ବର୍ଷାରେ ଜଳାର୍ଣ୍ଣବ ଚାନ୍ଦବାଲି ଛକ: କେବେ ସୁଧୁରିବ ଜଳବନ୍ଦୀ ସମସ୍ୟା

ଆଠଗଡ଼: ଆଠଗଡ଼ ସହରର ଚାନ୍ଦବାଲି ଛକରେ ଜଳବନ୍ଦୀ ସମସ୍ୟାରେ ଯୁଝି ହେଉଥିବା ସ୍ଥାନୀୟ ଲୋକ ଏ ସମସ୍ୟାରୁ କେବେ ମୁକ୍ତି ମିଳିବ ତାକୁ ନେଇ ପ୍ରଶ୍ନ କରିଛନ୍ତି। ବୁଧବାର ଏଠାରେ ମାତ୍ର ୪୫ ମିନିଟ ଅସରାଏ ବର୍ଷା ହେବା ପରେ ସମ୍ପୂର୍ଣ୍ଣ ଚାନ୍ଦବାଲି ଛକ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିଲା। ୩ ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରେ ବର୍ଷାଜଳ ଏପରି ଲହଡି ମାରୁଥିଲା ଯେ ତାହା ରାସ୍ତା ନା ନଦୀ ବୋଲି ଭ୍ରମ ସୃଷ୍ଟି କରିଥିଲା। ପ୍ରାୟ ୭-୮ ବର୍ଷ ହେବ ଏହି ସମସ୍ୟା ଲାଗି ରହିଥିବାବେଳେ ଚାନ୍ଦବାଲି ଛକ ବଜାର ବ୍ୟବସାୟୀମାନେ ବାରମ୍ବାର ସ୍ଥାନୀୟ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ଏବଂ ଆଠଗଡ଼ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଅସରାଏ ବର୍ଷା ହେଲେ ଚାନ୍ଦବାଲି ଛକ ଅଞ୍ଚଳରେ ଆଣ୍ଠୁଏ ଉଚ୍ଚର ପାଣି ଜମା ହୋଇରହୁଛି। ଏପରିକି ଅଧିକ ବର୍ଷା ହେଲେ ଉକ୍ତ ବଜାରର ଅଧିକାଂଶ ଦୋକାନରେ ବର୍ଷାଜଳ ଓ ନାଳ ପାଣି ପଶି ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହେଉଛି। ଚାନ୍ଦବାଲି ଛକ ଦେଇ ଯାଇଥିବା ୬୫ ନଂ ରାଜ୍ୟ ରାଜପଥ ଆଠଗଡ଼ର ସବୁଠାରୁ ବ୍ୟସ୍ତବହୁଳ ରାସ୍ତା ଏବଂ ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଛୋଟବଡ ଯାନବାହାନ ନରସିଂହପୁର, ବଡମ୍ବା ଠାରୁ ଆରମ୍ଭ କରି କଟକ, ଭୁବନେଶ୍ବର, ଅନୁଗୁଳ, ସମ୍ବଲପୁର ଓ ପଶ୍ଚିମାଞ୍ଚଳର ବିଭିନ୍ନ ସ୍ଥାନକୁ ଯିବାଆସିବା କରିଥାଏ। ହେଲେ ରାସ୍ତାର ଅବସ୍ଥା ଏଭଳି ହୋଇଛି।

ବୀରକିଶୋରପୁର ଠାରୁ ଚାନ୍ଦବାଲି ଛକ ଦେଇ ଝରଣ ଛକ ପର୍ଯ୍ୟନ୍ତ ପୁରା ଗଡ଼ାଣିଆ ରାସ୍ତା ହୋଇଥିଲେ ମଧ୍ୟ ରାସ୍ତା କଡ ଜବରଦଖଲ କରି ପୋତିବା, ଉପଯୁକ୍ତ ନାଳ ନଥିବା, ସଫେଇ ହେଉନଥିବା ଅଭିଯୋଗ ହେଉନଥିବାରୁ ପାଣି ଜମି ରହିଥିବା ଜଣାପଡ଼ିଛି। ବୀରକିଶୋରପୁର ଠାରୁ ଚାନ୍ଦବାଲି ଛକ ପର୍ଯ୍ୟନ୍ତ ଥିବା ନାଳକୁ ଅବରୋଧ ମୁକ୍ତ କରିବା ସହିତ ଚଉଡା ଓ ଗଭୀର କରି ଉପରେ କଂକ୍ରିଟ ସ୍ଲାବ ପକାଇବା ସହ ରାସ୍ତାରୁ ନାଳକୁ ଜଳ ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା କଲେ ଏହି ସମସ୍ୟାର ସମାଧାନ ହୋଇପାରିବ। ଏ ଦିଗରେ ଆଠଗଡ଼ ପ୍ରଶାସନ ଓ ପୂର୍ତ୍ତ ବିଭାଗ ପଦକ୍ଷେପ ନେବାକୁ ଦୃଢ ଦାବି ହେଉଛି।

 

Comments are closed.