ଧାନ ମଣ୍ଡି ଜଗିବେ ମନ୍ତ୍ରୀ, ଧାନ କିଣାବେଳେ ସିଲ୍‌ ହେବ ପଡ଼ୋଶୀ ରାଜ୍ୟ ସୀମା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମିଲରେ ଆଉ କଟଣି ଛଟଣିର ସମ୍ମୁଖୀନ ହେବେ ନାହିଁ ଚାଷୀ। ଆଗରୁ ମଣ୍ଡିରେ ଥରେ ଏବଂ ମିଲରେ ଥରେ ଧାନର ମାନ ଯାଞ୍ଚ ହେଉଥିଲା; କିନ୍ତୁ ଏବେ ଥରେ ମାତ୍ର ଯାଞ୍ଚ ହେବ। ସେହିପରି ଧାନ ବିକ୍ରି ବେଳେ ସିଲ୍‌ ହେବ ପଡୋଶୀ ରାଜ୍ୟସୀମା। ବାହାର ରାଜ୍ୟର ଚାଷୀ ଓଡ଼ିଶାରେ ବିକି ପାରିବେନି ଧାନ। ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ରାଜ୍ୟର ସୀମାରେ ଯାଞ୍ଚ କଡାକଡି ହେବ। ବଡ କଥା ହେଲା, ଜିଲାପାଳ ବଢାଇ ପାରିବେ ଚାଷୀଙ୍କ ଟୋକନ ସୀମା। ସେଥିପାଇଁ ଜିଲାପାଳଙ୍କୁ କ୍ଷମତା ଦିଆଯିବ। ଆଉ ରାଜ୍ୟ ସରକାର ପାଖକୁ ପଠାଇ‌େ‌ବ ନାହିଁ, ବରଂ ଜିଲାସ୍ତରରେ ଏଥିପାଇଁ ନିଷ୍ପତ୍ତି ନେଇ ପାରିବେ ଜିଲାପାଳ। ବର୍ଷାରୁ ବର୍ତ୍ତିବାକୁ ମଣ୍ଡି ଗୁଡିକରେ ନିର୍ମାଣ ହେବ ଗୋଦାମ। ଚାଷୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯିବ। ମଣ୍ଡି ଗୁଡିକର ଆଧୁନୀକରଣ ପାଇଁ ୫୫୦ କୋଟି ଖର୍ଚ୍ଚ କରିବେ ସରକାର। ଚଳିତ ବର୍ଷ ଧାନ କିଣା ପାଇଁ ଜିଲା ଦାୟିତ୍ୱରେ ମନ୍ତ୍ରୀମାନେ ରହିବେ। ପ୍ରତି ମଣ୍ଡିରେ ରହିବେ ଜଣେ ଅଧିକୃତ ଅଧିକାରୀ। କିଛି ମଣ୍ଡିକୁ ନେଇ ଗୋଟିଏ ଗୋଟିଏ ଜୋନ ଗଠନ ହେବ। ପ୍ରତି ଜୋନରେ ଜଣେ ସୁପରଭାଇଜର ରହିବେ ଏବଂ ଇନପୁଟ ସବ୍‌ସିଡ ଆକାରରେ ୮୦୦ଟଙ୍କା ଅଧିକ ଦିଆଯିବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧାନ କ୍ରୟ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଲୋକସେବା ଭବନରେ ଚଳିତ ବର୍ଷ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ଧାନ ସଂଗ୍ରହରେ ହେଉଥିବା ଅନିୟମିତତା, ଦୁର୍ନୀତି ଓ ପ୍ରିୟାପ୍ରୀତିତୋଷଣ ଯେପରି ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ ତାହା ସୁନିଶ୍ଚିତ କରିବାକୁ ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ମୂଲ୍ୟ ଉପରେ ୮୦୦ ଟଙ୍କା ଅଧିକ ଦିଆଯାଉ ଥିବାରୁ ଚାଷୀଙ୍କ ଭିତରେ ଉତ୍ସାହ ରହିଛି, ତେଣୁ ଧାନ ସଂଗ୍ରହ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛ ହେବ ସେଥିପାଇଁ ପ୍ରତ୍ୟେକ ମନ୍ତ୍ରୀ ଗୋଟିଏ ବା ଦୁଇଟି ଜିଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିବେ। ପୁରା ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ସମ୍ପୃକ୍ତ ବିଭାଗ ଓ ଜିଲାପାଳମାନେ ସମନ୍ୱୟ ରଖି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମୁଦାୟ ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ ୮୩.୧୬ ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଚାଷୀ। ସେମାନେ ଯେପରି ବିନା ସମସ୍ୟାରେ ଧାନ ବିକ୍ରି କରିପାରିବେ ତାହା ସୁନିଶ୍ଚିତ କରିବା ଦାୟିତ୍ୱ ଜିଲାପାଳଙ୍କର। ଧାନ ସଂଗ୍ରହରେ କ୍ଷୁଦ୍ର ଚାଷୀଙ୍କୁ ପ୍ରାଥମିକତା ଦେବା ପାଇଁ ସେ ଜିଲାପାଳଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଟୋକନ୍‌ର ଅବଧି ସମ୍ପର୍କରେ କ୍ଷୁଦ୍ର ଚାଷୀଙ୍କୁ ସଚତେନ କରିବା ସହିତ ଆବଶ୍ୟକ ସ୍ଥଳେ ଜିଲାପାଳମାନେ ସେମାନଙ୍କ ଟୋକନ୍‌ର ଅବଧୀ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଧାନର କଟଣି-ଛଟଣି ବନ୍ଦ କରିବା ପାଇଁ ଚାଷୀମାନେ ଯେପରି କେବଳ ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିବେ ସେଥିପାଇଁ ବ୍ୟାପକ ସଚେତନତା କରିବା ଆବଶ୍ୟକ। ଧାନର ମାନ ନିର୍ଣ୍ଣୟରେ ମଣ୍ଡି ପରିଚାଳନା ଅଧିକାରୀଙ୍କୁ ଉତ୍ତରଦାୟୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲାପାଳଙ୍କୁ ନିର୍ଦେଶ ଦେଇଥିଲେ।
ମଣ୍ଡି ପରିଚାଳନା ପାଇଁ ପ୍ରତ୍ୟେକ ମଣ୍ଡିରେ ଜଣେ ଜଣେ ମଣ୍ଡି ପରିଚାଳନା ଅଧିକାରୀ ରହିବେ ଏବଂ ପ୍ରତ୍ୟେକ ଚାରି, ପାଞ୍ଚଟି ମଣ୍ଡିକୁ ନେଇ ଜଣେ ସୁପରଭାଇଜର ରହିବେ। ଗୋଟିଏ କେନ୍ଦ୍ରୀୟ ଡ୍ୟାସ ବୋର୍ଡ ଜରିଆରେ ମଣ୍ଡି କାର୍ଯ୍ୟକ୍ରମର ତଦାରଖ କରାଯିବ। ଓଡିଶାରେ ଧାନ ମୂଲ୍ୟ ବୃଦ୍ଧି ପାଇଥିବାରୁ ବାହାର ରାଜ୍ୟରୁ ଓଡିଶାକୁ ଧାନ ଆସିବାର ସମ୍ଭାବନା ରହିଛି, ତେଣୁ ଜିଲାପାଳମାନେ ସବୁ ସୀମାବର୍ତ୍ତୀ ଅଞ୍ଚଳରେ ପ୍ରବର୍ତ୍ତନକାରୀ ସ୍କ୍ବାଡ ନିୟୋଜନ ପାଇଁ ବ୍ୟବସ୍ଥା କରିଛନ୍ତି। ସିସିଟିଭି କିମ୍ବା ସ୍ମାର୍ଟ କ୍ୟାମେରା ମାଧ୍ୟମରେ ସୀମାବର୍ତ୍ତୀ ରାଜ୍ୟ ସହ ସଂଯୁକ୍ତ ମୁଖ୍ୟରାସ୍ତା ଗୁଡିକର ୨୪ ଘଣ୍ଟିଆ ତଦାରଖ କରାଯିବ। ଧାନର ମାନ ନିର୍ଣ୍ଣୟ କରିବା ପାଇଁ ୨୦୦ ଟି ବୃହତ୍ତ ମଣ୍ଡିରେ ଅଟୋମେଟିକ ଗ୍ରେନ ଆନାଲାଇଜର ବ୍ୟବସ୍ଥା କରାଯାଇଥିବା ବେଳେ ଛୋଟ ମଣ୍ଡିରେ ମାନୁଆଲ ଗ୍ରେନ ଆନାଲାଇଜର ବ୍ୟବସ୍ଥା ମଧ୍ୟ କରାଯିବ। ଧାନର ପରୀକ୍ଷା ନିରୀକ୍ଷା କରି ପ୍ରମାଣପତ୍ର ଦେବା ପାଇଁ ପ୍ରତ୍ୟେକ ଧାନ ସଂଗ୍ରହ କେନ୍ଦ୍ରରେ କ୍ବାଲିଟି ଆନାଲିଷ୍ଟ କ୍ବାଲିଟି ସୁପରଭାଇଜର ନିୟୋଜିତ ହେବେ।
ଏହି ବୈଠକରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଆଇନ, ଅବକାରୀ ଏବଂ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ସମେତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପୁଲିସ୍ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.