ହରଭଙ୍ଗା : ତିନିଦିନ ହେଲା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ମହାନଦୀ ଓ ଶାଖା ନଦୀ ଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଉଛି। ଆଗକୁ ପୁଣି ଏକ ଲଘୁଚାପ ଆସୁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯିବା ପରେ ହୀରାକୁଦରୁ ଆସନ୍ତା ୨୮ ତାରିଖ ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ନିଷ୍ପତି ଗ୍ରହଣ କରାଯାଇଛି। ଲଗାଣ ବର୍ଷା ଯୋଗୁଁ ମହାନଦୀ ଓ ଶାଖା ନଦୀ ଗୁଡ଼ିକ ଫୁଲି ଉଠିବା ସହିତ ହୀରାକୁଦ ବନ୍ୟା ଜଳନିଷ୍କାସନ ପରେ ତଳମୁଣ୍ଡରେ ଏକ ସମ୍ଭାବ୍ୟ ବନ୍ୟା ଆଶଙ୍କା କରାଯାଉଅଛି । ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲାପାଳ ଜେ. ସୋନାଲ ମୁଖ୍ୟାଳୟ ନ ଛାଡ଼ିବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।
ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଗୁରୁବାର ଏନେଇ ବୌଦ୍ଧ ଜିଲ୍ଲାପାଳ ଜେ, ସୋନାଲ ବନ୍ୟା ପରିସ୍ଥିତି ପାଇଁ ସତର୍କ ରହିବାକୁ ଓ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଜିଲ୍ଲା ଜଳ ବିଭାଜନ ପକ୍ଷରୁ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ମହାନଦୀର ଜଳ ପତ୍ତନ ଉପରେ ଦୃଷ୍ଟି ରଖାଯାଇଛି । ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓ ସମସ୍ତ ବ୍ଲକ୍ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି।
ପୂର୍ବ ପ୍ରସ୍ତୁତି ଅନୁଯାୟୀ ବନ୍ୟା ଆଶ୍ରୟ ସ୍ଥଳୀ ଗୁଡ଼ିକ ପ୍ରସ୍ତୁତ କରି ରଖାଯିବା ସହିତ ଆବଶ୍ୟକୀୟ ଶୁଖିଲା ଖାଦ୍ୟ ,ଔଷଧ ଆଦି ମହଜୁଦ ରଖାଯାଇଛି । ବ୍ଲକର ବିଡ଼ିଓ ମାନଙ୍କୁ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିବା ସହ କୌଣସି ପରିସ୍ଥିତି ସୃଷ୍ଟି ହେଲେ ତୁରନ୍ତ ମୁଖ୍ୟ କଣ୍ଟ୍ରୋଲ ରୁମ୍ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ମୁତାବକ ବୌଦ୍ଧ ଠାରେ ମହାନଦୀର ଜଳ ପତ୍ତନ ବିପଦ ସଙ୍କେତ ଠାରୁ ପ୍ରାୟ ତିନି ମିଟର ତଳେ ରହିଛି । ତେଣୁ ପରିସ୍ଥିତି ଆୟତାଧିନ ରହିଥିବା ଜଣାଯାଇଛି। ବିଶେଷକରି ହରଭଙ୍ଗା ତହସିଲର ୮ ଗୋଟି ପଂଚାୟତର ୫୫ଟି ରାଜସ୍ୱ ଗାଁ ବନ୍ୟାରେ ପ୍ରଭାବିତ ଆଶଙ୍କା ରହିଛି।
ଦେଖନ୍ତୁ ଭିଡିଓ: ରଖେ ହରି ତ ମାରେ କିଏ, ୧୩ ମହଲା କୋଠାରୁ ତଳକୁ ଖସିଲେ ମହିଳା, ତା’ପରେ..



