ଶିକ୍ଷାଦାନକୁ ‘ଆନନ୍ଦମୟ’ କରନ୍ତୁ-ମୁଖ୍ୟମନ୍ତ୍ରୀ

ନିଯୁକ୍ତି ସମାରୋହ: ପ୍ରାଥମିକ ସ୍ତରରେ ୧୬ ହଜାର ୯ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ନବ ନିଯୁକ୍ତ ୧୬ ହଜାର ୯ଜଣ କନିଷ୍ଠ ଶିକ୍ଷକ ମାନଙ୍କ ପାଇଁ ନିଯୁକ୍ତି ସମାରୋହ ଓ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ନବ ନିଯୁକ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୁରୁଙ୍କୁ ଏକ ସ୍ଵତନ୍ତ୍ର ସ୍ଥାନ ଦିଆଯାଇଥାଏ। ଆଜିର ଶିକ୍ଷା ବ୍ୟବସ୍ଥାରେ ପ୍ରାଚୀନ ଗୁରୁକୁଳ ପରମ୍ପରା ଆଉ ନାହିଁ, ଆମର ଶିକ୍ଷା ବ୍ୟବସ୍ଥା ଆଧୁନିକତାକୁ ଆପଣାଇଛି। କିନ୍ତୁ, ଏହା ଅନସ୍ଵୀକାର୍ଯ୍ୟ ଯେ ଆଜି ମଧ୍ୟ ମାନବ ଜୀବନକୁ ଗଢି ତୋଳିବାରେ ଶିକ୍ଷକ ହିଁ ସବୁଠାରୁ ବଡ ଭୂମିକା ତୁଲାଇଥାନ୍ତି।

ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନେ ନିଜ ଜୀବନର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛନ୍ତି। କଞ୍ଚାମାଟିକୁ ନିଜ ହାତର ସ୍ପର୍ଶ ଦେଇ କୁମ୍ଭାର ଯେମିତି ସୁନ୍ଦର କୃତି ନିର୍ମାଣ କରିଥାଏ, ଠିକ ସେହିପରି, ଏକ ନିଷ୍ପାପ ଶିଶୁକୁ ଦାୟିତ୍ଵସମ୍ପନ୍ନ ତଥା ଜ୍ଞାନୀ ଗୁଣୀ ଭାବେ ଗଢି ତୋଳିବାର ଗୁରୁଦ୍ୱାୟିତ୍ଵ ଆପଣମାନଙ୍କ କାନ୍ଧରେ ରହିଛି।

ସେ ଆହୁରି ମଧ୍ୟ କହିଥିଲେ ଯେ ଆପଣମାନେ ସମସ୍ତେ ନିଜ ଯୋଗ୍ୟତା ବଳରେ ଶିକ୍ଷକତା ପଦ ହାସଲ କରିଛନ୍ତି। ଆଜି ଠାରୁ ଆପଣମାନେ କେବଳ ଜଣେ ଜଣେ ସରକାରୀ ଚାକିରିଆ ନୁହନ୍ତି, ଆପଣମାନେ ପ୍ରତ୍ୟେକ ହେଉଛନ୍ତି ଜଣେ ଜଣେ ମଣିଷ ଗଢା ଶିଳ୍ପୀ। ଶିକ୍ଷକତା ହେଉଛି ଏ ଦୁନିଆରେ ସବୁଠୁ ମହତ କାର୍ଯ୍ୟ, ସବୁଠାରୁ ସମ୍ମାନସ୍ପଦ ବୃତ୍ତି। ଆଜି ସେହି ମହତ କାର୍ଯ୍ୟ କରିବାକୁ ଆପଣମାନେ ସବୁ ଯୋଗ୍ୟ ହୋଇଥିବାରୁ ମୁଁ ଆପଣ ମାନଙ୍କୁ ଅଭିନନ୍ଦନ ଜଣାଉଛି।

ଏ ସମାଜରେ ଆପଣମାନେ ଅଗ୍ରପୂଜ୍ୟ। ଜଣେ ବ୍ୟକ୍ତି ପାଇଁ ଜୀବନରେ ନିଜ ବାପମା’ଙ୍କ ବ୍ୟତିତ ଯଦି ଅନ୍ୟ କେହି ପ୍ରାତଃ ସ୍ମରଣୀୟ ହୋଇଥାଏ ସେ ହେଉଛନ୍ତି ତାଙ୍କର ଗୁରୁ ଓ ଶିକ୍ଷକ। ବାପା ମା ଜନ୍ମ ଦେଇଥାନ୍ତି, ହେଲେ ତାକୁ ଶିକ୍ଷା ଓ ସଂସ୍କାରର ଦୀକ୍ଷାରେ ମଣ୍ଡିତ କରିଥାନ୍ତି ଗୁରୁମାନେ। ତାହା କରିବାକୁ ଗୁରୁମାନେ ଯେଉଁ ତ୍ୟାଗ କରିଥାନ୍ତି ତାର ପଟାନ୍ତର ନାହିଁ। ଏ ଗୁରୁଦାୟିତ୍ଵ ମୁଣ୍ଡାଇବାକୁ ଯାଉଥିବା ଆପଣ ସମସ୍ତଙ୍କୁ ମୁଁ ପ୍ରଣାମ କରୁଛି ଏବଂ ଆପଣମାନେ ଆରମ୍ଭ କରିବାକୁ ଯାଉଥିବା ପବିତ୍ର ଶିକ୍ଷକତା ରୂପକ ଯଜ୍ଞର ଶୁଭ କାମନା କରୁଛି।

ସେ କହିଥିଲେ ଯେ ଯେଉଁ ଦେଶର ଶିକ୍ଷା ବ୍ୟବସ୍ଥା ଯେତେ ସୁଦୃଢ, ସେ ଦେଶର ସର୍ବାଙ୍ଗୀନ ଉନ୍ନତି ସେତେ ପ୍ରଖର । ତେଣୁ ସେହି ସତକୁ ଆଖି ଆଗରେ ରଖି ଆଜି ଆମ ସରକାର ଆପଣ ସମସ୍ତଙ୍କୁ, ଆମ ରାଜ୍ୟ ଓଡ଼ିଶାର ଭବିଷ୍ୟତକୁ ଗଢ଼ିବାର ଏବଂ ରୂପ ଦେବାର ଗୁରୁଦାୟିତ୍ଵ ଅର୍ପଣ କରିବାକୁ ଯାଉଛି।

ଆମ ସରକାର ସଦାସର୍ବଦା କାମରେ ହିଁ ବିଶ୍ବାସ କରିଥାଏ। ଶିକ୍ଷାର ଉନ୍ନତିରେ ଦେଶର ଉନ୍ନତି । ଆଜିର ସରକାର ୧୦୦ ଦିନର ପୁର୍ତ୍ତି ଅବସରରେ ଶିକ୍ଷା ବିଭାଗ ପାଇଁ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଆଣିଛନ୍ତି । ପୂର୍ବ ସରକାର ୫-ଟି ସ୍କୁଲ ରୂପାନ୍ତରଣ ନାମରେ ଉଚ୍ଚ ବିଦ୍ୟାଳୟ ଗୁଡିକରେ ଅଯଥା ଅର୍ଥ ଖର୍ଚ୍ଚ କରିଚାଲିଲେ।

କିନ୍ତୁ ପ୍ରାଥମିକ ଶିକ୍ଷା ଉପରେ ଧ୍ୟାନ ଦେଲେ ନାହିଁ। ମୂଳରୁ ପିଲା ଦୁର୍ବଳ ହେଲେ ଉଚ୍ଚ ଶ୍ରେଣୀରେ ପାଠ ପଢିବାକୁ କଣ ଯୋଗ୍ୟ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିପାଇଁ ପ୍ରାଥମିକ ସ୍ତରରୁ ପିଲାଙ୍କୁ ଶିକ୍ଷାକ୍ଷେତ୍ରରେ ମଜବୁତ କରିବା ପାଇଁ ଆମ ସରକାର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା, ଡ୍ରପଆଉଟ୍ ହାରକୁ କମାଇବା ପାଇଁ ମାଧୋସିଂ ହାତଖର୍ଚ୍ଚ ଯୋଜନାରେ ୫ହଜାର ଟଙ୍କାର ସହାୟତା, ନିପୁଣ ଓଡିଶା ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରିବେ ।

ସେ ପୁଣି କହିଥିଲେ ଯେ, ଯେଉଁ ରାଷ୍ଟ୍ରର ଶିକ୍ଷକମାନେ ସଂସ୍କାରକ, ନିଷ୍ଠାପର, ପରିଶ୍ରମୀ, ଉଦ୍ୟମୀ ସେ ରାଷ୍ଟ୍ର ଶିକ୍ଷାକ୍ଷେତ୍ରରେ ସେତିକି ସୁଦୃଢ ଓ ପ୍ରଗତିଶୀଳ । ଆମ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ସଦାସର୍ବଦା ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ପ୍ରତିଶୃତିବଦ୍ଧ । ବିକଶିତ ରାଷ୍ଟ୍ର ନିର୍ମାଣରେ ଶିକ୍ଷକ-ଶିକ୍ଷୟିତ୍ରୀମାନେ ହେଉଛନ୍ତି ଜଣେ ଜଣେ ପଥ ପ୍ରଦର୍ଶକ । ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଲାଭ ପାଇଁ ତଥା ଅନୁକୂଳ ପରିବେଶ ଓ ଗୁଣାତ୍ମକ ଶିକ୍ଷା ନିମନ୍ତେ ପିଏମ୍ ଶ୍ରୀ ଯୋଜନାର ଶୁଭାରମ୍ଭ କରାଯାଇଛି।

ମୁଖ୍ୟମନ୍ତ୍ରୀ ନୂତନ ଭାବରେ ଯୋଗଦେଇଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ କହିଥିଲେ ଯେ ସେମାନେ ସଦାସର୍ବଦା ପିଲାମାନଙ୍କ ମଧ୍ୟରେ ସ୍ବପ୍ନ ଦେଖିବା ପାଇଁ ସୁଯୋଗ ସୃଷ୍ଟି କରନ୍ତୁ । ସେହି ସ୍ବପ୍ନକୁ ସାକାର କରିବା ପାଇଁ ବିଦ୍ୟାଳୟରେ ଆପ୍ରାଣ ଉଦ୍ୟମ ଜାରି ରଖନ୍ତୁ । ଓଡିଶାର ଭାଗ୍ୟ ଉଦୟ ହେଉ ବିଦ୍ୟାଳୟର ଚାରିକାନ୍ଥ ମଧ୍ୟରେ । ଆପଣମାନେ ନିଜକୁ ସମୟର ସହ ତାଳ ଦେଇ ସମୟାନୁବର୍ତ୍ତିତା, କର୍ମଯୋଗୀ, ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ଏକ ଉତ୍ତମ ଛାତ୍ରର ସ୍ବପ୍ନକୁ ପୂରଣ କରିବାରେ ସହାୟକ ହୁଅନ୍ତୁ ।

ସେ ଆହୁରି ମଧ୍ୟ ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ୫ଟି ପରାମର୍ଶ ଦେଇ କହିଥିଲେ ଯେ ଶିକ୍ଷକତାକୁ ପେଶା ନୁହେଁ, ନିଶା ଭାବେ ଗ୍ରହଣ କରନ୍ତୁ। ତାହେଲେ ଆପଣ ଶିକ୍ଷକତା ଜୀବନର ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିବା ସହିତ ଶିକ୍ଷାଦାନକୁ ମଧ୍ୟ ଆନନ୍ଦମୟ କରିପାରିବେ।

ସେହିପରି ଗୋଟିଏ ଶିଶୁ ନିଜ ବାପା ମା’ଙ୍କ ପରେ ସବୁଠାରୁ ବେଶୀ ସମୟ ଅତିବାହିତ କରିଥାଏ ଶିକ୍ଷକଙ୍କ ସହିତ। ତେଣୁ ସବୁବେଳେ ଚେଷ୍ଟା କରିବେ ଯେ ଶିଶୁଟି ଯେପରି ଆପଣଙ୍କ ସାନ୍ନିଧ୍ୟରେ ନିଜକୁ ସୁରକ୍ଷିତ ମନେ କରିବ। କିଛି ଶିକ୍ଷକ ଶିକ୍ଷୟତ୍ରୀ ନିଜକୁ ଜଣେ ଜଣେ ‘କଡା’ ଶିକ୍ଷକ ବା ଶିକ୍ଷୟତ୍ରୀଭାବେ ଗଢି ତୋଳିବାକୁ ଚାହାନ୍ତି। ମୋର ଅନୁରୋଧ, ସେଥିରୁ କ୍ଷାନ୍ତ ରୁହନ୍ତୁ।

ଶିକ୍ଷାଦାନକୁ ‘ଆନନ୍ଦମୟ’ କରନ୍ତୁ। ଆପଣମାନେ ‘ଶିକ୍ଷାଦାନ କୌଶଳ’ ଏବଂ ‘ଆନନ୍ଦମୟ ଶିକ୍ଷା’ ବିଷୟରେ ପ୍ରଶିକ୍ଷଣ ଗ୍ରହଣ କରିବେ। ଆପଣମାନେ ଜାଣିଛନ୍ତି, ଆଜିକାଲି ଆଉ କର୍ପୋରାଲ୍‌ ଦଣ୍ଡ ବିଧାନ ସ୍କୁଲରେ ନାହିଁ। ତେଣୁ, ଏଥିପ୍ରତି ଧ୍ୟାନ ଦେବେ ଏବଂ ମୁଁ ଯେପରି ଆଗରୁ କହିଛି ଯେ ବିଦ୍ୟାର୍ଥୀ ଆପଣଙ୍କୁ ବନ୍ଧୁ ଭାବେ ଭାବିବା ଆବଶ୍ୟକ।

ବିଦ୍ୟାଦାନ ସମୟରେ ଆଧୁନିକ ଜ୍ଞାନ କୌଶଳକୁ ବ୍ୟବହାର କରନ୍ତୁ। ଗତ ଦୁଇ ଦଶନ୍ଧିରେ ବିଦ୍ୟାଦାନ ପଦ୍ଧତିରେ ଅନେକ ପରିବର୍ତ୍ତନ ଆସିଛି, ଏହି ସବୁ କୌଶଳ ଆଜି କାଲି ବହୁ ସହଜରେ ଉପଲବ୍‌ଧ। ତାକୁ ବହୁଳ ଭାବେ ଆଦୃତ କରି ଶିକ୍ଷାଦାନରେ ବ୍ୟବହାର କରନ୍ତୁ।

ଆପଣମାନେ ଶିକ୍ଷକତାକୁ ନେଇ ଗର୍ବ ଅନୁଭବ କରନ୍ତୁ। କାରଣ ଆଜି ପ୍ରତ୍ୟେକ ଡାକ୍ତର, ପ୍ରତ୍ୟେକ ଇଞ୍ଜିନିୟର, ପ୍ରତ୍ୟେକ ବ୍ୟବସାୟୀ, ପ୍ରତ୍ୟେକ ଶିଲ୍ପପତି, ପ୍ରତ୍ୟେକ ରାଜନେତା, କୌଣସି ନା କୌଣସି ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରିଛନ୍ତି, ଏବଂ ସମସ୍ତଙ୍କ ଜୀବନରେ କୌଣସି ନା କୌଣସି ଶିକ୍ଷକ ଗଭୀର ଭାବେ ନିଜର ପ୍ରଭାବ ପକାଇଥିବେ। ଆପଣ ସେହି ପ୍ରଭାବୀ ଶିକ୍ଷକ ହେବାକୁ ଚେଷ୍ଟା କରନ୍ତୁ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଆଜି ଆପଣ ମାନେ ଏକ ଗୁରୁ ଦାୟିତ୍ବ ବହନ କରିବାକୁ ଯାଉଛନ୍ତି। ପ୍ରାରମ୍ଭିକ ଶିକ୍ଷା ହିଁ ପିଲାଙ୍କୁ ଦିଗବିଜୟୀ ହେବା ପାଇଁ ଗଢି ତୋଳିଥାଏ। ଓଡିଶାରେ ପ୍ରାୟ ୭୬ ଲକ୍ଷ ୪୯ ହଜାର ପିଲା ବିଦ୍ୟାଳୟରେ ପଢୁଛନ୍ତି। ସେମାନଙ୍କୁ ଶିକ୍ଷିତ ଓ ନିର୍ଭିକ କରି ଗଢି ତୋଳିବାର ଦାୟିତ୍ବ ଆପଣ ମାନଙ୍କ ଉପରେ। ୨୦୩୬ ମସିହା ବେଳକୁ ବିକଶିତ ଓଡିଶାର ଗଠନର ଲକ୍ଷ୍ୟ ରହିଛି।

ଆଜି ଯେଉଁ ପିଲା ୧୨-୧୩ ବର୍ଷ ବୟସରେ ଅଛି ସେତେବେଳକୁ ତାର ଯୁବବସ୍ଥା ହୋଇଥିବ। ଆପଣ ମାନଙ୍କ ନିଷ୍ଠାପର ଉଦ୍ୟମରେ ତାର ଆତ୍ମ ବିଶ୍ବାସ ମଧ୍ୟ ବୃଦ୍ଧି ହୋଇଥିବ। ଆପଣମାନେ ହେଉଛନ୍ତି ସେ ପିଲାମାନଙ୍କ ପାଇଁ ଗୁରୁ ଦ୍ରୋଣାଚାର୍ଯ୍ୟ। ଓଡିଶାରେ ଧନୀ ଲୋକ ନାହାନ୍ତି କିନ୍ତୁ ଜ୍ଞାନୀ ଲୋକଙ୍କ ଅଭାନ ନାହିଁ। ଆଗାମୀ ଦିନରେ ଜ୍ଞାନ ଆଧାରିତ ବିକଶିତ ଭାରତର ମୂଳ କେନ୍ଦ୍ର ହେବେ ଶିକ୍ଷକସମାଜ।

ଅନ୍ୟତମ ଅତିଥି ଭାବେ ରାଜ୍ୟର ବିଦ୍ୟାଳୟ ଓ ଗଣ ଶିକ୍ଷା, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ ଆଜିର ଏହି କାର୍ଯ୍ୟକ୍ରମ ଏକ ଐତିହାସିକ କାର୍ଯ୍ୟକ୍ରମ। ଓଡିଶା କିପରି ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇପାରିବ ସେଥିପାଇଁ ଆପଣ ମାନେ ପ୍ରଚେଷ୍ଠା କରନ୍ତୁ। ଆପଣ ମାନଙ୍କ ନିଯୁକ୍ତି ଓଡିଶା ସରକାରଙ୍କ ପାଇଁ ଏକ ବଡ ଉପଲବ୍ଧି।ଆପଣ ମାନଙ୍କ ନିଯୁକ୍ତି ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ।

ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ନବନିଯୁକ୍ତ ଶିକ୍ଷୟିତ୍ରୀ ଚିନ୍ମୟୀ କର କହିଥିଲେ ଯେ କଠିନ ପରିଶ୍ରମ ଓ ନିଷ୍ଠା ଦ୍ବାରା ସଫଳତା ହାସଲ କରିହେବ ଏହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଆମ ମୁଖ୍ୟମନ୍ତ୍ରୀ ସେହିପରି ସମ୍ବଲପୁରର ଭବାନୀ, ନବରଙ୍ଗ ପୁରର ସୌମ୍ୟରଞ୍ଜନ ଦାସ ଏବଂ କଟକର ଦିବ୍ୟାଙ୍ଗ ଶିକ୍ଷୟିତ୍ରୀ ସାବିତ୍ରୀ ଜେନା ନିଜର ଅଭିଜ୍ଞତାରେ କହିଥିଲେ ଯେ ଆମ ରାଜ୍ୟରେ ଗୁରୁ ଓ ଶିକ୍ଷା କ୍ଷେତ୍ରକୁ ବହୁ ସମ୍ମାନ ଦିଆଯାଉଛି। ଶିକ୍ଷା ବିଭାଗର ଅଂଶ ଭାବେ ଆମେ ନିଯୁକ୍ତି ପାଇ ନିଜକୁ ଗର୍ବୀତ ଅନୁଭବ କରୁଛୁ। ଏଥି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଶାସନ ସଚିବ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଧନ୍ୟବାଦ ଦେଇଥିଲେ।

Comments are closed.