ଫୁଲବାଣୀ : ମରଣାନ୍ତକ ଆକ୍ରମଣ ପରେ ଆହତଙ୍କ ମୃତ୍ୟୁ ମାମଲାର ବିଚାର କରି ଫୁଲବାଣୀ ଜିଲ୍ଲା ସେସନସ ଜଜ ଅଭିଯୁକ୍ତକୁ ୫ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଅଭିଯୁକ୍ତକୁ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଦୋଷୀକୁ ଅଧିକ ୩ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଫିରିଙ୍ଗିଆ ଥାନା ଡିମିରିଗୁଡା ପଞ୍ଚାୟତର କର୍ଣ୍ଣ ବିନ୍ଧାଣୀ।
ସୂଚନା ଅନୁଯାୟୀ, ଅଭିଯୁକ୍ତ କର୍ଣ୍ଣଙ୍କ ସହିତ ତାଙ୍କ ଭାଇ ନରେନ୍ଦ୍ର ବିନ୍ଧାଣୀଙ୍କ ମନୋମାଳିନ୍ୟ ରହିଥିଲା। ଏହାକୁ କେନ୍ଦ୍ର କରି ଗତ ୨୦୨୩ ଜୁନ ୫ ତାରିଖ ରାତିରେ ନରେନ୍ଦ୍ର ଘରେ ଶୋଇଥିବା ବେଳେ କର୍ଣ୍ଣ ସେଠାକୁ ଆସି ଏକ ଟାଙ୍ଗିଆ ସାହାଯ୍ୟରେ ତାଙ୍କ ମୁଣ୍ଡକୁ ଆଘାତ କରିଥିଲେ। ପରବର୍ତ୍ତୀ ସମୟରେ ନରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ମୃତକଙ୍କ ପୁଅ ଅକ୍ଷୟ କୁମାର ବିନ୍ଧାଣୀ ଫିରିଙ୍ଗିଆ ଥାନାରେ ଏତଲା ଦେବା ପରେ ପୁଲିସ ୯୧/୨୩ ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଏହି ମାମଲାର ଶୁଣାଣୀ କରି ଜିଲ୍ଲା ସେସନସ ଜଜ ସତ୍ୟପୀର ମିଶ୍ର ୧୨ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାଟିକୁ ସରକାରୀ ପିପି ରଶ୍ମିତା ମହାପାତ୍ର ପରିଚାଳନା କରୁଥିଲେ।
ମରଣାନ୍ତକ ଆକ୍ରମଣରୁ ମୃତ୍ୟୁ, ଅଭିଯୁକ୍ତକୁ ୫ ବର୍ଷ ଜେଲ
Popular Categories



