ଦେହେରିପାଲି ଚୋରି ଘଟଣା – ୪ ବଞ୍ଜାରା ଗିରଫ, ସୁନାଗହଣା ଜବତ

ସମ୍ବଲପୁର: ଅଇଁଠାପାଲି ଥାନା ଅନ୍ତର୍ଗତ ଦେହେରିପାଲି ଠାରେ କିଛି ମହିଳା ଘର ଗୁଡିକ ମଧ୍ୟକୁ ପ୍ରବେଶ କରି ସୁନାଗହଣା ଚୋରି କରି ନେଇଥିଲେ। ଏଣୁ ଅଭିଯୋଗ ହେବାରୁ ଅଇଁଠାପାଲି ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏ ସମ୍ପର୍କରେ ସଦର ଏସଡିପିଓ ତୁଫାନ ବାଗ ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗତ ଶନିବାର ଦେହେରିପାଲି ଠାରେ ଭଡାରେ ରହୁଥିବା ଟିପିଡବ୍ଲ୍ୟୁଓଡିଏଲର ଇଞ୍ଜିନିୟର ଜ୍ୟୋତି ପ୍ରକାଶ ମହାନ୍ତି ସକାଳ ପ୍ରାୟ ୯ଟା ୪୦ରେ ଘରୁ କାମକୁ ଯାଇଥିବା ବେଳେ ତାଙ୍କର ପତ୍ନୀ ଶ୍ରଦ୍ଧାଞ୍ଜଳି ଘରେ ଏକୁଟିଆ ଥିଲେ। ସେ କପଡ଼ା ଶୁଖାଇବା ପାଇଁ ପ୍ରାୟ ୧୦ଟା ସମୟରେ ଘରର ଛାତକୁ ଯାଇଥିଲେ, ସେହି ସମୟରେ ସୁଯୋଗ ପାଇଁ ତାଙ୍କର ଘର ମଧ୍ୟକୁ କିଛି ଅଜଣା ଚୋର ପ୍ରବେଶ କରି ଆଲମିରାରୁ କିଛି ଟଙ୍କା ଓ ସୁନାଗହଣା ଚୋରି କରି ନେଇଥିଲେ। ଛାତ ଉପରୁ କପଡ଼ା ଶୁଖାଇ ଫେରିବା ପରେ ଦେଖିବାକୁ ପାଇଥିଲେ ଯେ, ଆଲମିରାର କବାଟ ଖୋଲା ରହିଥିଲା। ଏଣୁ ଶ୍ରଦ୍ଧାଞ୍ଜଳି ତୁରନ୍ତ ଘର ବାହାରକୁ ଚୋର ଚୋର ବୋଲି ପାଟି କରିବାରୁ ସ୍ଥାନୀୟ ଲୋକେ ତୁରନ୍ତ ୨ ଜଣ ମହିଳା ଓ ୨ ଜଣ ଛୁଆ ମାନଙ୍କୁ ଧରି ଥାନାକୁ ଅଭିଯୋଗ କରିଥିଲେ। ଏଣୁ ଥାନାଧିକାରୀ ଓ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ଧରା ପଡ଼ିଥିବା ମହିଳା ଓ ନାବାଳିକା ମାନେ ବଞ୍ଜାରା ବୋଲି ଜଣାପଡ଼ିଥିଲା ଏବଂ ସେମାନଙ୍କୁ ନେଇ ଥାନାକୁ ଆସିଥିଲେ। ସେମାନଙ୍କୁ ପଚରାଉଚୁରା ସମୟରେ ସେମାନେ ତଦନ୍ତରେ କୌଣସି ସହଯୋଗ କରି ନ ଥିଲେ ଏବଂ କିଛି କହି ନ ଥିଲେ। କିନ୍ତୁ ପୁଲିସ ପାଖରେ ଥିବା ବିଭିନ୍ନ ସୁରାକରୁ ଜଣାପଡ଼ିଥିଲା ଯେ, ସେମାନଙ୍କ ଜଣେ ବ୍ୟକ୍ତି କ୍ଷେତରାଜପୁର ଅଞ୍ଚଳରେ ବୁଲୁଥିବାର ଜାଣି ତୁରନ୍ତ ତାକୁ ଧରାଯାଇଥିଲା। ଏଣୁ ଏକ ଦଳ ଗଠନ କରାଯାଇ ଧରାପଡ଼ିଥିବା ବ୍ୟକ୍ତି ଓ ମହିଳା ମାନଙ୍କୁ ଜେରା କରିବା ପରେ ମିଳିଥିବା ସୁରାକ ଅନୁଯାୟୀ, ବିହାରରେ ସେମାନଙ୍କର ମୂଳ ଗ୍ରାମକୁ ଯାଇ ଯାଞ୍ଚ କରିଥିଲେ।

 

ସୂଚନାନୁଯାୟୀ, ରାଉରକେଲାରେ ଏ ମାନଙ୍କର ଅନ୍ୟ ଏକ ଦଳ ରହିଥିବାର ଜଣାପଡ଼ିଥିଲା। ରାଉରକେଲାରେ ଚଢ଼ଉ ସମୟରେ ଅନ୍ୟ ଚୋରକୁ ଧରାଯିବା ସହିତ ଚୋରି ହୋଇଥିବା ସୁନା ମାଳି, ମଙ୍ଗଳସୂତ୍ର, କାନ ଫୁଲ, ମୁଦି, ଚୂଡି, ରୂପାର ବିଭିନ୍ନ ଗହଣା ଆଦି ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ନବୀନ ଖେରୁଆଲ ଙ୍କ ୨ ପତ୍ନୀ ସୁଧା ଖେରୁଆଲ, ଅଞ୍ଜୁ ଖେରୁଆଲ ଙ୍କ ସହିତ ପରମାର ଖେରୁଆଲ ସମୁଦାୟ ୪ ଜଣଙ୍କୁ ଗିରଫ କରାଯାଇଛି। ଏଥି ସହ ଏହି ଘଟଣାରେ ସାମିଲ ଥିବା ୨ ଜଣ ନାବାଳିକାଙ୍କୁ ମଧ୍ୟ ଧରାଯାଇଛି। ସମସ୍ତଙ୍କୁ ଆଇନ ଅନୁଯାୟୀ ପ୍ରକ୍ରିୟା ପୂରଣ ପରେ ଅଦାଲତ ସମ୍ମୁଖରେ ମଙ୍ଗଳବାର ଉପସ୍ଥାପତି କରାଯାଇଛି ବୋଲି ସଦର ଏସଡିପିଓ ତୁଫାନ ବାଗ କହିଛନ୍ତି।

 

ସଦର ଏସଡିପିଓ ଶ୍ରୀ ବାଗ ଆହୁରୀ କହିଛନ୍ତି ଯେ, ଧରାପଡ଼ିଥିବା ବ୍ୟକ୍ତି ମାନେ ବଞ୍ଜାରା ଅଟନ୍ତି। ସେମାନେ ବିଭିନ୍ନ ସ୍ଥାନକୁ ଯାଇ ଭିକ ମାଗିବା ବାହାନାରେ ଘୂରି ବୁଲୁଥିବା ବେଳେ ଯେଉଁଠି କୌଣସି ଘର ଖାଲି ରହିଛି, କିମ୍ବା ଖୋଲା ରହିଛି, ତାହା ହେଲେ ତୁରନ୍ତ ଉକ୍ତ ଘରକୁ ଛୁଆ କିମ୍ବା ମହିଳା ମାନେ ପ୍ରବେଶ କରି ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଚୋରି କରି ଆଣୁଛନ୍ତି। ଚୋରି କରି ଆଣିବା ପରେ ଘର ବାହାରେ ଛିଡା ହୋଇଥିବା ସେମାନଙ୍କର ଗ୍ୟାଙ୍ଗର ଜଣେ ପରେ ଜଣେ ସଦସ୍ୟଙ୍କ ହାତରେ ଦେବା ପରେ ଶେଷରେ ରହିଥିବା ପୁରୁଷ ସଦସ୍ୟ ଚୋରି ସାମଗ୍ରୀ ଗୁଡିକୁ ଧରି ଚମ୍ପଟ ମାରିଥାଏ। ଧରାପଡ଼ିଥିବା ବ୍ୟକ୍ତି ମାନେ ବିହାର ରାଜ୍ୟର ବୋଲି ପ୍ରାଥମିକ ତଦନ୍ତରେ ଜଣାପଡ଼ିଥିବା ବେଳେ ସେମାନଙ୍କ ପ୍ରକୃତ ଠିକଣାର ଯାଞ୍ଚ ଚାଲିଛି ବୋଲି ସଦର ଏସଡିପିଓ ଶ୍ରୀ ବାଗ କହିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ଶନିବାର ଦିନ ଘଟିଥିବା ଏହି ଚୋରି ଘଟଣା ପରେ ତୁରନ୍ତ ସ୍ଥାନୀୟ ଲୋକେ ଚୋରି କରୁଥିବା ମହିଳା ଓ ନାବାଳିକା ମାନଙ୍କୁ ଧରିଥିବା ବେଳେ ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରୁ ସହରରେ ଚାଞ୍ଚଲ୍ୟ ଖେଳି ଯାଇଥିଲା ଏବଂ ଜନତାଙ୍କୁ ସୁରକ୍ଷିତ ପରିବେଶ ପ୍ରଦାନ ପାଇଁ ପୁଲିସ ଉପରେ ପ୍ରବଳ ଚାପ ବିଭିନ୍ନ ମହଲରୁ ପଡ଼ିଥିବା ବେଳେ ଆଜି ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ ପୁଲିସ କରିଛି।

Comments are closed.