ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟର ୪୩ ତମ ପ୍ରତିଷ୍ଠା ଦିବସ

ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟର ୪୩ତମ ପ୍ରତିଷ୍ଠା ଦିବସ ଆଜି ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧ୍ୟାପକ ଅଶ୍ୱିନୀ କୁମାର ସାହୁ ଓ ଏନସିସି ଅଧିକାରୀ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦେଇ ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ଅଧ୍ୟକ୍ଷ ରଖିଥିବା କନଫରେନ୍ସ ହଲ ଦାବି ଯଥାଶୀଘ୍ର ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟ ବକ୍ତା ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ସଭାପତି ନୃସିଂହ ନାଥ ସିଂହ ମହାବିଦ୍ୟାଳୟ ପ୍ରତିଷ୍ଠାତା ମଣ୍ଡଳୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ କର୍ମଠ ହେବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ପାଇଁ ମାର୍ଗ ଦର୍ଶନ କରିଥିଲେ। ସମ୍ମାନୀୟ ଅତିଥି ମହାବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାଶ ତାଙ୍କ ସ୍ୱପ୍ନର ମହାବିଦ୍ୟାଳୟ ଦେଖି ସେ ବେଶ ତୃପ୍ତ ବୋଲି ମତ  ରଖିଥିବା ବେଳେ ଅନ୍ୟତମ ସମ୍ମାନୀତ ଅତିଥି ସାମାଜିକ କର୍ମୀ ମାଧବାନନ୍ଦ ପୃଷ୍ଟି ଛାତ୍ରଛାତ୍ରୀ ମାନଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Comments are closed.