ବଢି ଚାଲିଛି ପୂଜା ବଜେଟ୍‌- ଅଧିକ ସୁନ୍ଦର କରିବା ପାଇଁ ବିଭିନ୍ନ ମଣ୍ଡପ ମଧ୍ୟରେ ପ୍ରତିଯୋଗିତା

କଟକ/ଭୁବନେଶ୍ବର : ପରମ୍ପରାକୁ ବଞ୍ଚାଇ ରଖିବା ସହ ଦଶହରା ପୂଜାକୁ ଅଧିକ ଆକର୍ଷଣୀୟ କରିବାକୁ ଚାଲିଛି ପ୍ରତିଯୋଗିତା। ପୁରାତନ ସହର କଟକ ଓ ରାଜଧାନୀ ଭୁବନେଶ୍ବରର ପୂଜା ମଣ୍ଡପଗୁଡ଼ିକ ଏମିତି ପ୍ରତିଯୋଗିତାରେ ମାତିଛନ୍ତି ଯେ ପ୍ରତିବର୍ଷ ପୂଜା ବଜେଟ ବଢ଼ି ବଢ଼ିଚାଲିଛି। ଦଶହରା ପୂଜା ପାଇଁ ପ୍ରସିଦ୍ଧ କଟକର ପୂଜା କମିଟିଗୁଡ଼ିକ ଖର୍ଚ୍ଚ ବଢ଼ାଇ ବଢ଼ାଇ ଏବେ ପ୍ରାୟ ୧୫୦କୋଟିରେ ପହଞ୍ଚାଇଲେଣି। ସେହିପରି ଭୁବନେଶ୍ବରରେ କମିଟିଗୁଡ଼ିକର ପୂଜା ବଜେଟ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି। ପୂଜା ତୁଳନାରେ ସାଜସଜ୍ଜା ଓ ମନୋରଞ୍ଜନ ବାବଦ ଖର୍ଚ୍ଚ ବଢ଼ୁଥିବା ପ୍ରକାଶ।

ବିଭିନ୍ନ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, କଟକରେ ପ୍ରତିବର୍ଷ ଚାନ୍ଦି ମେଢ଼ ସଂଖ୍ୟା ବୃଦ୍ଧି ପାଉଛି। ସୁନା ଏବଂ ତାରକସୀ କାରୁକାର୍ଯ୍ୟ ମେଢ଼କୁ ସୁନ୍ଦର କରିବାକୁ ସବୁ କମିଟିଗୁଡ଼ିକ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି। ତୋରଣ, ଲାଇଟ ଗେଟ, ସାଂସ୍କୃତିକ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ଭସାଣ ପର୍ଯ୍ୟନ୍ତ ସବୁଥିରେ ସ୍ବତନ୍ତ୍ର ବ୍ୟୟ ବରାଦ ହେଉଛି। ପୂର୍ବରୁ କେବଳ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା ହେଉଥିବାବେଳେ ଏବେ ସାଜସଜ୍ଜାକୁ ଅଧିକ ଗୁରୁତ୍ବ ଦିଆଗଲାଣି। କଟକ ସହରରେ ଚଳିତବର୍ଷ ବିଭିନ୍ନ କଟକଣା ଲାଗିଥିବା ସତ୍ତ୍ବେ ପୂଜା କମିଟିଙ୍କ ଦ୍ବାରା କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସହରରେ ଥିବ​‌ା ୧୭୩ଟି ମଣ୍ଡପରେ ଦଶହରା ପୂଜା ହେଉଛି। କେଉଁ ପୂଜା କମିଟି ଏଥର ୧୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରିଛନ୍ତି, ତ ଆଉ କିଏ ୧୫ ରୁ ୨୦ ଲକ୍ଷ ଟଙ୍କା ରଖିଛନ୍ତି। କିଛି ପୂଜା କମିଟି ସାଜସଜ୍ଜାକୁ ବାଦ୍‌ ଦେଇ କେବଳ ପୂଜାର୍ଚ୍ଚନା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେଉଛନ୍ତି। ଯେଉଁଥି ପାଇଁ ସେମାନେ ୩ରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ଖର୍ଚ୍ଚ କରୁଛନ୍ତି। ଏଭଳି ସ୍ଥିତିରେ ବିଗତ ବର୍ଷଗୁଡ଼ିକ ମଧ୍ୟରେ ଏଥର ସହରରେ ୍ଆନୁମାନିକ ୧୫୦ କୋଟିରୁ ଅଧିକ ଟଙ୍କା ଦଶହରାରେ ଖର୍ଚ୍ଚ କରାଯାଉଛି। ୩୪ଟି ଚାନ୍ଦିମେଢ ସହରରେ ହେଲାଣି। ସେଥିରୁ ତୁଳସୀପୁର ମଠ ସାହି ଏବଂ ରାମଗଡ଼ ନୂତନ ଭାବେ ଚାନ୍ଦିମେଢ଼ରେ ସାମିଲ ହୋଇଛନ୍ତି। ମେଢ଼ ବାବଦକୁ ରାମଗଡ଼ରେ ପ୍ରାୟ ଦୁଇ କ୍ବିଣ୍ଟାଲ ଚାନ୍ଦି ଲାଗିଥିବାବେଳେ ଏଥି ବାବଦକୁ ପ୍ରାୟ ଅଢ଼େଇ କୋଟି ଖର୍ଚ୍ଚ ହୋଇଛି। ତୁଳସୀପୁର ମଠସାହିରେ ୨ କ୍ବିଣ୍ଟାଲ ୪୦ କେଜି ଚାନ୍ଦିରେ ମେଢ଼ ତିଆରି ହୋଇଥିବାବେଳେ
ଏ ବାବଦକୁ ୧କୋଟିରୁ ଅଧିକ ଟଙ୍କା ବ୍ୟୟ ହୋଇଛି। ଏଥର ପୂଜାରେ ଲାଇଟ ଗେଟ ଆକର୍ଷଣର କେନ୍ଦ୍ର ପାଲଟିଥିବାବେଳେ ଏହି ବାବଦକୁ ଅଧିକାଂଶ ପୂଜା କମିଟିଗୁଡ଼ିକ ପ୍ରାୟ ୬ରୁ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ତୋରଣ ଏବଂ ଲାଇଟ୍‌ଗୁଡ଼ିକ ରାଜ୍ୟ ବାହାରୁ ଆସୁଛି। ବିଶେଷ କରି କଲକାତା, ବେଙ୍ଗାଲୁରୁ, ଆନ୍ଧ୍ରପ୍ରଦେଶର କାରିଗରମାନେ ଏହି କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ସେହିଭଳି ଭସାଣରେ ମଧ୍ୟ ରାଜ୍ୟ ବାହାର ବ୍ୟାଣ୍ଡ ଆସୁଛନ୍ତି। ସେଥିପାଇଁ ମଧ୍ୟ ଅଧିକ ଖର୍ଚ୍ଚ କରାଯାଇଛି। ଏହି ସବୁକୁ ମିଶାଇଲେ କଟକ ସହରରେ ପ୍ରାୟ ୧୪୦ କୋଟିରୁ ୧୫୦ କୋଟି ମଧ୍ୟରେ ଖର୍ଚ୍ଚ ହେଉଛି।
ସେହିପରି ରାଜଧାନୀରେ କିଛି ବର୍ଷ ଧରି ପ୍ରତିଯୋଗିତାମୂଳକ ଭାବେ ପୂଜା ଆୟୋଜନ ହେଉଛି। ବିଭିନ୍ନ ପୂଜା କମିଟି ତୋରଣ, ଆଲୋକ ସାଜସଜ୍ଜା ଦିଗରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏଥିପାଇଁ ପୂଜା ବଜେଟ୍‌ ବଢ଼ି ଚାଲିଥିବା ବିଭିନ୍ନ କମିଟିର କର୍ମକର୍ତ୍ତା ମତ ଦେଇଛନ୍ତି। ସେମାନଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ଝାରପଡ଼ା ପୂଜା କମିଟି ପ୍ରାୟ ୭୦ ଲକ୍ଷ, ପଳାଶୁଣି ୩୦ରୁ ୩୫ ଲକ୍ଷ, ଚକେଇସିହାଣି ୩୦ରୁ ୩୫ ଲକ୍ଷ, ରସୁଲଗଡ଼ ୫୦ରୁ ୬୦ ଲକ୍ଷ, ସହିଦନଗର ୯୦ ଲକ୍ଷ, ଭିଏସ୍ଏସ୍ ନଗର ୧୫ରୁ ୨୦ ଲକ୍ଷ, ନୂଆପଲ୍ଲୀ ୩୫ରୁ ୪୦ ଲକ୍ଷ, କଟକରୋଡ଼ ୩୦ରୁ ୩୫ ଲକ୍ଷ ଏବଂ ପୁରୁଣ‌ା ଷ୍ଟେସନ ବଜାରରେ ୭୦ରୁ ୮୦ ଲକ୍ଷ ଟଙ୍କା ପୂଜା ଆୟୋଜନରେ ବ୍ୟୟ କରାଯାଇଥିବା ଜଣାପଡ଼ିଛି। ଅନ୍ୟ କମିଟିଗୁଡ଼ିକ ବି ଅର୍ଥ ଖର୍ଚ୍ଚ‌ରେ ପଛରେ ପଡ଼ି ନାହାନ୍ତି। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ସହରର ପୂଜା ବଜେଟ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇଛି। ଏଥର ରଙ୍ଗିନ ଆଲୋକରେ ସଜ୍ଜିତ ଗେଟ୍‌ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ପ୍ରାୟ ସମସ୍ତ କମିଟି ଏହାକୁ ଗୁରୁତ୍ବ ଦେଇଛନ୍ତି। ଫଳରେ ଏ ଦିଗରେ ବହୁଳ ଅର୍ଥ ଖର୍ଚ୍ଚ ହୋଇଥିବା କୁହାଯାଉଛି।

Comments are closed.