ସମ୍ବଲପୁର: ଆଲବମ୍ ଅଭିନେତ୍ରୀ ସିମରନ ସିଂଙ୍କ ମୃତ୍ୟୁ ମାମଲାରେ ପୁଲିସ ତାଙ୍କ ବୟଫ୍ରେଣ୍ଡ ତଥା ସ୍ବାମୀ ଧ୍ରୁବରାଜ ସୁନାଙ୍କୁ ଅଟକ ରଖିଛି । ବେଲପଡା ଥାନା ପୁଲିସ ଧ୍ରୁବରାଜଙ୍କୁ ତାଙ୍କ ଘରୁ ଉଠାଇ ଆଣିଛି । ସିମରନଙ୍କୁ ବିବାହ କରିଥିବା ଧ୍ରୁବରାଜ ସ୍ବୀକାର କରିଛି । ଅଧିକ ତଥ୍ୟ ଜାଣିବା ପାଇଁ ପଚରାଉଚରା ଜାରି ରଖିଛି । ସିମରନ ଆତ୍ମହତ୍ୟା କରିଛନ୍ତି ବା ତାଙ୍କୁ କେହି ହତ୍ୟା କରିଛି ଏ ବାବଦରେ ତାଙ୍କୁ କିଛି ଜଣାନଥିବା ଧ୍ରୁବରାଜ କହିଛନ୍ତି ।
ମୃତ୍ୟୁ ପୂର୍ବରୁ ସିମରନ୍ ତାଙ୍କର ଜଣେ ବନ୍ଧୁ ନିକଟକୁ ଭଏସ୍ ମେସେଜ ପଠାଇଥିଲେ । ଯାହା ଭାଇରାଲ ହୋଇଛି । ଏହି ଭଏସ୍ ମେସେଜରେ ‘ନିଜକୁ ଛାଡି, ପରିବାରକୁ ଛାଡି ଦୂରକୁ ଚାଲି ଯାଉଛି’ କହିଛନ୍ତି । ସେ ମାନସିକ ସ୍ତରରେ ଭାଙ୍ଗି ପଡିଥିବା ମଧ୍ୟ ଏହି ଭଏସ୍ ମେସେଜରେ କହିଛନ୍ତି । ଟ୍ରେନରେ ଯାଉଥିବା ସମୟରେ ଏହି ମେସେଜ ରେକର୍ଡିଂ କରାଯାଇ ଥିବା ଅନ୍ତରାଳ ଶବ୍ଦରୁ ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ, ସମ୍ବଲପୁର ଜିଲା ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ଗୁରୁବାର ସକାଳେ ଆଲବମ୍ ଅଭିନେତ୍ରୀ ସିମରନ୍ ସିଂ ଙ୍କ ମୃତଦେହ ମିଳିଥିଲା । ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ହତ୍ୟା କରି କେହି ନଦୀ ପଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଥିଲା । ତାଙ୍କ ମୁଣ୍ଡ ଫାଟି ଥିବା ବେଳେ ଶରୀରର ଅନେକ ସ୍ଥାନରେ କ୍ଷତଚିହ୍ନ ଥିବା ଦେଖିବାକୁ ମିଳିଥିଲା। ତାଙ୍କ ପରିବାର ଲୋକ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ।



