Patra electronics

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ

ବଲାଙ୍ଗିର : ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ମାଲଗୋଦାମପଡ଼ାରେ ଗୋଷ୍ଠୀ ସଂଘର୍ଷ । ଜେଲ୍‌ ଫେରନ୍ତାଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ମାଲଗୋଦାମପଡ଼ାର ସୁରେନ୍ଦ୍ର ହରିପାଲଙ୍କ ପୁଅ ନିରଜ ହରିପାଲ ବୋଲି ଜଣାପଡିଛି । ନିରଜଙ୍କ ଭାଇ ମୁକେଶ ଆକ୍ରମଣରେ ଗୁରୁତର ହୋଇ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପୁଲିସ ସୂଚନା ଅନୁସାରେ, ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ପରେ ସୋମବାର ଚାରିଆଡ଼େ ଛାଡ଼ଖାଇ ଉତ୍ସବ ପାଳନରେ ଲୋକେ ମସଗୁଲ ଥିଲେ । ସୋମବାର ରାତି ପ୍ରାୟ ୯ଟା ୩୦ରେ ମାଲଗୋଦାମପଡ଼ାର ନିରଜ ଓ ତାଙ୍କ ଭାଇ ମୁକେଶଙ୍କୁ ପଡ଼ାର ଚଣ୍ଟୁ ଓରଫ୍‌ ଦୀପକ କୁମ୍ଭାର, ଦ୍ରୋଣ କୁମ୍ଭାର, ବଣ୍ଟି ଓରଫ୍‌ ବିକ୍ରମ କୁମ୍ଭାର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖଣ୍ଡା ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ପରିବାର ଲୋକେ ଗୁରୁତର ଅବସ୍ଥାରେ ନିରଜ ଓ ମୁକେଶଙ୍କୁ ଉଦ୍ଧାର କରି ରାତିରେ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ନିରଜଙ୍କୁ ମୃତ ଘୋଷଣା କରିଥିଲେ । ମୁକେଶଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବିଳମ୍ବିତ ରାତିରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ବଲାଙ୍ଗିର ଟାଉନ୍ ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ବଲାଙ୍ଗିର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି । ମୃତ ନିରଜଙ୍କ ମା’ ପଦ୍ମା ହରିପାଲ ଆଜି ସକାଳେ ବଲାଙ୍ଗିର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଦ୍ରୋଣ କୁମ୍ଭାର, ପୁଅ ବଣ୍ଟି, ପତ୍ନୀ ବବି କୁମ୍ଭାର ପୁଅ ନିରଜଙ୍କୁ ହତ୍ୟା କରିଥିବା ଅଭିଯୋଗ କରିବା ସହ ପୁଅ ହତ୍ୟାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ତେବେ  ମୃତ ନିରଜଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ଅପରାଧିକ ମାମଲା ରହିଥିବାବେଳେ ସେ କିଛି ଦିନ ତଳେ ଜେଲ୍‌ରୁ ଜାମିନରେ ବାହାରିଥିଲେ।

Comments are closed.