୫ ଜଣଙ୍କୁ ବରିଷ୍ଠ ନାଗରିକ ସମ୍ମାନ ପ୍ରଦାନ

କେନ୍ଦୁଝରଗଡ : ଅଡିଟୋରିୟମଠାରେ ରବିବାର ସନ୍ଧ୍ୟାରେ ରୋଟାରୀ କ୍ଲବ କେନ୍ଦୁଝର ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ଯାଜ୍ଞଶିଷ ମହାପାତ୍ର ଓ ତାଙ୍କ ସହଧର୍ମିଣୀ ଫାଷ୍ଟ ଲେଡି ଇତୁନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରୋଟାରୀ କ୍ଲବ କେନ୍ଦୁଝର ଶାଖା ସଭାନେତ୍ରୀ ରାଜଲକ୍ଷ୍ମୀ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଷ୍ଟ୍ରି କ୍ଟ ଚେୟାର ରୋଟାରିଆନ ନିହାରିକା ମିଶ୍ର, ରୋଟାରିଆନ ଧର୍ମେନ୍ଦ୍ର ଅଗ୍ରୱାଲ, ରୋଟାରୀଆନ ଶିବବ୍ରତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଗାନାସିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କେନ୍ଦୁଝର ନର୍ସିଂ କଲେଜ, ସିଟିଜ କଲେଜ, ଇନ୍ଦ୍ରଧନୁ ପରିବାର ଏବଂ ସ୍ଥାନୀୟ କଳାକାରଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ପ୍ରିୟଦର୍ଶିନୀ ପଟ୍ଟନାୟକଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଭ କରିଥିବା ଅବସରପ୍ରାପ୍ତ ସିଡିଏମଓ ଡାକ୍ତର ପି.ସି.ଦାସ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଚିତ୍ତ ରଞ୍ଜନ ମିଶ୍ର, ସବିତା ଦାଶ, ବିଜୟଲକ୍ଷ୍ମୀ ପଟ୍ଟନାୟକ ଓ ନୃସିଂହ ଚରଣ ସ୍ୱାଇଁ ପ୍ରମୁଖ ବରିଷ୍ଠ ୫ଜଣ ବ୍ୟକ୍ତିବିଶେଷଙ୍କୁ ରୋଟାରୀ କ୍ଲବ କେନ୍ଦୁଝର ଶାଖା ପକ୍ଷରୁ ଡିଷ୍ଟ୍ରିକ୍ ଗଭର୍ଣ୍ଣର ଯାଜ୍ଞଶିଷ ମହାପାତ୍ର ଓ ଅନ୍ୟ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।
ରୋଟାରୀ କ୍ଲବ କେନ୍ଦୁଝର ଶାଖା ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ସଭାନେତ୍ରୀ ଶ୍ରୀମତୀ ସ୍ୱାଇଁ ଓ ସମ୍ପାଦକ ଦୀପକ ନାୟକ ସୂଚନା ପ୍ରଦାନ କରିଥିବା ବେଳେ ରୋଟାରିଆନ ଇଂ.ସୁରେଶଚନ୍ଦ୍ର ଖଟୋଇ ଓ ଇଂ.ଦେବବ୍ରତ ସ୍ୱାଇଁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ରୋଟାରୀ କ୍ଲବ କେନ୍ଦୁଝର ଶାଖାର ସଫଳତାକୁ ଗୋନାସିକା ଏଜୁକେସନାଲ ଗ୍ରୁପର ମୁଖ୍ୟ ରୋଟାରିଆନ ରାଜଶ୍ରୀ ଖଟୋଇଙ୍କ ଦ୍ୱାରା ସମ୍ପାଦିତ ସ୍ମରଣିକାକୁ ଅତିଥିଗଣଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ରୋଟାରୀ କ୍ଲବ କେନ୍ଦୁଝର ଶାଖା ପକ୍ଷରୁ ଜଣେ ଗରିବ ଉଚ୍ଚ ଶିକ୍ଷିତ ଯୁବକଙ୍କୁ ଆତ୍ମନିର୍ଭରଶୀଳ କରାଇବା ଉଦେଶ୍ୟରେ ତାଙ୍କ ଅନୁରୋଧକ୍ରମେ କ୍ଲବ ପକ୍ଷରୁ ଏକ ସ୍ୱାବଲମ୍ବୀ ଠେଲା ଗାଡି ପ୍ରଦାନ କରାଯାଇଥିଲା । ସହରର ଉପକଣ୍ଠ ଗୋବିନ୍ଦପୁରଠାରେ ପଥଚାରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ନୂତନ ପାନୀୟଜଳ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଏଥିସହିତ କେନ୍ଦୁଝର ସହର ଲାବଣ୍ୟଛକସ୍ଥିତ ଏକ ପେଟ୍ରୋଲ ପମ୍ପରେ କେନ୍ଦୁଝର ସହର ଓ ତା’ ନିକଟସ୍ଥ ଗୁରୁତର ରୋଗୀମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏକ ଅକ୍ସିଜେନ ସିଲିଣ୍ଡର ବ୍ୟାଙ୍କ ଉଦ୍ଘାଟିତ ହୋଇଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ରୋଟାରୀ କ୍ଲବ କେନ୍ଦୁଝର ଶାଖାର ସମସ୍ତ ସଦସ୍ୟ ଓ ସଦସ୍ୟା, ଇନର ହ୍ୟୁଇଲ୍ କ୍ଲବର ସମସ୍ତ ସଦସ୍ୟା, ରୋଟାକ୍ଟ କ୍ଲବର ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କ ସହଯୋଗରେ ସୂଚାରୁରୂପେ ସମ୍ପାଦନା କରାଯାଇଛି । ଶେଷରେ ରୋଟାରୀଆନ ଅଶ୍ୱିନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.