ସମ୍ବଲପୁର: ସମ୍ବଲପୁରରେ ଲୋକଙ୍କ ଦୁଃଖ ଶୁଣିଲେ ସରକାର। ଆଜି ୧୪୦୦ ଲୋକଙ୍କ ଅଭିଯୋଗ ଶୁଣାଣି ହୋଇଛି। ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ୧୮ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସିଙ୍ଗଲ ୱିଣ୍ଡୋ ସିଷ୍ଟମରେ ତୁରନ୍ତ ୧୯ ଲକ୍ଷ ୫୦ ହଜାର ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଅଭିଯୋଗ ଶୁଣାଣି ହେବ। କ୍ଷେତ୍ରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଗଣତନ୍ତ୍ର ପାଇଁ ଶୁଭଙ୍କର, ଅଧିକାରୀମାନେ ସେମାନଙ୍କ ସ୍ତରରେ ହିଁ ଲୋକଙ୍କ ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗରିବ, ଅସହାୟ ଲୋକଙ୍କ ଦୁଃଖ ପ୍ରତି ଉଦାସୀନ ରହି ହେବ ନାହିଁ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ସମ୍ବଲପୁରରେ ଏ ଜନ ଶୁଣାଣି କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ଶୁଭଙ୍କର। ସରକାରଙ୍କ ପାଇଁ, ଲୋକଙ୍କ ପାଇଁ, ଓଡ଼ିଶା ରାଜ୍ୟ ପାଇଁ ଓ ସର୍ବୋପରି ଗଣତନ୍ତ୍ର ପାଇଁ ଏକ ସକରାତ୍ମକ ବାର୍ତ୍ତା ଦେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଆମର ଏହି ଜନ ଶୁଣାଣି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମାର୍ଗ ଦର୍ଶନ ଆମକୁ ଲୋକଙ୍କ ଆହୁରି ନିକଟତର ହେବାକୁ ପ୍ରେରଣା ଦେଇଛି ବୋଲି ସେ କହିଛନ୍ତି।
ବୃହସ୍ପତି ଚଳନ : ଏହି ରାଶି ହେବେ ମାଲାମାଲ୍, ଜାଣନ୍ତୁ କାହାର ହେବ ବିବାହ, କାହାର ରହିବନି ଚିନ୍ତା
ଆମର ଉଦ୍ଦେଶ୍ୟ ହେଉଛି ରାଜ୍ୟର ବୃହତ୍ତର ବିକାଶର ଲକ୍ଷ୍ୟ ପୂରଣ ଭିତରେ ଗରିବ, ଅସହାୟ ଲୋକଙ୍କ ଦୁଃଖକୁ ଆମେ ଯେପରି ନଜର ଅନ୍ଦାଜ୍ ନ କରୁ। ସେମାନେ ଯେପରି ଅନୁଭବ ନ କରନ୍ତି ଯେ, ସେମାନଙ୍କ ଦୁଃଖ ଶୁଣିବା ପାଇଁ କେହି ନାହାନ୍ତି। ପୂର୍ବ ସରକାର ଏଥିପ୍ରତି ଉଦାସୀନ ମନୋଭାବ ପୋଷଣ କରୁଥିଲେ। ଆମେ କିନ୍ତୁ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜନ ଶୁଣାଣି କରିବା ପାଇଁ ନିଷ୍ପତ୍ତି ନେଇଛୁ। ଆଜି ସମ୍ବଲପୁରରେ ହେଲା, ଆଗାମୀ ଦିନରେ ରାଜ୍ୟର ଅନ୍ୟ ସ୍ଥାନରେ ହେବ।
ଏହି କ୍ଷେତ୍ରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଦ୍ୱାରା ଅଧିକାରୀମାନେ ସେମାନଙ୍କ ସ୍ତରରେ ହିଁ, ଯେତେଦୂର ସମ୍ଭବ, ଲୋକଙ୍କ ସମସ୍ୟା ସମାଧାନ କରିବାକୁ ତତ୍ପର ହେବେ। ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ଦିଗରେ ଅଧିକ ସଚେତନ ହେବେ। ସମସ୍ତ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।
ପୂର୍ବ ଜନଶୁଣାଣି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗରୁ ଭୁବନେଶ୍ୱରରେ ଆମର ନଅ’ଟି ଜନ ଶୁଣାଣି ହୋଇଛି। ପୂର୍ବ ନଅ’ଟି ପାଳିରେ ୯,୩୭୭ ଲୋକଙ୍କ ଅଭିଯୋଗ ଗ୍ରହଣ କରିଛୁ ଏବଂ ପ୍ରାୟ ୮୮ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି। ଅବଶିଷ୍ଟ ଗୁଡିକ ପ୍ରକ୍ରିୟା ଭିତରେ ଅଛି।
ସୂଚନାଯୋଗ୍ୟ, ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ୧୦ମ ପାଳି। ଏହି ପାଳିରେ ପ୍ରାୟ ୧୦୦୦ ଜଣ ଅନଲାଇନ ଜରିଆରେ ପଞ୍ଜିକୃତ ଓ ଅଫଲାଇନରେ ପ୍ରାୟ ୪୦୦ ଲୋକଙ୍କ ଅଭିଯୋଗ ଗ୍ରହଣ କରାଯାଇଛି ।
ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମରେ ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଉଛି। ଆଜି ଏହି ସିଷ୍ଟମରେ ଚିକିତ୍ସା ଖର୍ଚ୍ଚ ପାଇଁ ୧୮ ଜଣଙ୍କୁ ୧୯ ଲକ୍ଷ ୫୦ ହଜାର ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି। ଏହି ତତ୍କାଳ ସହାୟତା ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଅଭିଯୋଗ ପ୍ରକୋଷ୍ଠରେ ଡାକ୍ତରୀ ଦଳ ମଧ୍ୟ ନିୟୋଜିତ ଥିଲେ। କେବଳ ଚିକିତ୍ସା ସହାୟତା ନୁହେଁ, ଅନ୍ୟାନ୍ୟ ବିଭିନ୍ନ ସମସ୍ୟା ନେଇ ଅଭିଯୋଗକାରୀମାନେ ଆସିଥିଲେ। ସମସ୍ତଙ୍କ ଅଭିଯୋଗ ଗୁଡ଼ିକୁ ଶୁଣି ଆବଶ୍ୟକ ସ୍ଥଳେ ଟେଲିଫୋନ୍ ଜରିଆରେ ମନ୍ତ୍ରୀମଣ୍ଡଳର ସଦସ୍ୟ ଓ ଉପସ୍ଥିତ ବରିଷ୍ଠ ସଚିବ ସ୍ତରୀୟ ଅଧିକାରୀମାନେ ସମ୍ପୃକ୍ତ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଉଥିଲେ। ଅଭିଯୋଗ ପ୍ରକୋଷ୍ଠରୁ ଫେରୁଥିବା ପ୍ରତ୍ୟେକଙ୍କ ମୁହଁରେ ପ୍ରକାଶ ପାଉଥିଲା ଭରସା ଓ ଆତ୍ମ ସନ୍ତୋଷର ଚିହ୍ନ।
ମୁଖ୍ୟମନ୍ତ୍ରୀଙ୍କ ସହିତ ୧୦ ଜଣ ମନ୍ତ୍ରୀ, ବିଭାଗୀୟ ସଚିବ ଓ ପଦାଧିକାରୀ ଉପସ୍ଥିତ ରହିଥିଲେ। ଗତ ନଅଟି ପାଳିରେ ପ୍ରାୟ ୧୦ ହଜାର ଅଭିଯୋଗ ଗ୍ରହଣ କରାଯାଇଛିା ନଅଟି ପାଳିରେ ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୮୮ ପ୍ରତିଶତ ସମାଧାନ କରାଯାଇଛି। ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ ସମ୍ବଲପୁରରେ ପହଞ୍ଚି ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ।



