙ୍ଗପୁର, ଖୋର୍ଦ୍ଧା, ଶିମିଳିପାଳ ଉତ୍ତର, ଶିମିଳିପାଳ ଦକ୍ଷିଣ ଆଦି ୪୮ଟି ବନଖଣ୍ଡରେ ହାତୀ ଗଣନା କରାଯାଉଛି। ହାତୀ ଗଣନା ପାଇଁ ବନଖଣ୍ଡ ରେଞ୍ଜଗୁଡିକରେ ୧୩୭୦ ମଞ୍ଚା ବନ୍ଧା ଯାଇଥିଲା। ହାତୀ ଗଣନା ପାଇଁ ୫ହଜାର ୭ଶହ ବନ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ୪ଶହରୁ ଅଧିକ ଥର୍ମାଲ କ୍ୟାମେରା ଏବଂ ଡ୍ରୋନ ବ୍ୟବହାର କରାଯାଇଛି। ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି, ଏହି ସମୟରେ ଛତିଶଗଡ଼ ଏବଂ ଝାଡ଼ଖଣ୍ଡରୁ ଧାନ ଖାଇବା ପାଇଁ ଓଡ଼ିଶାକୁ ହାତୀ ଆସିଥାନ୍ତି। କେତେ ପ୍ରବାସୀ ହାତୀ ଓଡ଼ିଶା ଆସୁଛନ୍ତି ତାହା ଜାଣିବା ପାଇଁ ପ୍ରଥମଥର ପାଇଁ ଶୀତଋତୁରେ ହାତୀ ଗଣନା କରାଯାଇଛି। ପ୍ରବାସୀ ହାତୀଙ୍କୁ ଛାଡ଼ି ଦେଲେ ରାଜ୍ୟରେ କେତେ ହାତୀ ରହୁଛନ୍ତି ଏହି ଗଣନାରୁ ସ୍ପଷ୍ଟ ହୋଇଯିବ। ଆଶା କରାଯାଉଛି ମେ’ ଗଣନା ଅପେକ୍ଷା ଏଥର ହାତୀ ସଂଖ୍ୟା ୫୦ ପର୍ଯ୍ୟନ୍ତ ବଢ଼ିପାରେ। ଚଳିତ ମାସ ୨୫ କିମ୍ବା ୨୬ତାରିଖ ସୁଦ୍ଧା ରିପୋର୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ସୂଚନାଯୋଗ୍ୟ, ଗତ ମେ’ ମାସରେ ହାତୀ ଗଣନା କରାଯାଇଥିଲା। ୫୧ଟି ବନଖଣ୍ଡରେ ୨୦୯୮ ହାତୀ ରହିଥିବା ଜଣାପଡ଼ିଥିଲା।

Comments are closed.