ନୈତିକ ସାମ୍ବାଦିକତାର ଶ୍ରେଷ୍ଠ ପରିଚୟ ହେଉଛି ‘ସମାଜ’ – ରାଜ୍ୟପାଳ ରଘୁବର ଦାସ

ଡେସ୍କ: ଅନେକ ଉତଥାନ ପତନ ଦେଇ ସଂଘର୍ଷ କରି ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ‘ସମାଜ’ ୧୦୫ ବର୍ଷରେ ପହଞ୍ଚିଛି। ‘ସମାଜ’ ଖବରକାଗଜ ସବୁ ସମୟରେ ସମାଜ ପ୍ରତି ତାର ପ୍ରତିବଦ୍ଧତା ପ୍ରକାଶ କରିଛି ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି। ଆଜି କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ସାରଳା ଭବନରେ ଆୟୋଜିତ ସମାଜର ୧୦୫ତମ ସ୍ଵନକ୍ଷତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ରଘୁବର ଦାସ କହିଛନ୍ତି, ସମ୍ବାଦପତ୍ର ଉପରେ ଏକ ବଡ଼ ରାଷ୍ଟ୍ରୀୟ ଦାୟିତ୍ୱ ରହିଛି। ସେ ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ମନେପକାଇ କହିଛନ୍ତି ଯେ, ଉତ୍କଳମଣି କେବଳ ଉତ୍କଳର ରତ୍ନ ନ ଥିଲେ, ସେ ଭାରତର ରତ୍ନ ଥିଲେ। ରାଜ୍ୟପାଳ କହିଛନ୍ତି, ସମାଜ ଖବରକାଗଜ ରାଷ୍ଟ୍ର ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରି ଭାଷା, ସାହିତ୍ୟ, ଶିକ୍ଷା, ସାମାଜିକ ମୂଲ୍ୟବୋଧ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିଛି।

ଲୋକସେବକ ମଣ୍ଡଳର ଅଧ୍ୟକ୍ଷ ଡଃ ରାଜକୁମାରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଆଜିର ସ୍ଵନକ୍ଷତ୍ର ଉତ୍ସବରେ ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଓ ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଡଃ ତୁଳସୀ ମୁଣ୍ଡା ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଲୋକସେବକ ମଣ୍ଡଳର ଉପାଧ୍ୟକ୍ଷ ଦୀପକ ମାଲବ୍ୟ, ଲୋକସେବକ ମଣ୍ଡଳର ସମ୍ପାଦକ ଏବଂ ସମାଜର ପ୍ରକାଶକ ଓ ମୁଦ୍ରାକାର ଡଃ ପ୍ରଭାସ ଆଚାର୍ଯ୍ୟ, ସମାଜର ସମ୍ପାଦକ ତଥା କାର୍ଯ୍ୟନିର୍ବାହୀ ମୁଖ୍ୟ ପ୍ରଶାସକ ତପନ କୁମାର ମିଶ୍ର ଏବଂ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ‘ସମାଜ ଗଣମାଧ୍ୟମ ପୁରସ୍କାର’ ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Comments are closed.