ସମାଜ ଡିଜିଟାଲ ଡେସ୍କ: ଜଣେ ୩ ବର୍ଷୀୟା ଛାତ୍ରୀଙ୍କୁ ବିଦ୍ୟାଳୟରେ ଯୌନ ନିର୍ଯାତନା ଦିଆଯାଇଛି। ବିଦ୍ୟାଳୟର ଜଣେ କର୍ମଚାରୀ ଏହି ଅମାନବୀୟ କାଣ୍ଡ ଘଟାଇଛନ୍ତି। ଉତ୍ତରପ୍ରଦେଶର ନୋଏଡ଼ାସ୍ଥିତ ଏକ ଜଣାଶୁଣା ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ମା’ ଏ ସମ୍ପର୍କରେ ନିକଟ ଥାନାରେ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି ଯେ, ଗତ ୪ ତାରିଖରେ ବିଦ୍ୟାଳୟର ଜଣେ କର୍ମଚାରୀ ତାଙ୍କ ଝିଅକୁ ମେଡିକାଲ ପ୍ରକୋଷ୍ଠକୁ ନେଇ କବାଟ ଭିତରପଟୁ ବନ୍ଦ କରି ଯୌନ ନିର୍ଯାତନା ଦେଇଥିଲା। ଝିଅ କାନ୍ଦିବାରୁ ଅନ୍ୟ ଜଣେ ମହିଳା କର୍ମଚାରୀ ଉକ୍ତ ପ୍ରକୋଷ୍ଠ ଆଡ଼କୁ ଆସିଥିଲେ। ଫଳରେ ଅଭିଯୁକ୍ତ କର୍ମଚାରୀ ଝରକା ବାଟେ ବାହାରକୁ ଚାଲିଯାଇଥିଲା। ସେଠାରୁ ଜଣେ ଶିକ୍ଷକ ଝିଅକୁ ଉଦ୍ଧାର କରି ଶ୍ରେଣୀଗୃହକୁ ନେଇଥିଲେ। ପରବର୍ତ୍ତୀ ସମୟରେ ଅକ୍ଟୋବର ୭ ତାରିଖରେ ଝିଅ ସ୍କୁଲ ଯିବାକୁ ମନା କରିଥିଲା। ଗୁପ୍ତାଙ୍ଗରେ ଯନ୍ତ୍ରଣା ହେଉଥିବାରୁ କୌଣସି ସଂକ୍ରମଣ ହୋଇଥିବା ଆଶଙ୍କାରେ ତା’କୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ପରୀକ୍ଷାନିରୀକ୍ଷା କରିବା ପରେ କୌଣସି ସଂକ୍ରମଣ ନ ଥିବା କହିଥିଲେ। କିନ୍ତୁ ଝିଅ ସହିତ ଦୁଷ୍କର୍ମ ହୋଇଥିବା ଡାକ୍ତର କହିଥିଲେ।
ଝିଅକୁ କାଉନସେଲିଂ କରାଯିବା ପରେ ସେ ସମସ୍ତ ଘଟଣା ବର୍ଣ୍ଣନା କରିଥିଲା। ବିଦ୍ୟାଳୟରେ ପିଲାଙ୍କୁ ଖାଦ୍ୟ ପରସୁଥିବା ଜଣେ କର୍ମଚାରୀ ଅକ୍ଟୋବର ୪ ତାରିଖରେ ତାଙ୍କ ସହିତ ଯାହା କରିଥିଲେ ତାହା କହିଥିଲେ। ଏହା ୨ୟ ଥର ଥିଲା ବୋଲି ମଧ୍ୟ ଝିଅଟି କହିଥିଲା। କିଛି ସପ୍ତାହ ପୂର୍ବେ ଉକ୍ତ ବ୍ୟକ୍ତି ତାଙ୍କ ସହିତ ଅନୁରୂପ ଘଟଣା ଘଟାଇଥିବା ଝିଅଟି କହିଥିଲା। ଏସବୁ ବିଷୟର ଝିଅ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ଜଣାଇଥିଲା। କିନ୍ତୁ ସେ ଘରେ ନ ଜଣାଇବାକୁ କହିଥିବା ଝିଅଟି କହିଛି। ଘଟଣା ବିଷୟରେ ଜାଣିବା ପରେ ପୀଡ଼ିତାଙ୍କ ମା’ ଉକ୍ତ ଶିକ୍ଷକଙ୍କୁ ପଚାରିବାରୁ ସେ ତାହାକୁ ଘୋଡ଼ାଇବାକୁ ଉଦ୍ୟମ କରିଥିଲେ। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।



