ଖଲିଆପାଲି ମାଁ ସମଲେଶ୍ଵରୀଙ୍କ ଶାରଦୀୟ ଯାତ୍ରା ସମ୍ପନ୍ନ

ରେଙ୍ଗାଲିକ୍ୟାମ୍ପ: ବରଗଡ ଜିଲ୍ଲା ଅତାବିରା ବ୍ଲକ ଖଲିଆପାଲି ଗ୍ରାମରେ ସମ୍ପନ୍ନ ହୋଇଯାଇଛି ମାଁ ସମଲେଶ୍ଵରୀଙ୍କ ଶାରଦୀୟ ପୂଜା । ଆଶ୍ୱିନ ଶୁକ୍ଳପକ୍ଷ ଦ୍ଵାଦଶୀ ତିଥିରେ ଏହି ପୂଜା ପାଇଁ ପୂର୍ଣ୍ଣ କଳସ ସ୍ଥାପନ କରାଯାଇ ମାଁଙ୍କ ଷୋଡ଼ଶ ପୂଜା ସହ ବା ମୁଖ୍ୟ ପୂଜା ସହ ଚଣ୍ଡୀପାଠ କରାଯାଇଥିଲା। ଗାଆଁ ମଝିରେ ଥିବା ବହୁ ପୁରାତନ ବରଗଛ ତଳେ ମାଁଙ୍କ ଆସ୍ଥାନ କରାଯାଇ, ପୂଜା ମଣ୍ଡପକୁ ଆଲୋକର ତୋରଣ ମାଳାରେ ସୁସଜ୍ଜିତ କରି ମାଁ ସମଲେଶ୍ଵରୀଙ୍କୁ ପୂଜା କରାଯାଏ। ଦୀର୍ଘ ୨୯ ବର୍ଷ ଧରି ଏହି ପୂଜା ବହୁ ରୀତି ନୀତି ଅନୁଯାୟୀ କରାଯାଇ ଆସୁଅଛି। ଚଳିତ ବର୍ଷ ପ୍ରକାଶ ମିଶ୍ର ସପତ୍ନିକ କର୍ତ୍ତା ଦାୟିତ୍ୱରେ ରହିଥିଲେ। ବାବୁଲାଲ ପାଣ୍ଡିଆ, ଆଲୋକ ପଣ୍ଡିତ, ରତ୍ନାକର ଦେବତା ପ୍ରମୁଖ ପଣ୍ଡିତ ରୂପେ ବରଣ ହୋଇ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ସକାଳ ୮ଟାରୁ ପୂଜାକାର୍ଯ୍ୟ ଆରମ୍ଭ ହୋଇ ଚଣ୍ଡିହୋମ ଆରମ୍ଭ ହୋଇଥିଲା। ଅପରାହ୍ନ ୫ଟାରେ ପୂର୍ଣ୍ଣାହୁତି ଦିଆଯାଇ ଆରତୀ ହୋଇଥିଲା । ଏହି ଅବସରରେ ନିକଟସ୍ଥ ଭୂର୍ଶି ପାଲି ଗ୍ରାମରୁ ମଧ୍ୟ ମାଁ ପୀଠକୁ ପାହୁର ଭାର ପହଞ୍ଚିଥିଲା।
ସନ୍ଧ୍ୟା ୮ଟାରେ କର୍ତ୍ତାଙ୍କ ଘରୁ ଦୁଲୁଦୁଲି ବାଜା ସହ ପାହୁର ଭାର ଅଣାଯାଇ ଗ୍ରାମ ପରିକ୍ରମା କରି ମାଁଙ୍କ ପୀଠରେ ପହଞ୍ଚିଥିଲା। ଏହା ପରେ ମାଁ ସମଲେଶ୍ଵରୀଙ୍କ ବଡ଼ ପୂଜା ସହ ମହାଆରତୀ କରାଯାଇଥିଲା। ରାତିରେ ମନୋରଞ୍ଜନ ପାଇଁ ବାଲେଶ୍ଵରର ତାରିଣୀ ଗଣନାଟ୍ୟ ପରିବେଷଣ କରାଯାଇଥିଲା। ପରଦିନ ସକାଳୁ ମାଁଙ୍କର ଖଣ୍ଡାକୁ ଗ୍ରାମରେ ବୁଲାଯାଇ ଥାଏ। ପ୍ରତି ଘରେ ବଡ ଶ୍ରଦ୍ଧାର ସହ ମାଁ ସମଲେଶ୍ଵରୀଙ୍କ ଅସ୍ତ୍ରକୁ ତାଙ୍କର ପ୍ରତୀକ ରୂପେ ପୂଜା କରିଥାନ୍ତି। ଏହି ଯାତ୍ରାରେ ଆଖପାଖ ଅଞ୍ଚଳର ଲୋକଙ୍କ ବେଶ୍ ଭିଡ଼ ଜମିଥିଲା। ଦୁଇମାସ ପୂର୍ବରୁ ଏହି ପୂଜା ପାଇଁ ପ୍ରସ୍ତୁତି କରାଯାଇଥାଏ। ପୂଜା କମିଟିର ସଭାପତି ରାଜକୁମାର ଖୁଣ୍ଟୁଲା, ସମ୍ପାଦକ ଉର୍କୁଲୁ ସୁସାରି, ସଭ୍ୟ ନନ୍ଦିଘୋଷ ଦେବତା, ରାହାସ ବିହାରି ଦେବତା, ଲଳିତ ମୋହନ ଦେବତା, ହଜାରୁ ଦେବତା,ସଦାନନ୍ଦ ଦେବତା ,ସରୋଜ ସୁସାରି, ରାଧାବଲ୍ଲଭ ଦେବତା, ମହେନ୍ଦ୍ର ସୁଷାରି, ମୋହନ ଶୁସାରି, ମୋତିଲାଲ୍ ଦେବତା ଓ ଯାତ୍ରା କମିଟିର ସଭ୍ୟ, ଶମ୍ଭୁ ଭୋଇ, ଗଙ୍ଗାଜଳ ସେଠ୍, କିଶୋର ଦେବତା, ପ୍ରମୋଦ ରାଉତ, ବଳରାମ ଦେବତା ପ୍ରମୁଖ ତଥା ଗ୍ରାମବାସୀଙ୍କ ସହଯୋଗରେ ଏହି ଯାତ୍ରା ସୂଚାରୁ ରୂପେ ସମ୍ପନ୍ନ ହୋଇଛି। ସେହିପରି ଭାଲୁପାଲି, ପରମାନ ପୁର ଆଦି ଗ୍ରାମରେ ମଧ୍ୟ ଯାତ୍ରା ସମ୍ପନ୍ନ ହୋଇଯାଇଛି।

 

Comments are closed.