ଭୁବନେଶ୍ବର : ଚଳିତ ରଣଜୀ ସିଜିନ୍ର ଅନ୍ତିମ ରଣଜୀ ଲିଗ୍ ମ୍ୟାଚ୍ ଓଡ଼ିଶା ଦଳ ବିକାଶ କ୍ରିକେଟ ପଡ଼ିଆରେ ଗୋଆ ବିପକ୍ଷରେ ଖେଳିଛି। ଏଲିଟ୍ ଗ୍ରୁପ-ସି ର ଉକ୍ତ ମ୍ୟାଚ୍ରେ ଦୁଇ ଯୁବ ବ୍ୟାଟ୍ସମ୍ୟାନଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଓଡ଼ିଶା ସୋମବାର ଖେଳର ପ୍ରଥମ ଦିନରେ ୭ ୱିକେଟ ହରାଇ ୨୨୯ରନ କରିଛି। ସୋମବାର ପ୍ରଥମ ଦିନ ଖେଳରେ ଓପନର ସନ୍ଦୀପ ପଟ୍ଟନାୟକଙ୍କ ଶତକ ଓ ଶାନ୍ତନୁ ମିଶ୍ରଙ୍କ ଅର୍ଦ୍ଧଶତକ ଉଲ୍ଲେଖନୀୟ ଘଟଣା ଥିଲା।
ଭ୍ରମଣକାରୀ ଗୋଆ ଅଧିନାୟକ ସଗୁନ କମାତ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଘରୋଇ ଓଡ଼ିଶା ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋର ୯ ରନ୍ ହୋଇଥିବା ବେଳେ ଅନୁରାଗ ଷଡଙ୍ଗୀ ମାତ୍ର ୧ ରନ୍ କରି କ୍ରିଷ୍ଣା ଦାସଙ୍କ ବଲରେ କ୍ଲିନ ବୋଲଡ ହୋଇଥିଲେ। ଦ୍ବିତୀୟ ୱିକେଟ ଯୋଡ଼ିରେ ସନ୍ଦୀପ ଓ ଦେବାଶିଷ ସାମନ୍ତରାୟ ୩୯ରନ ଯୋଗ କରିଥିଲେ। ସ୍କୋର ୪୮ରନ ଥିବାବେଳେ ଚମତ୍କାର ଫର୍ମରେ ଥିବା ଦେବାଶିଷ ୨ଟି ଚୌକା ସହ ୧୧ ରନ କରି ଲକ୍ଷ୍ୟ ଗର୍ଗଙ୍କ ବଲରେ ଆଉଟ୍ ହୋଇଥିଲେ। ଦଳୀୟ ସ୍କୋରରେ ଆଉ ମାତ୍ର ୫ରନ ଯୋଗ କରିବା ପରେ ଓଡ଼ିଶା ତୃତୀୟ ୱିକେଟ ହରାଇଥିଲା। କ୍ୟାରିୟରର ପ୍ରଥମ ରଣଜୀ ମ୍ୟାଚ୍ରେ ଅଧିନାୟକ ଦାୟିତ୍ବ ତୁଲାଉଥିବା ଚଳିତ ସିଜିନର ସଫଳ ବ୍ୟାଟ୍ସମ୍ୟାନ ଶୁଭ୍ରାଂଶୁ ସେନାପତି ମାତ୍ର ୪ ରନ୍ କରି କ୍ରିଷ୍ଣା ଦାସଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ଗୋଟିଏ ପଟେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ସନ୍ଦୀପ ପଟ୍ଟନାୟକ ଦୃଢତାର ସହିତ ବ୍ୟାଟିଂ କରିଥିବାବେଳେ ଅନ୍ୟପଟେ ୱିକେଟର ପତନ ଜାରି ରହିଥିଲା। ଓଡ଼ିଶା ୫୩ରନ ମଧ୍ୟରେ ୩ଟି ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଶୁଭ୍ରାଂଶୁ ଆଉଟ୍ ହେବା ପେର ଖରାପ ଫର୍ମରେ ଥିବା ବିପ୍ଲବ ସାମନ୍ତରାୟଙ୍କ ସ୍ଥାନରେ ଶାନ୍ତନୁ ମିଶ୍ର ବ୍ୟାଟିଂକୁ ଓହ୍ଲାଇଥିଲେ। ମଧ୍ୟାହ୍ନ ଭୋଜନ ବେଳକୁ ଓଡ଼ିଶା ୩ ୱିକେଟରେ ୬୬ରନ କରିଥିଲା। ମଧ୍ୟାହ୍ନଭୋଜନ ପରେ ସନ୍ଦୀପ ଓ ଶାନ୍ତନୁ ଦୃଢତାର ସହିତ ବ୍ୟାଟିଂ କରିବା ସହିତ ଦଳୀୟ ସ୍ଥିତିକୁ ସମ୍ଭାଳି ଥିଲେ। ଚତୁର୍ଥ ୱିକେଟ ଯୋଡ଼ିେର ଉଭୟେ ୧୧୭ରନ ଯୋଗ କରିଥିଲେ। ଚା’ପାନ ବିରତି ପର୍ଯ୍ୟନ୍ତ ଓଡ଼ିଶା ଆଉ କୌଣସି ୱିକେଟ ନ ହରାଇ ୧୬୨ରନ ସଂଗ୍ରହ କରିନେଇଥିଲା। ଚା ପାନ ବିରତି ପରେ ଗୋଆ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଓଡ଼ିଶା ସ୍କୋର ୧୭୦ ରନ ଥିବାବେଳେ ସନ୍ଦୀପ ୧୦୦ରନ କରି ଆଉଟ୍ ହୋଇଥିଲେ। ସେ ୧୯୪ଟି ବଲରୁ ୧୦ଟି ଚୌକା ଓ ଗୋଟିଏ ଛକା ସହାୟତାରେ ଏହି ଶତକ ହାସଲ କରିଥିଲେ। ଏହା ତାଙ୍କ କ୍ୟାରିୟରର ଦ୍ବିତୀୟ ଶତକ । ସନ୍ଦୀପଙ୍କ ଆଉଟ ହେବା ପେର ଓଡ଼ିଶାର ପୁନର୍ବାର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଫର୍ମକୁ ଫେରିବା ଲାଗି ସଂଘର୍ଷ କରୁଥିବା ବିପ୍ଳବ ସାମନ୍ତରାୟ ଓ ଶାନ୍ତନୁ ମିଶ୍ର ପଞ୍ଚମ ୱିକେଟ ଯୋଡ଼ିରେ ୧୯ ରନ ଯୋଗ କରିଥିଲେ। ଦଳୀୟ ସ୍କୋର ୧୮୯ରନ ଥିବାବେଳେ ଶାନ୍ତନୁ ୧୮୩ଟି ବଲର ସମ୍ମୁଖୀନ ହୋଇ ୬ଟି ଚୌକା ସହାୟତାରେ ୫୯ରନ କରି ପଞ୍ଚମ ଖେଳାଳି ଭାବେ ଅମୋଘ ଦେଶାଇଙ୍କ ବଲରେ ଆଉଟ୍ ହୋଇଥିଲେ। ଶାନ୍ତନୁଙ୍କ ଏହା ଥିଲା ରଣଜୀ ଟ୍ରଫିର ପଞ୍ଚମ ଅର୍ଦ୍ଧଶତକ। ଷଷ୍ଠ ୱିକେଟ ଯୋଡ଼ିରେ ବିପ୍ଲବ ଓ ଅଭିଷେକ ରାଉତ ମାତ୍ର ୨ ରନ ଯୋଗ କରିଥିଲେ। ବିପ୍ଲବ ୩୧ଟି ବଲର ସମ୍ମୁଖୀନ ହୋଇ ମାତ୍ର ୭ରନ କରି ଦର୍ଶନ ମିଶାଲଙ୍କ ବଲରେ ଏଲ୍ବିଡବ୍ଲୁ ଆଉଟ୍ ହୋଇଥିଲେ। ସପ୍ତମ ୱିକେଟ ଯୋଡ଼ିେର ଅଭିଷେକ ରାଉତ ଓ ସୁଜିତ ଲେଙ୍କା ୯ ରନ ଯୋଗ କରିଥିଲେ। ଦଳୀୟ ସ୍କୋର ୨୦୦ରନ ଥିବାବେଳେ ସୁଜିତ ୫ରନ କରି ଅମୋଘ ଦେଶାଇଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ଅଷ୍ଟମ ୱିକେଟ ପାଇଁ ଅଭିଷେକ ଓ ସୂର୍ଯ୍ୟକାନ୍ତ ପ୍ରଧାନ ଅବିଭାଜିତ ୨୯ରନ ଯୋଗ କରିଥିଲେ। ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ବେଳକୁ ଓଡ଼ିଶା ୯୦ ଓଭର ଖେଳି ୭ ୱିକେଟ ବିନିମୟରେ ୨୨୯ରନ କରିଛି।ଅଭିଷେକ ୧୩ ଓ ସୂର୍ଯ୍ୟକାନ୍ତ ୨୧ ରନ କରି ଅପରାଜିତ ରହିଛନ୍ତି। ଗୋଆ ପକ୍ଷରୁ କ୍ରିଷ୍ଣା ଦାସ, ଲକ୍ଷ ଗର୍ଗ ଓ ଅମୋଘ ଦେଶାଇ ଦୁଇଟି ଲେଖାଏଁ ୱିକେଟ ନେଇଥିବାବେଳେ ଦର୍ଶନ ମିଶାଲ ଗୋଟିଏ ୱିକେଟ ନେଇଛନ୍ତି।
ରଣଜୀ ଟ୍ରଫି : ସନ୍ଦୀପଙ୍କ ଶତକ,ଶାନ୍ତନୁଙ୍କ ଅର୍ଦ୍ଧଶତକ , ଓଡ଼ିଶା ୭/୨୨୯
Popular Categories



