କୋଣାର୍କ : କୋଣାର୍କ ସୂର୍ଯ୍ୟମନ୍ଦିରରେ ଏବେ ନାନା ଅବ୍ୟବସ୍ଥା ସତ୍ତ୍ବେ ଖୋଲା ଆକାଶତଳେ ପର୍ଯ୍ୟଟକ ଆଲୋକ ଏବଂ ଶବ୍ଦ ଶୋ’ ଦେଖୁଛନ୍ତି। ଐତିହାସିକ କଥାବସ୍ତୁକୁ ନେଇ ମନ୍ଦିର ପ୍ରସ୍ତର ଉପରେ ସ୍ୱତନ୍ତ୍ର ଭାବେ ଆଲୋକ ଏବଂ ଶବ୍ଦ ଶୋ’ କରାଯାଉଥିବାବେଳେ ଏହା ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରୁଛି। ମନ୍ଦିର ସୁରକ୍ଷା ସଂରକ୍ଷଣ ଦାୟିତ୍ୱରେ ଥିବା କୋଣାର୍କ ପର୍ଯ୍ୟଟନ ବିଭାଗର ଅବହେଳା ଯୋଗୁଁ ପର୍ଯ୍ୟଟକମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି।
ବର୍ଷ ବର୍ଷ ଧରି ପର୍ଯ୍ୟଟକଙ୍କ ଲାଗି ସେଡ୍ ନିର୍ମାଣ କରାନଯିବାରୁ ସେମାନେ ବାହାରେ ବସି ଶୋ’ ଦେଖୁଛନ୍ତି। ବର୍ଷା ହେବା ମାତ୍ରେ ଶୋ’ ସମ୍ପୂର୍ଣ୍ଣ ବନ୍ଦ ରହୁଛି। ଆଗକୁ ଶୀତଋତୁ ଆସୁଥିବାରୁ ଲକ୍ଷାଧିକ ପର୍ଯ୍ୟଟକଙ୍କ ସମାଗମ ହେବ। ସେମାନେ ବାଧ୍ୟହୋଇ ଶୀତ କାକରରେ ବସି ଶୋ’ ଦେଖିବେ। ତେଣୁ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେଡ୍ ନିର୍ମାଣ କରିବାକୁ ଦାବି ହେଉଛି।
ଏନେଇ କୋଣାର୍କ ପର୍ଯ୍ୟଟନ ବିଭାଗ ଅଧିକାରୀ ଅମିୟ କୁମାର ସେଠୀ କହିଛନ୍ତି ଯେ, ଯେହେତୁ ମନ୍ଦିରଟି ଏଏସ୍ଆଇ ଅଧୀନରେ ଆସୁଛି, ଆମେ ଏହି ଅବ୍ୟବସ୍ଥା ସମ୍ପର୍କରେ ଚିଠି ଲେଖି ଅବଗତ କରିବୁ।



