ଖାଲଖମାରେ ପରିଣତ ହୋଇଛି ପୁରୁଣା କଟକ-ସମ୍ବଲପୁର ରାସ୍ତା
ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ବେଖାତିର
ଗୁରୁଡିଝାଟିଆ: ପ୍ରଭୂ ଧବଳେଶ୍ୱରଙ୍କ ପଞ୍ଚକ ଓ ବଡଓଷା ଯାତ୍ରା ମୁଣ୍ଡଉପରେ। ହାତଗଣତି ୮/୯ ଦିନ ପରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ ପ୍ରଭୂଙ୍କ ପୀଠକୁ। ୧୨ ତାରିଖରେ ପ୍ରଭୂଙ୍କ ବଡଓଷା। ଏଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଦାଳୁମାନେ ବଡସିଂହାର ବେଶ ଓ ବଡଓଷା ବ୍ରତ ପାଳନ ପାଇଁ ଆସିଥାନ୍ତି। ହେଲେ ପୀଠକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ପୁରୁଣା କଟକ-ସମ୍ବଲପୁର ରାସ୍ତା ଏବେ ଖାଲଖମାରେ ପରିଣତ ହୋଇରହିଛି। ରାସ୍ତାର ଦୟନୀୟ ସ୍ଥିତିକୁ ଦେଖିଲେ ବାହାର ଜିଲ୍ଲାରୁ ଆସୁଥିବା ଶ୍ରଦ୍ଧାଳୁମାନେ କେବେ ବିଶ୍ୱାସ କରିବ ନାହିଁ। ପ୍ରଭୂ ଧବଳେଶ୍ୱରଙ୍କ ପୀଠକୁ ସଂଯୋଗ କରୁଥିବାର ରାସ୍ତା ଏପରି ବିପର୍ଯ୍ୟସ୍ତ ଓ ମଣଯନ୍ତାରେ ପାଲଟିଛି। ରାସ୍ତାର ବିଦ୍ୟାଧରପୁର, ନାରଙ୍ଗବସ୍ତ ଓ ମଞ୍ଚେଶ୍ୱରର ଧବଳେଶ୍ୱର ବିଦ୍ୟାପୀଠ ନିକଟରେ ରାସ୍ତାକୁ ଦେଖିଲେ ରାସ୍ତାର ସ୍ଥିତି ବେହାଲ ହୋଇପଡ଼ିଛି। ପାଦରେ ଚାଲିକରି ଯିବା ତ କଷ୍ଟକର। ଯାହାଦ୍ୱାରା କି ବିଦ୍ୟାର୍ଥୀ ଓ ବରିଷ୍ଠ ନାଗରିକମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି।
ଆସନ୍ନ ପ୍ରସବା ଓ ଗୁରୁତର ରୋଗୀ ବି ଏହି ରାସ୍ତାଦେଇ ଗଲାବେଳେ କେତେଯେ ଅସୁବିଧାର ସମ୍ମୁଖିନ ହେଉଥିବ ତାହା ଅନୁଭବି ହିଁ ଜାଣିପାରିବ। ଏହି ରାସ୍ତାଦେଇ ଦୈନିକ ଶତାଧିକ ଆମ୍ବୁଲାନ୍ସ ଅନୁଗୁଳ,ଢେଙ୍କାନାଳ ଓ ପଶ୍ଚିବ ଓଡିଶାରୁ ବହୁ ରୋଗୀ କଟକ ବଡମେଡିକାଲ ଓ ଭୂବନେଶ୍ୱରର ବିଭିନ୍ନ ଚିକିତ୍ସାଳୟକୁ ଯାଉଛନ୍ତି। ରାସ୍ତାର ଏଭଳି ସ୍ଥିତି ବିଗିଡିଯାଇଛି ଯେ କେବଳ ରୋଗୀମାନଙ୍କ ପାଇଁ ଭଗବାନ ହିଁ ଭରଷା। ପୁଣି ଏବେ ପ୍ରଭୂଙ୍କ ବଡଓଷା ଓ ପଞ୍ଚକ ଯାତ୍ରା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ପ୍ରଭୂଙ୍କୁ ଦର୍ଶନ ପାଇଁ ଧବଳେଶ୍ୱରକୁ ଆସିବେ। ଯାହାଦ୍ୱାରା ଶ୍ରଦ୍ଧାଳୁମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବେ। ରାସ୍ତାର ବିପର୍ଯ୍ୟସ୍ତ ଅବସ୍ଥାକୁ ଦେଖି ଏହାର ତୁରନ୍ତ ମରାମତି ନିମନ୍ତେ ପୀଠ ପରିସରରେ ପ୍ରଭୂ ଧବଳେଶ୍ୱରଙ୍କ ପଞ୍ଚକ ଓ ବଡଓଷାଯାତ୍ରା ପ୍ରସ୍ତୁତି ବୈଠକରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା।
ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନେ୍ଧ ଉପସ୍ଥିତ ରାସ୍ତା ଓ କୋଠାବାଡି ବିଭାଗୀୟ ଯନ୍ତ୍ରୀଙ୍କୁ ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୭ ଦିନ ଭିତରେ ମରାମତି କାର୍ଯ୍ୟ ସଂପନ୍ନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପ୍ରାୟ ମାସେ ହେଲାଣି ମରାମତି କାର୍ଯ୍ୟ କରିନାହାନ୍ତି। ଯାହା ଫଳରେ କି ଅସରାଏ ବର୍ଷାରେ ରାସ୍ତାରେ ହୋଇଥିବା ଗାଡଗୁଡିକରେ ପାଣି ଜମି ଗାଡିଚାଳକଙ୍କ ପାଇଁ ମରଣଯନ୍ତା ପାଲଟିଯାଏ। ବିଭଗୀୟ କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଏକ ପ୍ରକାର ହେୟଜ୍ଞାନ କରୁଥବା ସାଧାରଣରେ ଆଲୋଚିତ ହେଉଛି।
ସେମାନଙ୍କ ମୁହଁରୁ
ମାନସ ବସ୍ତିଆ (ସଭାପତି ଆଠଗଡ଼ ବିକାଶ ମଞ୍ଚ): ପୁରୁଣା କଟକ-ସମ୍ବଲପୁର ରାସ୍ତା ବ୍ୟସ୍ତବହୁଳ ଅଟେ। ବିଶେଷତଃ ମହାନଦୀ ଉପରେ ମଧୁସେତୁ ହେବା ଫଳରେ ଶହଶହ ଯାନବାହନ ଚଳାଚଳ କରୁଛି। ବିଶେଷତଃ ଏହା ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଜୀବନରେଖା ଅଟେ। ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ରାସ୍ତାର ମରାମତି କରିବା ପାଇଁ ଦାବି କରିଛନ୍ତି।
ନରେନ୍ଦ୍ର କୁମାର ପଣ୍ଡା(ସଂପାଦକ ଧବଳେଶ୍ୱର ପୂଜକ ସମିତି):ରାସ୍ତା ଓ କୋଠାବାଡି ବିଭାଗର ଅବହେଳା ଅତ୍ୟନ୍ତ ବେଦନାଦାୟକ। ପ୍ରଭୂ ଧବଳେଶ୍ୱର ଙ୍କ ପଞ୍ଚକ ଓ ବଡଓଷା ଯାତ୍ରା ମୁଣ୍ଡଉପରେ। ଲକ୍ଷାଧିକ ଶ୍ରଦ୍ଧାଳୁ ଏହି ରାସ୍ତାଦେଇ ଯାତାୟାତ କରିବେ। ବିଭାଗୀୟ କର୍ତ୍ତୃପକ୍ଷ ସପ୍ତାହକ ମଧ୍ୟରେ ମରାମତି ପାଇଁ ପ୍ରତିଶ୍ରୁତି ଦେଇ ଅବହେଳା ପ୍ରଦର୍ଶନ କରିବା ଅତ୍ୟନ୍ତ ନିନ୍ଦନୀୟ।
କିରଣ ବିହାରୀ ଖଟୁଆ (ସଭାପତି, ଧବଳେଶ୍ୱର ସେବା ସଂସ୍ଥା):ପୁରୁଣା କଟକ-ସମ୍ବଲପୁର ରାସ୍ତାଦେଇ ଶତାଧିକ ଆମ୍ବୁଲାନ୍ସ ଯାତାୟାତ କରୁଛି। ଅତି ଗୁରୁତର ରୋଗୀ ମଧ୍ୟ ଚିକିତ୍ସା ପାଇଁ ଯାଉଛନ୍ତି। ସାମାନ୍ୟତମ ବିଳମ୍ବ ହେଲେ ରୋଗୀର ଜୀବନ ପ୍ରତି ବିପଦ ରହିଛି। କିନ୍ତୁ ପରିତାପର ବିଷୟ ମଞ୍ଚେଶ୍ୱର ଓ ବିଦ୍ୟାଧରପୁର ଓ ନାରଙ୍ଗବସ୍ତ ଠାରେ ରାସ୍ତାର ସ୍ଥିତି ଯେପରି ବିପର୍ଯ୍ୟସ୍ତ, ଆମ୍ବୁଲାନ୍ସ ଚାଳକ ଅତି ସନ୍ତର୍ପଣରେ ଗାଡିଚାଇବାକୁ ବାଧ୍ୟ ହେବ। ଏହାବାଦ୍ ପ୍ରଭୂ ଧବଳେଶ୍ୱରଙ୍କ ପ୍ରସିଦ୍ଧ ପଞ୍ଚକ ଓ ବଡଓଷା ଯାତ୍ରା ହାତଗଣତି କେଇଦିନ ପରେ ପଡ଼ିବ। ହଜାର ହଜାର ଶ୍ରଦ୍ଧାଳୁ ଏହି ରାସ୍ତାଦେଇ ଯାତାୟାତ କରିବେ। କଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ରାସ୍ତା ମରାମତି କରୁନାହାନ୍ତି ତାହା ବୁଝାପଡୁନାହିଁ। ତୁରନ୍ତ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି କରିଛନ୍ତି ଶ୍ରୀ ଖଟଆ।
Comments are closed.