www.samajalive.in
Monday, December 15, 2025
16.1 C
Bhubaneswar

ମା’ଙ୍କ ଶବକୁ ୩ ବର୍ଷ ଲୁଚାଇ ନେଉଥିଲେ ପେନସନ୍‌

କଲକାତା: ଦୀର୍ଘ ତିନି ବର୍ଷ ଧରି ମା’ଙ୍କ ମୃତଦେହକୁ ଘରେ ଆଇସ୍‍ କ୍ରିମ ବାକ୍ସ ଭଳି ବଡ଼ ଫ୍ରିଜରରେ ସଂରକ୍ଷିତ ରଖିଥିଲେ ପୁଅ। ମା’ ଜୀବିତ ଥିବା ନେଇ ବ୍ୟାଙ୍କରେ ନିୟମିତ ପ୍ରମାଣପତ୍ର ଦେବା ସହ ଟିପ ଚିହ୍ନ ଦେଇ ମା’ଙ୍କ ପେନ୍‍ସନ୍‍ ଟଙ୍କା ଉଠାଉଥିଲେ। ମା’ଙ୍କ ଡେବିଟ୍‍ କାର୍ଡ ବ୍ୟବହାର କରୁଥିଲେ। ଆଶ୍ଚର୍ଯ୍ୟର ବିଷୟ ହେଉଛି, ପାଖରେ ବୃଦ୍ଧ ବାପା ମଧ୍ୟ ରହୁଥିଲେ। ଘରେ ବଡ଼ ଫ୍ରିଜର ରଖାଯିବା ଓ ସମ୍ପୃକ୍ତ ବ୍ୟକ୍ତି ଘରୁ ବାହାରକୁ ନ ବାହାରିବା ନେଇ ପଡ଼ୋଶୀ ସନ୍ଦେହ କରି ପୁଲିସକୁ ଖବର ଦେବା ପରେ ଘଟଣା ପ୍ରଘଟ ହୋଇଛି। ପୁଲିସ ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କ ବାପାଙ୍କୁ ଥାନାକୁ ନେଇ ପଚରାଉଚରା ଚଳାଇଛି।
ଖବର ଅନୁଯାୟୀ, ଦକ୍ଷିଣ କଳକାତାର ବେହାଲାସ୍ଥିତ ଜେମ୍ସ ଲଙ୍ଗ ସରଣୀ ଅଞ୍ଚଳରେ ଏକ ଦ୍ୱିମହଲା ଘରେ ବାପା ଗୋପାଳ ମଜୁମଦାରଙ୍କ ସହ ରହନ୍ତି ୪୬ବର୍ଷୀୟ ଶୁଭବ୍ରତ ମଜୁମଦାର। ଶୁଭବ୍ରତ ଲେଦର ଟେକ୍‍ନୋଲଜି ବିଷୟରେ ସ୍ନାତକ ଶିକ୍ଷାପ୍ରାପ୍ତ। ସେ ଏକ କମ୍ପାନୀରେ କାମ କରୁଥିଲେ; କିନ୍ତୁ ପ୍ରାୟ ୫ବର୍ଷ ହେଲା ଛାଡ଼ି ଦେଇଛନ୍ତି। ତାଙ୍କ ମା’ ବୀଣା ମଜୁମଦାରଙ୍କର ୮୪ବର୍ଷ ବୟସରେ ୨୦୧୫ ଏପ୍ରିଲ ୭ରେ ମୃତ୍ୟୁ ହୋଇଥିଲା। ବୀଣା ଭାରତୀୟ ଖାଦ୍ୟ ନିଗମରେ କାର୍ଯ୍ୟକରି ଅବସର ନେଇଥିଲେ। ତାଙ୍କର ପେନ୍‍ସନ୍‍ ବାବଦରେ ମାସିକ ପ୍ରାୟ ୫୦ହଜାର ଟଙ୍କା ମିଳୁଥିଲା। ସ୍ୱାମୀ ଗୋପାଳ ମଧ୍ୟ ସମାନ କାର୍ଯ୍ୟାଳୟରେ ଚାକିରି କରିଥିଲେ। ମା’ଙ୍କ ମୃତ୍ୟୁ ପରେ ଶୁଭବ୍ରତ ତାଙ୍କ ଶରୀରର ଆଭ୍ୟନ୍ତରୀଣ ଅଙ୍ଗକୁ ବାହାରକରି ଏହାକୁ ରାସାୟନିକ ସାମଗ୍ରୀ ଦ୍ୱାରା ‘ମମି’ ପରି ସଂରକ୍ଷିତ ରଖିଥିଲେ; କିନ୍ତୁ କାହିଁକି ଏପରି କରିଥିଲେ ତାହା ଜଣାପଡ଼ି ନାହିଁ। ତେବେ ଗୋପାଳ ପୁଅଙ୍କୁ ମା’ ପୁନର୍ଜୀବନ ପାଇବେ ବୋଲି ବୁଝାଇ ଦେଇଥିବାରୁ ସେ ଏଭଳି କରିଥିବା କୁହାଯାଉଛି; କିନ୍ତୁ ପୁଲିସ ଉଭୟ ବାପା ଓ ପୁଅଙ୍କର ମାନସିକ ବିକୃତି ରହିଥିବା ସନ୍ଦେହ କରୁଛି। ପଡ଼ୋଶୀଙ୍କ କହିବାନୁସାରେ ସେମାନେ ଯେତେବେଳେ ବି ବୀଣାଙ୍କ ସମ୍ପର୍କରେ ଶୁଭବ୍ରତଙ୍କୁ ପଚାରନ୍ତି, ସେ ‘ପିସ୍‍ ହେଭେନ୍‍’ ନାମକ ଶବାଗାରରେ ମା’ଙ୍କ ମୃତ ଶରୀର ରଖାଯାକହନ୍ତି। ଏହାଛଡ଼ା ଶୁଭବ୍ରତ କାହାରି ସାଙ୍ଗରେ ମିଳାମିଶା କରୁନଥିବାବେଳେ ତାଙ୍କ ବାପା ମଧ୍ୟ କେବେ ବାହାରକୁ ବାହାରନ୍ତି ନାହିଁ।
ବୁଧବାର ପଡ଼ୋଶୀଙ୍କଠାରୁ ଖବର ପାଇ ପୁଲିସ ଶୁଭବ୍ରତଙ୍କ ଘରେ ପହଞ୍ଚିବା ପରେ ଘରର ତଳ ମହଲାରେ ଦୁଇଟି ଫ୍ରିଜର ଥିବା ଦେଖିବାକୁ ପାଇଥିଲା। ଗୋଟିଏ ଖରାପ ହେଲେ ଅନ୍ୟଟି କାମରେ ଲାଗିବ ବୋଲି ଏହା ରଖାଯାଇଥିବା ଜଣାପଡ଼ିଥିଲା। ଏହାଛଡ଼ା କେତେଗୁଡ଼ିଏ କଣ୍ଟେନର ଭଳି ଜିନିଷପତ୍ର ମଧ୍ୟ ପୁଲିସ ଠାବ କରିଥିଲା। ଉପର ମହଲା ଖାଲି ପଡ଼ିଥିବାବେଳେ ତଳ ମହଲାରେ ଫ୍ରିଜର ପାଖରେ ବାପା-ପୁଅ ଅବସ୍ଥାନ କରୁଥିବା ଦେଖାଯାଇଥିଲା। ବୀଣାଙ୍କ ମୃତ ଶରୀରକୁ ବାହାର କରାଯିବା ପରେ ମୃତ୍ୟୁ ପରବର୍ତ୍ତୀ ସମୟରେ ଏହାର ବ୍ୟବଚ୍ଛେଦ ହୋଇଥିବା ଜଣାପଡ଼ିଥିଲା। ପୁଲିସ ସମସ୍ତ ସାମଗ୍ରୀ ଓ ମୃତ ଶରୀରକୁ ଫରେନ୍‍ସିକ ପରୀକ୍ଷା ପାଇଁ ପଠାଇଛି। ଏହାଛଡ଼ା ଶୁଭବ୍ରତ ଓ ବୃଦ୍ଧ ଗୋପାଳଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ଏହାଛଡ଼ା ଶୁଭବ୍ରତ ମା’ଙ୍କ ପେନ୍‍ସନ୍‍ ଉଠାଉଥିବା ଘଟଣାର ତଦନ୍ତ ହେବ ବୋଲି ପୁଲିସ ଉପାୟୁକ୍ତ ନୀଲଞ୍ଜନ ବିଶ୍ୱାସ କହିଛନ୍ତି।
ଉଲ୍ଲେଖଯୋଗ୍ୟ କି କଲକାତାରେ ଏଭଳି ଘଟଣା ଦ୍ୱିତୀୟ। ୨-୧୫ରେ ରବିନସନ୍‍ ଷ୍ଟ୍ରିଟ୍‍ରେ ଜଣେ ୪୬ବର୍ଷୀୟ ସଫ୍ଟୱେର ଇଞ୍ଜିନିୟର ପାର୍ଥ ଦେ ତାଙ୍କ ବଡ଼ ଭଉଣୀଙ୍କ ମୃତ ଶରୀର ଓ ଦୁଇ ପୋଷା କୁକୁରଙ୍କ ସହିତ ପ୍ରାୟ ୬ମାସ ବସବାସ କରୁଥିବା ଖବର ବେଶ୍‍ ଚର୍ଚ୍ଚିତ ହୋଇଥିଲା। ପାର୍ଥଙ୍କ ସହିତ ତାଙ୍କ ବାପା ମଧ୍ୟ ସମାନ ଘରେ ବାସ କରୁଥିଲେ। ପୁଲିସ ଏବେ ସମ୍ପୃକ୍ତ ଘଟଣାର ତଦନ୍ତ ଚଳାଇଛି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories