ସମ୍ବଲପୁର : ରାଜ୍ୟର ଇତିହାସରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱରରୁ ବାହାରେ ସମ୍ବଲପୁର ସହରରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ଶିବିର ସୋମବାର ଆୟୋଜିତ ହୋଇଯାଇଛି । ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟରେ ଆୟୋଜିତ ଏହି ଜନଶୁଣାଣି ଶିବିରରେ ପୁରା ରାଜ୍ୟ ପ୍ରଶାସନ ସାମିଲ ହୋଇଥିଲା । ଲୋକାରଣ୍ୟରେ ସକାଳ ୮ଟାରେ ଆରମ୍ଭ ହୋଇଥିବା ଏହି ଶିବିରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ୧୦ ଜଣ ମନ୍ତ୍ରୀ ଯଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀକୃଷ୍ଣ ଚନ୍ଦ୍ର ମହାପାତ୍ର, ଜଙ୍ଗଲ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପ୍ରମୁଖ ଯୋଗ ଦେଇଥିଲେ । ଏଥି ସହ ବିଭିନ୍ନ ବିଭାଗର ୧୨ ଜଣ ସଚିବ ଯଥା ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ବ୍ୟକ୍ତିଗତ ସଚିବ ମନୋଜ କୁମାର ସାହୁ, ଅତିରିକ୍ତ ମୁଖ୍ୟ ସଚିବ ଅନୁପମ ସାହା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ସଚିବ ଦେବରଞ୍ଜନ କୁମାର ସିଂହ, ସୁରେନ୍ଦ୍ର କୁମାର, ସଞ୍ଜୀବ କୁମାର ମିଶ୍ର, ଶ୍ରୀମତୀ ଶୁଭା ଶର୍ମା, ଗିରିଶ ଏସ. ଏନ., ଶ୍ରୀମତୀ ଅୱସ୍ତି ଏସ., ଅରବିନ୍ଦ ଅଗ୍ରୱାଲ ଏବଂ ଆର.ଏସ. ଗୋପାଲନ ଏହି ଶିବିରରେ ଯୋଗ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣିର ଆଜି ଥିଲା ୧୦ମ ପାଳି । ସମ୍ବଲପୁରରେ ଜନ ଶୁଣାଣି କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ଶୁଭଙ୍କର । ସରକାରଙ୍କ ପାଇଁ, ଲୋକଙ୍କ ପାଇଁ, ଓଡିଶା ରାଜ୍ୟ ପାଇଁ ଓ ଗଣତନ୍ତ୍ର ପାଇଁ ଏହା ଏକ ସକାରତ୍ମକ ବାର୍ତ୍ତା ଦେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମର ଏହି ଜନ ଶୁଣାଣି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରଙ୍କୁ ମାର୍ଗ ଦର୍ଶନ ଆମକୁ ଲୋକଙ୍କ ଆହୁରୀ ନିକଟତର ହେବାକୁ ପ୍ରେରଣା ଦେଇଛି । ଆମର ଉଦ୍ଦେଶ୍ୟ ହେଉଛି ରାଜ୍ୟର ବୃହତ୍ତର ବିକାଶର ଲକ୍ଷ୍ୟ ପୁରଣ ମଧ୍ୟରେ ଗରିବ, ଅସହାୟ ଲୋକଙ୍କ ଦୁଃଖକୁ ଆମେ ଯେପରି ନଜର ଅନ୍ଦାଜ ନ କରୁ । ସେମାନେ ଯେପରି ଅନୁଭବ ନ କରନ୍ତି ଯେ, ସେମାନଙ୍କ ଦୁଃଖ ଶୁଣିବା ପାଇଁ କେହି ନାହାନ୍ତି । ପୁର୍ବ ସରକାର ଏଥି ପ୍ରତି ଉଦାସୀନ ମନୋଭାବ ପୋଷଣ କରୁଥିଲେ । ଆମେ କିନ୍ତୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜନ ଶୁଣାଣି କରିବା ପାଇଁ ନିଷ୍ପତ୍ତି ନେଇଛୁ । ଆଜି ସମ୍ବଲପୁରରେ ହେଲା, ଆଗାମୀ ଦିନରେ ରାଜ୍ୟର ଅନ୍ୟ ସ୍ଥାନରେ ହେବ । ଏହି କ୍ଷେତ୍ରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଦ୍ୱାରା ଅଧିକାରୀ ମାନେ ସେମାନଙ୍କ ସ୍ତରରେ ହିଁ, ଯେତେଦୂର ସମ୍ଭବ, ଲୋକଙ୍କ ସମସ୍ୟା ସମାଧାନ କରିବାକୁ ତତ୍ପର ହେବେ। ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ଦିଗରେ ଅଧିକ ସଚେତନ ହେବେ । ସମସ୍ତ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ଅଧିକାରୀ ମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆ ଯାଇଛି । ପୂର୍ବ ଜନଶୁଣାଣି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗରୁ ଭୁବନେଶ୍ୱରରେ ଆମର ୯ଟି ଜନ ଶୁଣାଣି ହୋଇଛି। ପୂର୍ବ ୯ଟି ପାଳିରେ ୯ ହଜାର ୩୭୭ ଲୋକଙ୍କ ଅଭିଯୋଗ ଗ୍ରହଣ କରିଛୁ ଏବଂ ପ୍ରାୟ ୮୮ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି। ଅବଶିଷ୍ଟ ଗୁଡିକ ପ୍ରକ୍ରିୟା ଭିତରେ ଅଛି । ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମର ଆଜି ଥିଲା ୧୦ମ ପାଳି। ଏହି ପାଳିରେ ପ୍ରାୟ ୧୦୦୦ ଜଣ ଅନଲାଇନ ଜରିଆରେ ପଂଜିକୃତ ଓ ଅଫଲାଇନରେ ପ୍ରାୟ ୪୦୦ ଲୋକଙ୍କ ଅଭିଯୋଗ ଗ୍ରହଣ କରାଯାଇଛି । ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମରେ ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଉଛି। ଆଜି ଏହି ସିଷ୍ଟମରେ ଚିକିତ୍ସା ଖର୍ଚ୍ଚ ପାଇଁ ୧୮ ଜଣଙ୍କୁ ୧୯ ଲକ୍ଷ ୫୦ ହଜାର ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି । ଏହି ତତ୍କାଳ ସହାୟତା ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଅଭିଯୋଗ ପ୍ରକୋଷ୍ଠରେ ଡାକ୍ତରୀ ଦଳ ମଧ୍ୟ ନିୟୋଜିତ ଥିଲେ । କେବଳ ଚିକିତ୍ସା ସହାୟତା ନୁହେଁ, ଅନ୍ୟାନ୍ୟ ବିଭିନ୍ନ ସମସ୍ୟା ନେଇ ଅଭିଯୋଗକାରୀମାନେ ଆସିଥିଲେ । ସମସ୍ତଙ୍କ ଅଭିଯୋଗ ଗୁଡ଼ିକୁ ଗୁରୁତ୍ୱର ସହ ଶୁଣି ଆବଶ୍ୟକ ସ୍ଥଳେ ଟେଲିଫୋନ୍ ଜରିଆରେ ମନ୍ତ୍ରୀମଣ୍ଡଳର ସଦସ୍ୟ ଓ ଉପସ୍ଥିତ ବରିଷ୍ଠ ସଚିବ ସ୍ତରୀୟ ଅଧିକାରୀମାନେ ସମ୍ପୃକ୍ତ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଉଥିଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଏହି ଜନଶୁଣାଣି ଶିବିରରେ ସମ୍ବଲପୁର ବିଧାୟକ, ଜୟନାରାୟଣ ମିଶ୍ର, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସମେତ ଅନ୍ୟ ବିଧାୟକ ମାନେ ସାମିଲ ହୋଇଥିଲେ ।



