ଜାଲ ଭୋଟରକାର୍ଡରେ ଜମି ପଞ୍ଜିକରଣ ମାମଲାରେ ୨ ଗିରଫ

ଗୋପାଳପୁର : ଗୋଳନ୍ଥରା ଥାନା ଅଧିନସ୍ଥ କନିଷି ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଜାଲ ଭୋଟର ପରିଚୟପତ୍ରରେ ଜମି ରେଜିଷ୍ଟ୍ରେସନ କରିବା ମାମଲାରେ ଆଜି ଗୋଳନ୍ଥରା ପୁଲିସ ଜଣେ ଦଲିଲ ଲେଖାଳି ସହ ଅନ୍ୟ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ଚାନ୍ଦପୁର ଅଞ୍ଚଳର ଲେଖାଳି ମହେଶ୍ୱର ପାତ୍ର ଓରଫ ମଣ୍ଟୁ ଏବଂ ଆମ୍ବପୁର ଗାଁର ପି. ପ୍ରଭାକର ରାଓ ବୋଲି ପୁଲିସ ସୂଚନା ଦେଇଛି । ଅଭିଯୋଗ ଅନୁଯାୟୀ କନିଷି ତହସିଲ ଅନ୍ତର୍ଗତ ଦୁମଦୁମି ରାଜସ୍ବ ନୀରିକ୍ଷକଙ୍କ ଅଧିନରେ ରହିଥିବା ଖାତା ନଂ ୨୪୯ ଓ ୨୫୨ ର ପ୍ରାୟ ୧.୯୪୨୦ ଏକର ଓ ୧.୯୪୦୦ ଏକର ଜମିକୁ କନିଷି ସବ ରେଜିଷ୍ଟ୍ରାର ଅଫିସରେ ଜାଲ ଭୋଟର କାର୍ଡରେ ୨୦୨୨ ମସିହା ନଭେମ୍ବର ଓ ୨୦୨୩ ମସିହା ଜାନୁଆରୀ ମାସରେ କନିସି ସବରେଜିଷ୍ଟର ଅଫିସ ଜମି ପଞ୍ଜିକରଣ କରାଯାଇଥିଲା ।

ଉକ୍ତ ଜମି ରେଜିଷ୍ଟ୍ରେସନ ସମୟରେ ନକଲି ଭୋଟର ପରିଚୟପତ୍ର ବ୍ୟବହାର କରାଯାଇଥିବା କନିଷି ତହସିଲର ପୂର୍ବତନ ତହସିଲଦାର ପ୍ରଳୟାନନ୍ଦ ଶତପଥୀ ଜାଣି ପାରିଥିଲେ  । ପରେ ଉକ୍ତ ଦୁଇ ଦଲିଲକୁ ନାକଚ କରିଦେଇଥିଲେ। ଦେଢ ବର୍ଷ ପରେ ଦଲିଲ ଲେଖାଳି ସହ ୭ ଜଣ ସାମିଲ ରହିଥିବା ନେଇ ତତ୍କାଳୀନ ତହସିଲଦାର ଶତପଥୀଙ୍କ ପକ୍ଷରୁ ଗତ ଅଗଷ୍ଟ ୨୨ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଏ ନେଇ ପୁଲିସ ପକ୍ଷରୁ ଗତ ୨୬ ତାରିଖରେ ୩୪୧/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ହୋଇଥିଲା । ଘଟଣାରେ ସମ୍ପୃକ୍ତ ଥିବା ମଣ୍ଟୁ ଓ ପି. ପ୍ରଭାକାରଙ୍କୁ  ଅଟକ ରଖି ପଚାର ଉଚରା କରିବା ପରେ ଉଭୟଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Comments are closed.