କୃଷି ଯନ୍ତ୍ରପାତି ନିର୍ମାତାଙ୍କ ସମାବେଶ: ଓଡ଼ିଶାରେ କୃଷି ଯନ୍ତ୍ରପାତିର ନିର୍ମାଣ କରିବାକୁ ନିର୍ମାତାମାନଙ୍କୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି କୃଷି ଭବନସ୍ଥିତ ଅଡିଟୋରିୟମରେ କୃଷି ଯନ୍ତ୍ରପାତି ନିର୍ମାତାଙ୍କ ସମାବେଶ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ନିର୍ମାତାମାନେ ଯୋଗଦେଇଥିଲେ । ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ କୃଷି ଯନ୍ତ୍ରପାତି ମେଳା ଆଞ୍ଚଳିକ ସ୍ତରରେ ବ୍ରହ୍ମପୁର, ବଲାଙ୍ଗିର, କୋରାପୁଟର ଜୟପୁର ଓ କେଉଁଝରରେ ଅନୁଷ୍ଠିତ ହେବ । ସେହିଭଳି ଜିଲ୍ଲାସ୍ତରରେ ଓ ଉପଖଣ୍ଡ ସ୍ତରରେ ମଧ୍ୟ କ୍ରମ ଅନୁଯାୟୀ ଏହି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେବାକୁ ଯାଉଛି ।

ଓଡ଼ିଶାରେ କ୍ଷୁଦ୍ର ଓ ଅତିକ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକା । ତେଣୁ ସେମାନଙ୍କ ହିତକୁ ଦୃଷ୍ଟିରେ ରଖି ନିର୍ମାତାମାନେ ଆବଶ୍ୟକୀୟ କୃଷି ଯନ୍ତ୍ରପାତି ନିର୍ମାଣ କରିବା ଦରକାର ଏବଂ ସେହି କମ୍ପାନୀଗୁଡ଼ିକ ନିଜର ବିକ୍ରୟ ତଥା ମରାମତି କେନ୍ଦ୍ର ନିକଟରେ ଖୋଲିବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପରାମର୍ଶ ଦେଇଛନ୍ତି । ଯାହାଦ୍ୱାରା ଚାଷୀ କୌଣସି ସମସ୍ୟାର ସମ୍ମୁୁଖୀନ ହେଲେ ତୁରନ୍ତ ମରାମତି ସୁବିଧା ପାଇପାରିବେ ବୋଲି ସମାବେଶରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ନିର୍ମାତାମାନେ ଉତ୍କୃଷ୍ଟ ମାନର ଯନ୍ତ୍ରପାତି ଗ୍ରାହକଙ୍କୁ ଯୋଗାଇ ଦିଅ;ୁ । ଅବଶ୍ୟକସ୍ଥଳେ ଏକାଧିକ ଚାଷୀଙ୍କୁ ଭଡା ସୂତ୍ରରେ ଏହି ଯନ୍ତ୍ରପାତି ଯୋଗାଇ ଦେଇପାରିବେ । ଏହି ସବୁ ଯନ୍ତ୍ରପାତିର ନିର୍ମାଣ ଓଡ଼ିଶାରେ କରାଗଲେ ଉଭୟ ଓଡ଼ିଶାବାସୀ ଓ ଚାଷୀ ଉପକୃତ ହେବେ । ଏଥିନିମନ୍ତେ ସରକାର ଆବଶ୍ୟକ ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦେଉଛନ୍ତି ।

କୃଷି କ୍ଷେତ୍ରରେ ଯନ୍ତ୍ରପାତିର ବ୍ୟବହାର ଦ୍ୱାରା କୃଷକ ସଶକ୍ତ ହେବେ ଓ ସେମାନଙ୍କ ଉତ୍ପାଦନରେ ମଧ୍ୟ ବୃଦ୍ଧି ହେବ । ପୂର୍ବବର୍ଷ କୃଷି ଯନ୍ତ୍ରପାତି ବିକ୍ରୟରେ ୬୨୫ କୋଟି ଟଙ୍କାର ସବସିଡି ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଛି । କୋଣସି ପ୍ରକାର ଦୁର୍ନୀତିରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯିବ ବୋଲି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ପ୍ରକାଶ କରିଥିଲେ । ଏହାର ସମ୍ପୂୂର୍ଣ୍ଣ ପଦ୍ଧତି ଅନଲାଇନ ଜରିଆରେ କରାଯିବ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ସବସିଡ଼ି ଯୋଗାଇ ଦିଆଯିବ । ବର୍ତ୍ତମାନ କୃଷି ବିଦ୍ୟୁତ ଇନ୍‌ପୁଟ ହେକଫର ପିଛା ୨.୭୬ କିଲୋ ୱାଟ ରହିଥିବାବେଳେ ୨୦୩୦ ସୁଦ୍ଧା ଓଡ଼ିଶାର ଲକ୍ଷ୍ୟ ହେକଫର ପିଛା ୪ କିଲୋ ୱାଟ ରହିଛି ବୋଲି ଡ. ପାଢ଼ୀ କହିଥିଲେ ।

କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ବୈଠକ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିବାବେଳେ ମୁଖ୍ୟଯନ୍ତ୍ରୀ ଇଂ ମୁକ୍ତିକାନ୍ତ ମହାପାତ୍ର ଆବେଦନ ପ୍ରକ୍ରିୟା ଓ ଯନ୍ତ୍ରପାତି ମେଳାରେ ଅଂଶଗ୍ରହଣ ବିଷୟରେ ଉପସ୍ଥାପନା କରିଥିଲେ । ଶେଷରେ କୃଷି ଯନ୍ତ୍ରପାତି ନିର୍ମାତାମାନେ ଉପମୁଖ୍ୟମନ୍ତ୍ରୀ, ସଚିବ ଓ ନିର୍ଦ୍ଦେଶକଙ୍କ ସହ ସେମାନଙ୍କର ସମସ୍ୟା ନେଇ ଆଲୋଚନା କରିଥିଲେ ।

ସମାବେଶରେ କୃଷି ବିଭାଗର ବହୁ ବରିଷ୍ଠ ଅଧିକାରୀ ସମେତ ଇଂଜିନିୟର ଓ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କୃଷି ଯନ୍ତ୍ରପାତି ନିର୍ମାତାମାନେ ଉପସ୍ଥିତ ଥିଲେ ।

Comments are closed.