ନିଖିଳ ଓଡ଼ିଶା ବୈଧମାପ ବିଜ୍ଞାନ ଅଧିକାରୀ ସଂଘର ୩୯ତମ ବାର୍ଷିକ ସାଧାରଣ ଅଧିବେଶନ
ବିଭାଗକୁ ଅଧିକ କ୍ରିୟାଶୀଳ ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ
ଭୁବନେଶ୍ୱର: ନିଖିଳ ଓଡ଼ିଶା ବୈଧମାପ ବିଜ୍ଞାନ ଅଧିକାରୀ ସଂଘର ୩୯ତମ ବାର୍ଷିକ ସାଧାରଣ ଅଧିବେଶନ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ବୈଧମାପ ବିଜ୍ଞାନ ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ଅଧିବେଶନକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମନ୍ତ୍ରୀ ଶ୍ରୀ ପାତ୍ର ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ କାମନା କରିବା ସହ ଖାଲି ପଡ଼ିଥିବା ପଦବୀ ପୂରଣ,
ଲାବୋରେଟୋରୀଗୁଡ଼ିକର ଆଧୁନିକୀକରଣ ଓ ଅନ୍ୟାନ୍ୟ ଦାବି ଉପରେ ବିହିତ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ । ରାଜ୍ୟରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ କରିବା ପାଇଁ ବୈଧମାପ ବିଜ୍ଞାନ ବିଭାଗକୁ ଅଧିକ କ୍ରିୟାଶୀଳ ହୋଇ କାର୍ଯ୍ୟ କରିବା ସହ ବିଭିନ୍ନ ସମୟରେ ଯାଞ୍ଚ କରିବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଥିଲେ ।
ବିଭାଗର ଅତିରିକ୍ତ ଶାସନ ସଚିବ ତଥା ନିୟନ୍ତ୍ରକ, ବୈଧମାପ ବିଜ୍ଞାନ ଶ୍ରୀ ସନ୍ତୋଷ କୁମାର ନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅଧିବେଶନରେ ରାଜ୍ୟର ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ । ମଞ୍ଚାସୀନ ଅତିଥି ଭାବେ ଅତିରିକ୍ତ ନିୟନ୍ତ୍ରକ ଶ୍ରୀ ତ୍ରିଲୋଚନ ଦାଶ, ବରିଷ୍ଠ ଯୁଗ୍ମ ନିୟନ୍ତ୍ରକ ଶ୍ରୀ ହରିଶଙ୍କର ପଟ୍ଟନାୟକ ଉପସ୍ଥିତ ସଭ୍ୟମାନଙ୍କୁ ଅଧିକ କାର୍ଯ୍ୟଦକ୍ଷତାର ସହ କର୍ତ୍ତବ୍ୟ ସଂପାଦନ ପାଇଁ ପରାମର୍ଶ ଦେଇଥିଲେ । ସଂଘର ସଭାନେତ୍ରୀ ଶ୍ରୀମତୀ ସାଗରିକା ସାବତ୍ ଏବଂ ସାଧାରଣ ସଂପାଦକ ଶ୍ରୀ ରାଜକିଶୋର ମଲ୍ଲିକ ମନ୍ତ୍ରୀଙ୍କ ନିକଟରେ ସଂଘର ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ । ଉପନିୟନ୍ତ୍ରକ ଶ୍ରୀ ପ୍ରିୟବ୍ରତ ଜେନା ମଞ୍ଚ ପରିଚାଳନା କରିଥିଲେ ।
ସଂଘର ପୂର୍ବତନ ସଭାପତି ଶ୍ରୀ ରବିନ୍ଦ୍ର କୁମାର ମହାପାତ୍ର ତଥା ପୂର୍ବତନ ସାଧାରଣ ସଂପାଦକ ଶ୍ରୀ ପ୍ରଦୋଷ ହରିଚନ୍ଦନ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅଧିବେଶନକୁ ସଫଳ କରିବାରେ ଶ୍ରୀ ଉତ୍କଳ କେଶରୀ ମହାନ୍ତି ଓ ନିର୍ଦ୍ଦେଶାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
Comments are closed.