ଫେରୁଛି ମୌସୁମୀ-ଓଡ଼ିଶାରୁ ନେବ ବିଦାୟ

ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି। ୨ ଦିନ ମଧ୍ୟରେ ଏହା ଓଡ଼ିଶାର କିଛି ଭାଗରୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ବିହାରରୁ ମୌସୁମୀ ସମ୍ପୂର୍ଣ୍ଣ ଫେରିଯିବ।

ସେହିପରି ମହାରାଷ୍ଟ୍ର, ଛତିଶଗଡ଼ର ଆଉ କିଛି ଅଞ୍ଚଳ ଏବଂ ଓଡ଼ିଶା, ପଶ୍ଚିମବଙ୍ଗ ଓ ସିକ୍କିମର କିଛି ଅଞ୍ଚଳରୁ ବିଦାୟ ନେବ ମୌସୁମୀ। ପୂଜାରେ ମେଘୁଆ ପାଗ ସହ କାଁ ଭାଁ ବର୍ଷା ସମ୍ଭାବନା ରହିଛି। କିଛି ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ହାଲୁକା ବର୍ଷା ହୋଇପାରେ। ଆଗାମୀ ୬ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ ବିଶେଷ ନାହିଁ। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ ମୌସୁମୀ ଦୁର୍ବଳ ରହିଛି। ଆକାଶ ମେଘଶୂନ୍ୟ ରହିବା ସହ ତାପମାତ୍ରା ବୃଦ୍ଧି ପାଇଛି। କିଛି ସ୍ଥାନରେ ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରେକର୍ଡ ହୋଇଛି। ‌ବଙ୍ଗୋପସାଗରରେ ଏକ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ଆଗାମୀ ୫ରୁ ୬ ଦିନ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର ଜିଲାରେ ହାଲୁକା ବର୍ଷା ହୋଇପାରେ।

 

Comments are closed.