ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ
ଗୋପାଳପୁର : ଗୋଳନ୍ଥରା ଥାନା ଅଞ୍ଚଳରେ ନବବଧୂକୁ ହତ୍ୟା କରିଥିବା ନେଇ ସୋମବାର ରାତିରେ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏ ନେଇ ପୁଲିସ ଏକ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୃତକ ଜଗନ୍ନାଥପୁର ଓଡ଼ିଆରପି କଲୋନୀର ରାଣୀ ମହାରଣା ବୋଲି ପୁଲିସ ସୂଚନା ଦେଇଛି । ଗୋପାଳପୁର ଥାନା ଅଧିନସ୍ଥ ଆରୁଆପୁଲ୍ଲୀ ଗ୍ରାମର ରାଣୀ ମହାରଣାଙ୍କ ସହିତ ଗୋଳନ୍ଥରା ଥାନା ଅଧିନସ୍ଥ ଜଗନ୍ନାଥପୁର ଓଡ଼ିଆରପି କଲୋନୀର ଲକ୍ଷ୍ମୀ ମହାରଣାଙ୍କ ଚାରି ମାସ ତଳେ ବିବାହ ହୋଇଥିଲା । କିଛି ଦିନ ପରେ ରାଣୀକୁ ଲକ୍ଷ୍ମୀ ଯୌତୁକ ଜନିତ ନିର୍ଯାତନା ଦେବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କଲେ । ସୋମବାର ଅପରାହ୍ନରେ ରାଣୀ ମୃତ୍ୟୁବରଣ କରିଥିବା ନେଇ ତାଙ୍କ ବାପ ଘରଲୋକଙ୍କୁ ଲକ୍ଷ୍ମୀ ଜଣାଇଥିଲେ ।
ଖବର ପାଇ ସନ୍ଧ୍ୟାରେ ରାଣୀଙ୍କ ଭାଇ ରାଜେଶ କୁମାର ମହାରଣା ଘଟଣାସ୍ଥଳରେ ପହଞ୍ଚିବାବେଳେ ତାଙ୍କ ଭଉଣୀଙ୍କ ମୃତ ଶରୀର ଖଟରେ ପଡି ରହିଥିବା ଦେଖିବାକୁ ପାଇଥିଲେ । ଘଟଣା ସମ୍ପର୍କରେ ପଚାରିବାରୁ ରାଣୀ ରସି ଲଗାଇ ଆତ୍ମହତ୍ୟା କରିଥିବା ଲକ୍ଷ୍ମୀ କହିଥିଲେ । ପରେ ରାଣୀଙ୍କ ଭାଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ ଥାନା କେଶ ନଂ ୨୯୧/୨୪ ୨୯୧/୨୪ ପ୍ରକାରେ ହତ୍ୟା ମାମଲା ରୁଜୁ କରିଛି ପୁଲିସ । ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ରହ୍ମପୁର ବଡ଼ ମେଡିକାଲକୁ ବ୍ୟବଛେଦ ନିମନ୍ତେ ପଠାଇଛି ପୁଲିସ ।
Comments are closed.