କର୍ମଚାରୀ ଅଭାବ; ବଢ଼ୁଛି ରୋଗୀଙ୍କ ଦୁର୍ଦ୍ଦଶା
କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମ୍ୟାଲେରିଆ, ଝାଡ଼ାବାନ୍ତି ଓ ଡେଙ୍ଗୁ ଅଞ୍ଚଳ ଭାବେ ପରିଚିତ। ପ୍ରତିବର୍ଷ ବର୍ଷା ଆରମ୍ଭରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ରୋଗୀଙ୍କ ଭିଡ଼ ଲାଗିଥାଏ। ଲୋକଙ୍କ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏକମାତ୍ର ସହାଭରସା। ହେଲେ ଏହା ବର୍ତ୍ତମାନ ନାନା ପ୍ରକାର ସମସ୍ୟା ଘେରରେ ରହିଛି। ପ୍ରତିଦିନ ଏଠାକୁ ଆସୁଥିବା ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ କର୍ମଚାରୀଙ୍କ ଅଭାବ ଯୋଗୁ ରୋଗୀମାନଙ୍କୁ ସେବା ଠିକରେ ମିଳିପାରୁନାହିଁ।
ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଔଷଧ କେନ୍ଦ୍ରରେ ପାଣି ଗଳୁଥିବାରୁ ଲକ୍ଷାଧିକ ଟଙ୍କାର ଔଷଧ ପତ୍ର ନଷ୍ଟ ହେଉଛି। ଏଠାରେ ଥିବା ପ୍ରସୂତି ଗୃହରେ ମଧ୍ୟ ବର୍ଷା ହେଲେ ପାଣି ଗଳୁଛି। ସ୍ୱାସ୍ଥ୍ୟକେନ୍ଦ୍ରକୁ ସମଗ୍ର ବ୍ଲକବାସୀଙ୍କ ସହ ନିୟମଗିରି ଅଞ୍ଚଳର ପାର୍ସାଲି ପଞ୍ଚାୟତର ଡ଼ଙ୍ଗରିଆ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମାଝିଗୁଡା,ସିକରପାଇ ଓ ବଡ଼ତଡ୍ରାରୁ ରୋଗୀମାନେ ଆସନ୍ତି। ଏଠାରେ ୩ ଜଣ ବିଶେଷଜ୍ଞ, ୯ ଜଣ ଡାକ୍ତର, ୨ ଜଣ ଫାର୍ମାସିଷ୍ଟ, ୨ ଜଣ ଟେକ୍ନିସିଆନ ରହିବା ନିୟମ ରହିଛି। ଏଠାରେ ବିଶେଷଜ୍ଞ ନ ଥିବାରୁ ସାମାନ୍ୟ ଜ୍ୱର ପାଇଁ ଲୋକଙ୍କୁ ମୁଖ୍ୟ ଚିକିତ୍ସାଳୟ ରାୟଗଡା ଅବା ଜିଲ୍ଲା ବାହାରକୁ ଯିବାକୁ ପଡୁଛି। ଏକ୍ସରେ ମେସିନ ନ ଥିବାରୁ ଲୋକେ ରାୟଗଡା ଯାଉଛନ୍ତି। ଗରିବ ଲୋକଙ୍କୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଫାର୍ମାସିଷ୍ଟ ନ ଥିବାରୁ ଡେପୁଟେସନରେ ଆସି ଜଣେ କାମ ଚଳାଉଛନ୍ତି। ଏଠାରେ ବିଭିନ୍ନ ଉପକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ବିଦ୍ୟାଳୟକୁ ଔଷଧ ପଠାଯାଉଛି। ୨ ବର୍ଷ ପୂର୍ବେ ନିର୍ମିତ ଔଷଧକେନ୍ଦ୍ରରୁ ପାଣି ଗଳୁଛି ଓ କାନ୍ଥଫାଟି ଆଁ କରିଛି। ଡାକ୍ତର ଓ ଅନ୍ୟ କର୍ମଚାରୀ ରହୁଥିବା ଘରୁ ମଧ୍ୟ ପାଣି ଗଳୁଛି। ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରଣ ପାଇଁ ଜମି ଚିହ୍ନଟ କରାଯାଉଛି। ତାହା ସହର ଠାରୁ ୪ କିମି ଦୂର ହେଉଥିବାରୁ ଜନ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ପୁରୁଣା ସ୍ୱାସ୍ଥ୍ୟକେନ୍ଦ୍ରକୁ ନୂଆରୂପରେ ନିର୍ମାଣ କରି ସରଞ୍ଜାମ ଲଗାଇବା ଓ ବିଶେଷଜ୍ଞ ନିଯୁକ୍ତି ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Comments are closed.