www.samajalive.in
Friday, December 5, 2025
17.1 C
Bhubaneswar

ସକ୍ରିୟ ଲଘୁଚାପ: ଆଗାମୀ ୪ଦିନ ପ୍ରବଳ ବର୍ଷିବ, ଆଜି ପାଇଁ ୧୦ ଜିଲ୍ଲାକୁ ସତର୍କତା

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉପକୂଳ ବାଂଲାଦେଶ, ଗାଙ୍ଗୀୟ ପଶ୍ଚିମବଙ୍ଗ ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସମ୍ପୃକ୍ତ ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଅଗ୍ରସର ହୋଇ ଆସନ୍ତା ଦୁଇଦିନ ମଧ୍ୟରେ ଗାଙ୍ଗୀୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଆଡ଼କୁ ମୁହାଁଇବ। ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଥିବାନେଇ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ, ସମ୍ପୃକ୍ତ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ; କିନ୍ତୁ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ନିର୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି। ଗତ ୨୪ଘଣ୍ଟା ମଧ୍ୟରେ ଅନୁଗୋଳ, ସୁବର୍ଣ୍ଣପୁର, କନ୍ଧମାଳ, କୋରାପୁଟ, ବୌଦ୍ଧ ଏବଂ ସମ୍ବଲପୁର ଜିଲାରେ ବର୍ଷା ହୋଇଛି। ଅନୁଗୋଳର ଆଠମଲ୍ଲିକରେ ସବୁଠୁ ଅଧିକ ବର୍ଷା ୯୮.୩ ମି.ମି ରେକର୍ଡ ହୋଇଥିବାବେଳେ ସୁବର୍ଣ୍ଣପୁର ବିନିକାରେ ୭୨ ମି.ମି, ସୁବର୍ଣ୍ଣପୁରରେ ୭୧.୪ମି.ମି ବର୍ଷା ରେକର୍ଡ କରାଯାଇଛି। ଶୁକ୍ରବାର ସକାଳ ସାଢେ ୮ଟାରୁ ଅପରାହ୍ଣ ସାଢ଼େ ୫ଟା ମଧ୍ୟରେ ଯାଜପୁରରେ ୪୫ମି.ମି ବର୍ଷା ରେକର୍ଡ କରାଯାଇଥିବାବେଳେ ସୁବର୍ଣ୍ଣପୁର ୩୨ ମି.ମି, କୋରାପୁଟ ୫୭ମି.ମି,ପାରାଦ୍ବୀପ ୧୨.୯ମି.ମି ଏବଂ ନୂଆପଡ଼ାରେ ୪୫ ମି.ମି ବର୍ଷା ହୋଇଛି। ଅନ୍ୟପଟେ ଭୁବନେଶ୍ବର, କଟକ, କେନ୍ଦ୍ରାପଡ଼ା ସହିତ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ କନ୍ଧମାଳ, କଟକ, ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ ଏବଂ ନୟାଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡ଼ିକ ମଧ୍ୟରୁ କିଛି ଅଞ୍ଚଳରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏଥିପାଇଁ ଉକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଲଘୁଚାପଜନିତ ବର୍ଷା ପାଇଁ ସତର୍କ ରହିବାକୁ ଏସ୍‌ଆର୍‌ସି ସତ୍ୟବ୍ରତ ସାହୁ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories