ଆରକ୍ଷୀ ମହାନିର୍ଦ୍ଦେଶକଙ୍କ କନ୍ଧମାଳ ଓ ବୌଦ୍ଧ ଜିଲା ଗସ୍ତ, ମାଓବାଦୀଙ୍କ ବିରୋଧରେ ସ୍ବତନ୍ତ୍ର ରଣନୀତି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା

ଭୁବନେଶ୍ବର: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ  ଯୋଗେଶ ବାହାଦୁର ଖୁରାନିଆ ବୌଦ୍ଧ ଏବଂ କନ୍ଧମାଳ ଜିଲା ଗସ୍ତରେଯାଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇଥିଲେ। ଉଭୟ ଜିଲାରେ ଆଇନ ଓ ଶୃଙ୍ଖଳା ପରିସ୍ଥିତି, ମାଓବାଦୀ ସମସ୍ୟା, ଗଞ୍ଜେଇ ଚାଷ ଓ ଚୋରା ଚାଲାଣ, ଜିଲାରେ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି, ଅତୀତରେ ପୁଲିସ ବିଭାଗର ସଫଳତା ଏବଂ ଆଗାମୀ ଦିନରେ ଅପରାଧୀ ତଥା ମାଓବାଦୀଙ୍କ ବିରୋଧରେ ସ୍ବତନ୍ତ୍ର ରଣନୀତି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

ଆଜି ପୂର୍ବାହ୍ନରେ ବୌଦ୍ଧ ଜିଲା ପୁଲିସ ମୁଖ୍ୟାଳୟ ପରିସରରେ ଡିଜିପି ଶ୍ରୀ ଖୁରାନିଆଙ୍କ ଅଧ୍ୟକ୍ଷତାରେ ଜିଲାର ଅପରାଧ ସ୍ଥିତି ଏବଂ ନିୟନ୍ତ୍ରଣ ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଜିଲାର ଥାନାଧିକାରୀଙ୍କ ଠାରୁ ଆରମ୍ଭ କରି ଏସଡିପିଓ, ଅତିରିକ୍ତ ଏସପି ଏବଂ ମୁଖ୍ୟାଳୟ ପରିସରରେ ଥିବା ବିଭିନ୍ନ ବିଭାଗର ଅଧିକାରୀଗଣ ଉପସ୍ଥିତଥିଲେ ଓ ଡିଜିପି ସମସ୍ତ ବିଭାଗର ସମୀକ୍ଷା କରିବା ସହ ଜିଲାକୁ ନକ୍ସଲ ମୁକ୍ତ ତଥା ଗଞ୍ଜେଇମୁକ୍ତ କରିବାକୁ ସମସ୍ତ ଅଧିକାରୀଙ୍କୁ ଆହ୍ବାନ ଦେଇଥିଲେ। ଅତୀତରେ ମାଓବାଦୀ ମୁକାବିଲା କ୍ଷେତ୍ରରେ ଜିଲା ପୁଲିସ ସକ୍ରିୟ ଭୁମିକା ଗ୍ରହଣ କରିଥିଲା।

ଆଗାମୀ ଦିନରେ ଏହାକୁ ଆହୁରି ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ଡିଜିପି ମତବ୍ୟକ୍ତ କରିଥିଲେ। ଏତଦ ବ୍ୟତୀତ ଜିଲାରେ ନକ୍ସଲ ସମସ୍ୟାକୁ ପ୍ରତିହତ କରିବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଜିଲାରେ ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳକୁ ଚିହ୍ନଟ କରି ସମ୍ପୃକ୍ତ ଅଞ୍ଚଳକୁ ସଂପୂର୍ଣ୍ଣ ନଷ୍ଟ କରିବା ଉପରେ ଡିଜିପି ଗୁରୁତ୍ବାରୋପ କରିଥିଲେ। ଏହି ଅବସରରେ ଜିଲାରେ ଗଞ୍ଜେଇ ଚୋରା ଚାଲାଣ ଉପରେ ରୋକ ଲଗାଇବାକୁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ସେ ଏସଓଜି ଟିମ ଲିଡର, ଡିଭିଏଫ ଯବାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଗତକାଲି ଡିଜିପି ଶ୍ରୀ ଖୁରାନିଆ ଘଣ୍ଟପଡା ଥାନା ପରିଦର୍ଶନରେ ଯାଇଥିଲେ। ସେଠାରେ ଅବସ୍ଥାପିତ ଥିବା ବିଏସଏଫ ଯବାନ ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଡିଜିପି ଶ୍ରୀ ଖୁରାନିଆ କନ୍ଧମାଳ ଜିଲା ଗସ୍ତରେ ଯାଇଥିଲେ। ସେଠାରେ ବରଖମାସ୍ଥିତ ବିଏସଫ କ୍ୟାମ୍ପ ଏବଂ ସିନ୍ଧିପୋଙ୍କେଲସ୍ଥିତ ସିଆରପିଏଫ କ୍ୟାମ୍ପକୁ ପରିଦର୍ଶନ କରିବା ସହ ପରବର୍ତ୍ତୀ ସମୟରେ ଜିଲା ମୁଖ୍ୟାଳୟରେ ଏକ ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ।

ଡିଜିପିଙ୍କ ଏହି ଗସ୍ତ ସମୟରେ ଆଇଜି (ଅପରେସନ)  ଜୟ ନାରାୟଣ ପଙ୍କଜ, ଡିଆଇଜି (ଦକ୍ଷିଣାଞ୍ଚଳ) ସାର୍ଥକ ଷଡଙ୍ଗୀ, ଡିଆଇଜି (ଏସଆଇଡବ୍ଲୁ)  କନୱାର ବିଶାଲସିଂ, ଏସପି କଳାହାଣ୍ଡି ଅବିଲାଶ ଜି., ଏସପି (ବୌଦ୍ଧ)  ନାଗରାଜ ଦେବର କୋଣ୍ଡା, ଏସପି (କନ୍ଧମାଳ)  ହରିଶବି. ସି. ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.