ପିପିଲି: ପିପିଲି ବ୍ଲକ ସଭା କକ୍ଷରେ ଶନିବାର ଦିନ ସାଂସଦ ଓ ବିଧାୟକଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଓ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଞ୍ଚଳର ୧୦ହଜାର ହିତାଧିକାରୀ ପିଏମ୍ କିଷାନ ଯୋଜନାରୁ କାହିଁକି ବଞ୍ଚିତ ହୋଇଛନ୍ତି ବୋଲି ପୁରୀ ସାଂସଦ ଡ଼ ସମ୍ବିତ ପାତ୍ର ପ୍ରଶ୍ନ କରିଥିବା ବେଳେ ସେଠାରେ ଉପସ୍ଥିତ ଥିବା କୃଷି ଅଧିକାରୀ କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।
ପିପିଲି ବିଡିଓ ସରୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଂସଦ ଡ଼ ପାତ୍ରଙ୍କ ସମେତ ବିଧାୟକ ଆଶ୍ରିତ ପଟ୍ଟନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ଅତିରିିକ୍ତ ବିଡିଓ ଶୈଳବାଳା ତ୍ରିପାଠୀ, ସହକାରୀ ଯନ୍ତ୍ରୀ ବସନ୍ତ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଏଥିରେ କୃଷି, ଉଦ୍ୟାନ କୃଷି ସମେତ ବିଭିନ୍ନ ବିଭାଗର ଉନ୍ନୟନମୂଳକ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ସାଂସଦ ଡ଼ ପାତ୍ର ବିଭାଗୀୟ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ। ପିପିଲି ପୌରାଞ୍ଚଳର କୌଣସି ହିତାଧିକାରୀଙ୍କୁ କାଳିଆ ଯୋଜନା ଓ ପିଏମ୍ କିଷାନ ଯୋଜନାରେ ସାମିଲ କରାଯାଇନଥିବା ସଂପର୍କରେ ପୂର୍ବତନ ପୌର ଉପାଧ୍ୟକ୍ଷ ସୁକାନ୍ତ ଭଟ୍ଟ ଗୁରୁତର ଅଭିଯୋଗ କରିଥିଲେ। ବ୍ଲକ ପରିସରରେ ଥିବା ମିଶନ ଶକ୍ତି ଗୃହରେ ତାଲା ପଡ଼ିଥିବା ବେଳେ ତା’ମଧ୍ୟରୁ କମ୍ପ୍ୟୁଟର ଓ କାଗଜପତ୍ର ଚୋରୀ ହେବା ଘଟଣା ଉଭୟ ସାଂସଦ, ବିଧାୟକଙ୍କୁ ଚକିତ କରିଥିଲା। ତାଲା ବନ୍ଦ ଘରୁ କିଭଳି ଭାବେ କମ୍ପ୍ୟୁଟର ଚୋରି ହେଲା ସେନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ବହୁ ଟଙ୍କାର ଦୁର୍ନିତୀକୁ ଲୁଚାଇବା ପାଇଁ ଏହି ନାଟକ ରଚାଯାଇଥିବା ନେଇ ବିଧାୟକ ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଥିଲେ। ଏନେଇ ସିଡ଼ିପିଓଙ୍କ ଉତ୍ତରକୁ ନେଇ ସାଂସଦ, ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ। ବ୍ଲକର ସାମାଜିକ କଲ୍ୟାଣ ବିଭାଗରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା, ମଧୁବାବୁ ଭତ୍ତା ଆଦି କାର୍ଯ୍ୟ ପରିଚାଳନା କରାଯାଉଥିବାବେଳେ ଅନେକ ସମୟରେ ଦିବ୍ୟାଙ୍ଗ ଓ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନରେ ଅନିୟମିତା ହେଉଥିବା ସଂପର୍କରେ ଅଭିଯୋଗ ହୋଇଥିଲା। ରୁପଦେଇପୁର ପଞ୍ଚାୟତ ବଉଳଚଉକା ଗ୍ରାମର ଜଣେ ମହିଳା ବିଧବା ଭତ୍ତା ପାଇଁ ଆବେଦନ କରିବାରେ ଇତିମଧ୍ୟରେ ୭ମାସ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ତାଙ୍କୁ ଭତ୍ତା ମିଳିନାହିଁ। ତୁରନ୍ତ ତାଙ୍କୁ ଭତ୍ତା ପ୍ରଦାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସମାଜ କଲ୍ୟାଣ ଅଧିକାରୀଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ ସମୟ ଧରି ନିର୍ଦ୍ଧିଷ୍ଟ କେତେକ ଅଧିକାରୀ ପିପିଲି ବ୍ଲକରେ କାର୍ଯ୍ୟରତ ଥାଇ ବିଭିନ୍ନ ଦୁର୍ନିତୀ ଓ ଅନିୟମିତତା କାର୍ଯ୍ୟରେ ସଂପୃକ୍ତ ଥିବା ନେଇ ଗୁରୁତର ଅଭିଯୋଗ ଉଠିଥିବା ବେଳେ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଦୁଇ ଜନନେତା ପ୍ରକାଶ କରିଥିଲେ। ବିଭିନ୍ନ ଅଭିଯୋଗ ଉପରେ ଆଲୋଚନା କରିବା ପାଇଁ ଏକ ସ୍ୱତନ୍ତ୍ର ବୈଠକ ଡାକିବାକୁ ସାଂସଦ ବିଡ଼ିଓଙ୍କୁ କହିଥିଲେ। ଏବଂ ଉକ୍ତ ବୈଠକରେ ଉଭୟ ସାଂସଦ ଓ ବିଧାୟକ ଉପସ୍ଥିତ ରହିବେ ବୋଲି ଡ଼ ପାତ୍ର କହିଥିଲେ। ଏହି ବୈଠକରେ ପିପିଲି ଏନ୍ଏସି, ବ୍ଲକ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଅଧିକାରୀ ଉପସ୍ଥିତ ନଥିବା ଯୋଗୁଁ ସାଂସଦ, ବିଧାୟକ ଅସନ୍ତୋଷ ପ୍ରକାଶ କରିବା ସହ ଏ ସଂପର୍କରେ ଜିଲାପାଳଙ୍କୁ ଅବଗତ କରାଯିବ ବୋଲି ସାଂସଦ ଡ଼.ପାତ୍ର ସୂଚନା ଦେଇଥିଲେ।
ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in
ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG
ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43



