ଓଡ଼ିଶାରେ ଖୋଲିବ ଏନ୍‌ଏସ୍‌ଡି ଶାଖା

ଭୁବନେଶ୍ୱର: ଓଡ଼ିଶା ନାଟ୍ୟ ଜଗତ ପାଇଁ ଆଉ ଏକ ଖୁସି ଖବର। ରାଜ୍ୟ ରାଜଧାନୀରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (ଏନ୍‌ଏସ୍‌ଡି)ର ଆଞ୍ଚଳିକ ଶାଖା। ଏନେଇ ରାଜ୍ୟ ସରକାର ବିଧିବଦ୍ଧ ଅନୁମତି ଦେଇଛନ୍ତି। ପ୍ରାରମ୍ଭରେ ଏହା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅସ୍ଥାୟୀ ଭାବେ କାର୍ଯ୍ୟ କରିବ। ରାଜ୍ୟ ସରକାର ସ୍ଥାନ ଚିହ୍ନଟ ପରେ ଏହାର ସ୍ବୟଂସମ୍ପୂର୍ଣ୍ଣ ଗୃହ ନିର୍ମାଣ କରାଯିବ। ସରକାର ଏଥିପାଇଁ ୫ ଏକର ଜମି ଯୋଗାଇଦେବେ। ସମ୍ଭବତଃ ଗୋଠପାଟଣାରେ ହେବା ନେଇ ଜଣାପଡ଼ିଛି। ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ରୂପରେଖ ପ୍ରସ୍ତୁତ କରାଯିବ। ସେହି ଆଧାରରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏନ୍‌ଏସ୍‌ଡିରେ ଅନେକ ଓଡ଼ିଆ ପାଠ ପଢ଼ି ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ହେବା ସହିତ ଅଭିନୟ ଯାଦୁ ପାଇଁ ଦର୍ଶକଙ୍କ ହୃଦୟରେ ରହିଛନ୍ତି। ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା ଓଡ଼ିଶାରେ ପ୍ରତିଷ୍ଠା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ସହ ଆଲୋଚନା କରି ଏଥିପାଇଁ ପ୍ରସ୍ତାବ ରଖିଥିଲେ। ସରକାରଙ୍କ ତରଫରୁ ଆଞ୍ଚଳିକ ଶାଖା ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିବା ପରେ ମନ୍ତ୍ରୀ ଶ୍ରୀ ସୂରଜ ଏହା ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ମତପ୍ରକାଶ କରିଛନ୍ତି। ଭୁବନେଶ୍ୱରରେ ପ୍ରତିଷ୍ଠା ହେବାକୁ ଥିବା ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା ନିଚ୍ଛକ୍‌ ଓଡ଼ିଆ ନାଟକ ପ୍ରଦର୍ଶନ, ଏହାର ପ୍ରଚାରପ୍ରସାର ଏବଂ ସମ୍ପ୍ରସାରଣ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ। ନାଟକ ଏବଂ ଅଭିନୟ କ୍ଷେତ୍ରରେ ଭବିଷ୍ୟତ ଗଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ, ଭୁବନେଶ୍ୱର ଆଞ୍ଚଳିକ ଶାଖା ସୁଯୋଗ ପ୍ରଦାନ କରିବ ବୋଲି ମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଏନ୍‌ଏସ୍‌ଡି ସହିତ ଚୁକ୍ତିନାମା କରାଯିବ। ଯୋଜନା ଆଧାରରେ ଏଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ବର୍ତ୍ତମାନ ଏହାର ଅଧ୍ୟକ୍ଷ ପରେଶ ରାୱଲ ଥିବାବେଳେ ଓଡ଼ିଶାର ଚିତ୍ତରଞ୍ଜନ ତ୍ରିପାଠୀ ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସୂଚନା ଅନୁସାରେ ଏନେଇ ରାଜ୍ୟ ସରକାର ୫ ଏକର ଜମି ଯୋଗାଇଦେବେ। ଏଠାରେ ମୋଟ ୨୮ ଆସନ ପାଇଁ ନିଷ୍ପତ୍ତି ହୋଇଛି। ଆସନ୍ତା ୨୫ରୁ ନାମଲେଖା ହେବ ବୋଲି ଜଣାପଡ଼ିଛି। ୫୦ ପ୍ରତିଶତ ଓଡ଼ିଶା ପାଇଁ ସଂରକ୍ଷିତ ରହୁ
ଓଡ଼ିଶାରେ ଏନଏସ୍‌ଡି ଶାଖା ଖୋଲିବା ନେଇ ସରକାରଙ୍କ ପକ୍ଷରୁ ଘୋଷଣା ପରେ ରାଜ୍ୟର ଅନେକ ନାଟ୍ୟାନୁଷ୍ଠାନ ତଥା ନାଟ୍ୟ ବ୍ୟକ୍ତିତ୍ବ ଏହାକୁ ସ୍ବାଗତ କରିଛନ୍ତି। ଏହାଦ୍ବାରା ଅଭିନୟ ତଥା କଳାକ୍ଷେତ୍ରରେ ରୁଚି ରଖିଥିବା ଛାତ୍ରଛାତ୍ରୀ ଉପକୃତ ହେବେ। ପ୍ରତିଷ୍ଠାନରେ ଓଡ଼ିଆ ପିଲାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରହୁ ବୋଲି ଦାବି ହୋଇଛି। ନାଟ୍ୟ ବ୍ୟକ୍ତିତ୍ବ ଧୀର ମଲ୍ଲିକ କହିଛନ୍ତି ଅନ୍ୟ ରାଜ୍ୟରେ ଏନ୍‌ଏସ୍‌ଡିର ଶାଖା ରହିଛି। ସେଠାରେ ଛାତ୍ରଛାତ୍ରୀଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଅଛି।

Comments are closed.