ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେଲେ ମଣିବାବା
ଆରଡି: ପବିତ୍ର ରାହାସପୂର୍ଣ୍ଣିମା ପାଇଁ ଶୁକ୍ରବାର ଦିନତମାମ ଉତ୍ସବମୁଖର ହୋଇଉଠିଥିଲା ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ମଣିବାବାଙ୍କ ଦୁର୍ଲଭ ହରଗୌରୀ ବେଶ ଓ ପଞ୍ଚାନନ ବେଶ ଦର୍ଶନ ପାଇଁ ରାଜ୍ୟର କୋଣ ଅନୁକୋଣରୁ ୩୦ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା ପୀଠରେ। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ଜିଲା ପୁଲିସ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଅନ୍ୟପଟେ ମଣିବାବାଙ୍କ ମନ୍ଦିରରେ ଦୈନନ୍ଦିନ ନୀତିନୀର୍ଘଣ୍ଟରେ ସାମାନ୍ୟ ପରିବର୍ତ୍ତନ କରାଯାଇ ଭୋର ୪ଟାରେ ଦ୍ବାରଫିଟା ନୀତି ସହ ସମସ୍ତ ନୀତିକାନ୍ତି ସହଳ କରାଯାଇଥିଲା। ଶ୍ରଦ୍ଧାଳମାନେ ଭୋର ୪ଟାରୁ ସାହଣମେଲା ଦର୍ଶନ କରିଥିଲେ।
ପବିତ୍ର ରାହାସପୂର୍ଣ୍ଣିମା ପାଇଁ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର ନୀତିକାନ୍ତି। ତାହାସହ ହଜାରହଜାର ଭକ୍ତଙ୍କ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିଲା ମନ୍ଦିର ପରିସର। ରାତ୍ର ୩ଟାରେ ଶ୍ରଦ୍ଧାଳୁମାନେ ପୂଣ୍ୟତୋୟା ଶିବଗଙ୍ଗା ପୁଷ୍କରିଣୀରେ ବୁଡ ପକାଇବା ସହିତ ଆ..କା..ମା..ବୈ.. ଧ୍ବନି ଦେଇ ବୋଇତ ଭସାଇଥିଲେ। ମଣିବାବାଙ୍କ ସମସ୍ତ ସକାଳ ନୀତିକାନ୍ତି ମଧ୍ୟାହ୍ନ ୧ଟା ସୁଦ୍ଧା ସରିବା ପରେ ପରମ୍ପରା ଅନୁଯାୟୀ ମଣିବାବାଙ୍କୁ କ୍ବିଣ୍ଟାଲ କ୍ବିଣ୍ଟାଲ ରୂପା ଅଳଙ୍କାରରେ ପଞ୍ଚାନନ ବେଶରେ ସଜ୍ଜିତ କରାଯାଇଥିଲା। ଏହି ବେଶ ଦେଖିବା ପାଇଁ ଭକ୍ତ ମାନେ ଧାଡିରେ ମନ୍ଦିର ମଧ୍ୟକୁ ଯାଇ ଦର୍ଶନ କରିଥିଲେ। ପରେ ଅପରାହ୍ଣ ୪ଟାରେ ମନ୍ଦିର ଗର୍ଭ ଗୃହକୁ ସୋଧନ କରାଯାଇ ମଣିବାବାଙ୍କୁ ଦୁର୍ଲଭ ହରଗୌରୀ ବେଶରେ ସଜ୍ଜିତ କରାଯାଇଥିଲା। ବର୍ଷର ଗୋଟିଏ ଦିନ ଯାହାକି ରାହାସପୂର୍ଣ୍ଣିମା ଦିନରେ ମାତା ପାର୍ବତୀ ମଣିବାବାଙ୍କ ସହ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ପବିତ୍ର କାର୍ତ୍ତିକମାସ ପଞ୍ଚକ ବ୍ରତରେ ଦେବଦମ୍ପତିଙ୍କ ଦର୍ଶନ କଲେ ବହୁ ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି। ସେହିପରି ଅଳାଁନବମୀଠାରୁ ମଣିବାବାଙ୍କ ମନ୍ଦିର ବେଢାରେ ଅନୁଷ୍ଠିତ ହେଉଥିବା ଭାଗବତ ସପ୍ତାହର ପୂର୍ଣ୍ଣ ଆହୁତି ଯଜ୍ଞ ଅନୁଷ୍ଠିତ ହୋଇଥିଲା। ପୀଠର ଶାନ୍ତିଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା ପାଇଁ ପୁଲିସ ପ୍ରଶାସନଙ୍କ ସହ ବାବା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକ ବିଜୟ କୁମାର ଦାଶଙ୍କ ତ୍ବତାବଧାନରେ ୪୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ରହି ସମସ୍ତ ପ୍ରକାରର ସହଯୋଗ କରିଥିଲେ।
Comments are closed.