କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତର ନିୟମଗିରି ପାହାଡରେ ଥିବା ଲାକପଦର ଓ ପଟାଙ୍ଗପଦରର ସମସ୍ୟାକୁ ନେଇ ସୋମବାର ଡଙ୍ଗରିଆ କନ୍ଧମାନେ ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିୟମଗିରି ପାହାଡ଼ର ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକକାଙ୍କ ନେତୃତ୍ୱରେ ବହୁ ଡଙ୍ଗରିଆ ମହିଳା ପୁରୁଷ ଏକତ୍ରିତ ହୋଇ ସମିତି କାର୍ଯ୍ୟାଳୟରେ ବିଡିଓ ମନୀଷା ଦାସଙ୍କୁ ତତ୍କାଳୀନ ଜିଲ୍ଲାପାଳ ଦେଇଥିବା ପ୍ରତିଶ୍ରୁତି ଦୁଇ ଗ୍ରାମରେ କାର୍ଯ୍ୟକାରୀ ହୋଇନଥିବା ଲିଖିତ ଅଭିଯୋଗ କରିବା ପାଇଁ ଆସିଥିଲେ। କିନ୍ତୁ କୌଣସି କାରଣ ଯୋଗୁଁଁ ବିଡିଓ ଅନୁପସ୍ଥିତ ରହିଥିବାରୁ ବ୍ଲକ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ। ଉକ୍ତ ପତ୍ରରେ ଦୀର୍ଘ ଏକ ବର୍ଷରୁ ଊର୍ଦ୍ଧ୍ବକାଳ ହେବ ତତ୍କାଳୀନ ଜିଲାପାଳ ପ୍ରତିଶ୍ରୁତି ସତ୍ତ୍ୱେ ଲାକପଦର ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର, ସିମେଣ୍ଟ ରାସ୍ତା, ତିନୋଟି ପାଣି ଟାଙ୍କି ସ୍ଥାପିତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁଯାୟୀ ବାସଗୃହ, ବିଦ୍ୟୁତ ସଂଯୋଗ କରାଯାଇ ପାରିନାହିଁ ବୋଲି ଲିଖିତ ଭାବେ ଜଣାଇଛନ୍ତି।
ଡଙ୍ଗରିଆ କନ୍ଧ ନାମରେ ପର୍ଯ୍ୟାପ୍ତ ସରକାରୀ ପାଣ୍ଠି ବ୍ୟୟ ହେଉଛି ବୋଲି ସରକାର ଓ ପ୍ରଶାସନ ଆତ୍ମମୁଗ୍ଧ ହୋଇ ଡିଣ୍ଡିମ ପିଟୁଥିବାବେଳେ ବାସ୍ତବରେ ଡଙ୍ଗରିଆ କନ୍ଧ ପାଇଁ କାର୍ଯ୍ୟ ହୋଇପାରୁନାହିଁ। ପୂର୍ବ ପୁରୁଷରୁ ଯେଉଁ ଭଳି ଡଙ୍ଗରିଆ ରହିଥିଲେ ବର୍ତ୍ତମାନ ସେହି ଅବସ୍ଥାରେ ପଡ଼ିରହିଛନ୍ତି। କିନ୍ତୁ ଡଙ୍ଗରିଆ ସେମାନଙ୍କର ବିକାଶ ହୋଇପାରୁନାହିଁ। ଡଙ୍ଗରିଆଙ୍କ ପାଇଁ ଯେଉଁ ମଙ୍ଗଳକାରୀ ପ୍ରତିଶ୍ରୁତି ପାଳନ କରିବାକୁ ଟାଳଟୁଳ ନୀତି ଅବଲମ୍ବନ କରାଯାଇଛି। ଅପପୁଷ୍ଟି ଓ ଦାରିଦ୍ର୍ୟ ପ୍ରପୀଡ଼ିତକୁ ନେଇ ଲାକପଦର ଓ ପଟାଙ୍ଗପଦର ଦୁଇ ଗାଁକୁ ନେଇ ଏକ ଅଙ୍ଗନବାଡ଼ି କେନ୍ଦ୍ର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତାହା ଆମ ଡଙ୍ଗରିଆଙ୍କ ପ୍ରତି ନିଷ୍ଠୁର ଉପହାସ ସଦୃଶ୍ୟ। ଲାକପଦର ଗ୍ରାମବାସୀ ନିର୍ମିତ କରିଥିବା ସମିତି ଘରକୁ ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ କାନ୍ଥରେ ଆମ ଅଙ୍ଗନବାଡ଼ି କେନ୍ଦ୍ର ବୋଲି ପୋଷ୍ଟର ମାରି ଛାଡି ଦେଇଛନ୍ତି। ପ୍ରଶାସନ ନିକଟରେ ପ୍ରତିକାର ଦାବି ଦୋହରାଇବା ପାଇଁ ଆସିଥିବା ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକକା କହିଛନ୍ତି। ଉକ୍ତ ବିଷୟରେ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ବିଭିନ୍ନ ସମସ୍ୟା ନେଇ ଆସିଛନ୍ତି। ଖୁବଶୀଘ୍ର ସେମାନଙ୍କ ସମସ୍ୟା ଦୂର କରାଯିବ ବୋଲି କହିଛନ୍ତି। ଆବାସ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ବଞ୍ଚିତ ରହିଛନ୍ତି, ସେମାନଙ୍କୁ ଚଳିତ ବର୍ଷ ସାମିଲ କରି ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି।



