ଜାତୀୟସ୍ତରର ପର୍ଯ୍ୟଟନସ୍ଥଳୀ ହେବ ହରିପୁରଗଡ଼

0

ବଡ଼ସାହି (ମନୋଜ ପଣ୍ଡା) : କଥା କହିବ ମୟୂରଭଞ୍ଜ ଇତିହାସର ମୂକସାକ୍ଷୀ ହରିପୁରଗଡ଼। ଜାତୀୟସ୍ତରୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବାକୁ ଯାଉଛି ଏହି ଗଡ଼। ଆସନ୍ତା ୫ତାରିଖ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆଗସ୍ତ କାର୍ଯ୍ୟକ୍ରମରେ ବାରିପଦା ଆସୁଛନ୍ତି। ସେହିଦିନ ସେ ଏହି ବିଷୟରେ ଘୋଷଣା କରିବେ ବୋଲି ଜଣାପଡ଼ିଛି।
ବିଲୁପ୍ତ ହେବାକୁ ବସିଥିବା ଏହି ଗଡ଼ ଏକଦା ଥିଲା ଗଡ଼ଜାତ ମୟୂରଭଞ୍ଜର ରାଜଧାନୀ। ମୟୂରଭଞ୍ଜ ରାଜତନ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏହି ଗଡ଼ ବଡ଼ସାହି ଠାରୁ ପଶ୍ଚିମକୁ ୧୦ କି.ମି ଓ ବାରିପଦାରୁ ଦକ୍ଷିଣକୁ ୨୭ କିମି ଦୂରରେ ଅବସ୍ଥିତ। କିଛି ଭଙ୍ଗା ଇଟା, ପଥର ଓ ଗଡ଼ର ଧ୍ୱସାଂବଶେଷ ଦୃଶ୍ୟମାନ ହେଉଥିବା ୨୫ ଏକର ବିଶିଷ୍ଟ ଖୋଲା ସ୍ଥାନ ଏକଦା ମୟୂରଭଞ୍ଜର ରାଜଧାନୀ ଥିଲା। ପ୍ରତ୍ନତତ୍ତ୍ୱବିତଙ୍କ ଉଦ୍ୟମରେ ୧୩୨୨ ଶକାଦ୍ଦରେ ନିର୍ମିତ ଏହି ଗଡ଼ର ସାମାନ୍ୟତମ ଅଂଶ ଖୋଳାଯାଇଥିବା ବେଳେ କିଛି ବିରଳ କୀର୍ତ୍ତିରାଜି ବିଭାଗ ପକ୍ଷରୁ ସଂଗୃହୀତ ହୋଇଛି। ଇତିହାସରୁ ଜଣାପଡ଼େ ଯେ, ୧୩୬୧ ଶକାଦ୍ଦରେ ମୋଗଲ ରାଜା ଫିରୋଜ ଶାହ ତୋଗଲକ ରାଜଧାନୀ ଖିଚିଂକୋଟ ଆକ୍ରମଣ କରିବା ପରେ ମୟୂରଭଞ୍ଜ ଗଡ଼ଜାତର ତତ୍‍କାଳୀନ ମହାରାଜା ହରିହର ଭଞ୍ଜ ୧୩୨୨ ଶକାଦ୍ଦ ଅର୍ଥାତ ୧୪୦୦ ଖ୍ରୀଷ୍ଟାଦ୍ଦରେ ଏହି ଗଡ଼କୁ ନିର୍ମାଣ କରିଥିଲେ। ଗଡ଼ ନିର୍ମାଣ ପରେ ଏହାର ଭୌଗଳିକ ସ୍ଥିତି ଓ ରମଣୀୟ ପାରିପାଶ୍ୱର୍ିକ ଅବସ୍ଥିତିକୁ ଲକ୍ଷ୍ୟ କରି ସେ ଏହାକୁ ମୟୂରଭଞ୍ଜର ରାଜଧାନୀ ଭାବେ ଘୋଷଣା କରିଥିଲେ। ମହାରାଜା ହରିହର ଭଞ୍ଜଙ୍କ ନାମ ଅନୁଯାୟୀ ଏହା ହରିହରଗଡ଼ ଭାବେ ନାମିତ କରାଯାଇଥିଲେ ମଧ୍ୟ କାଳକ୍ରମେ ହରିପୁରଗଡ଼ ନାମରେ ପରିଚିତ ହେଲା। ଗଡ଼ର ଉଭୟ ପାଶ୍ୱର୍ରେ ପ୍ରବାହିତ ମାଧବୀ ନାଳ ଓ ଗଙ୍ଗାହାର ନଦୀ ରାଜପରିବାର ଓ ସୈନିକଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ବେଳେ ତତକାଳୀନ ବଙ୍ଗୀୟ ମୁସଲମାନ ସୁଲେମାନ ଦାଉଦ ଖାନ ରାଜଦରବାରରେ କେତେକ ବିଶ୍ୱାସଘାତୀଙ୍କ ସାହାଯ୍ୟରେ ଏହି ଗଡ଼ ଦଖଲ କରିଥିଲେ।
ମୋଗଲଙ୍କ ହରିପୁରଗଡ଼ ଦଖଲ ପରେ ରାଜରାଜେଶ୍ୱରୀ ସୁମିତ୍ରାଦେବୀ ଭଞ୍ଜ ମୟୂରଭଞ୍ଜର ରାଜଧାନୀକୁ ବାରିପଦା ସ୍ଥାନାନ୍ତର କରିଥିଲେ। ଫଳରେ ମୁସଲମାନଙ୍କ ଦଖଲରେ ଥିବା ଏହି ଗଡ ଯତ୍ନ ଅଭାବରୁ ନଷ୍ଟ ହେବାକୁ ଲାଗିଲା। ଗଡ଼ର ମୁଖ୍ୟଦ୍ୱାର ପୂର୍ବ ଦିଗକୁ ଥିବା ବେଳେ ଚତୁଃପାଶ୍ୱର୍ରେ ୪ଟି ବିକଳ୍ପ ଦ୍ୱାର ଥିଲା। ମହାରାଜା ବୈଦ୍ୟନାଥ ଭଞ୍ଜ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେବା ପରେ ଗଡ଼ର ବାମପାଶ୍ୱର୍ରେ ସ୍ୱତନ୍ତ୍ର ଇଟାରେ ଏକ ରସିକରାୟ ମନ୍ଦିର ନିର୍ମାଣ କରିଥିଲେ। ଯେଉଁ ଇଟା ଅନ୍ୟତ୍ର ଦେଖିବାକୁ ମିଲେ ନାହିଁ। ସେହିପରି ଧର୍ମ ବିଶ୍ୱାସୀ ଭଞ୍ଜ ପରିବାର ଗଡ଼ ପରିସରରେ ଜଗନ୍ନାଥ ତଥା ବିଭିନ୍ନ ଦେବଦେବୀଙ୍କ ମନ୍ଦିର ନିର୍ମାଣ କରିଥିଲେ। ରସିକରାୟ ମନ୍ଦିରର ଉତ୍ତରକୁ ରାଜଦରବାର ଅବସ୍ଥିତ ଥିଲା। ସେଠାରୁ ଗଡ଼ ଭିତରକୁ ସ୍ୱତନ୍ତ୍ର ରାସ୍ତା ସାଙ୍ଗକୁ ଦୁଇ ପାଶ୍ୱର୍ରେ କର୍ମଚାରୀ ରହିବା ପାଇଁ ଗୃହ ଥିଲା। ଗଡ଼ର ମଧ୍ୟଭାଗରେ ଆମୋଦ ପ୍ରମୋଦ ପାଇଁ ଏକ ସ୍ୱତନ୍ତ୍ର ଗୃହ ନିର୍ମାଣ କରାଯାଇଥିଲା। ପଶ୍ଚିମ-ଉତ୍ତର ଦିଗରେ ମହାରାଜାଙ୍କ ଶୟନ କକ୍ଷ ଥିବା ବେଳେ ଦକ୍ଷିଣ-ପଶ୍ଚିମ ଦିଗରେ ମହାରାଣୀଙ୍କ କକ୍ଷ ଥିଲା। ଗଡ଼ଭିତରେ ଥିବା ସମସ୍ତ ଗୃହକୁ ମାଟି ପାଇପ (ସ୍ୱତନ୍ତ୍ର) ମାଧ୍ୟମରେ ପାଣି ଯୋଗାଣର ସୁବିଧା ସେ ସମୟରେ ଉପଲବ୍ଧ ଥିଲା। ଯାହାକି ପ୍ରତ୍ନତାତ୍ତ୍ୱିକ ବିଭାଗ ଖନନରୁ ଜଣାଯାଏ। ଖନନରୁ ଗଡ଼ରେ ଏକ ଗୁପ୍ତ ଗୃହର ସନ୍ଧାନ ମିଳିବା ପରେ ଭୂତଳେ ଅନେକ ଗୃହ ତଥା କିମ୍ବଦନ୍ତୀ ରହିଥିବା କୁହାଯାଉଛି। ନବେ ଦଶକର ପ୍ରଥମାର୍ଦ୍ଧରେ ବିଭାଗ ପକ୍ଷରୁ ଖନନ କାର୍ଯ୍ୟ ଆରମ୍ଭ କରାଯାଇ ଅଳ୍ପଦିନରେ ବନ୍ଦ କରିଦିଆଯାଇଛି। ପର୍ଯ୍ୟଟନ ବିଭାଗ ଏହାର ଦାୟିତ୍ୱ ନେଇଥିଲେ ହେଁ ଗଡ଼ର ପୁନଃଉଦ୍ଧାର ସମ୍ଭବ ହୋଇ ନଥିଲା। ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ମଇ ମାସରେ ହରିପୁର ଗସ୍ତରେ ଆସି ରାତ୍ରୀଯାପନ କରିବା ପରେ ସ୍ଥାନୀୟ ବୁଦ୍ଧିଜୀବୀ ଏହାର ପୁନଃଉଦ୍ଧାର ପାଇଁ ଅନୁରୋଧ କରିଥିଲେ। ୫ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ପରେ ଗଡ଼ର ପୁନଃଉଦ୍ଧାର କାର୍ଯ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ହାତକୁ ନେବ। ପର୍ଯ୍ୟଟନ ବିଭାଗ ଏହାର ବିକାଶ ପାଇଁ କାର୍ଯ୍ୟ କରିବ। ଫଳରେ ମୟୂରଭଞ୍ଜର ପ୍ରାଚୀନ କୀର୍ତ୍ତି ଓ ଏ÷୍ୟତିହ୍ୟର ସୁରକ୍ଷା ସାଙ୍ଗକୁ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ଜାତୀୟସ୍ତରର ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇବା ପରେ ପାରିପାଶ୍ୱର୍ିକ ଉନ୍ନତି ସାଙ୍ଗକୁ ଅଞ୍ଚଳର ଉନ୍ନତି ହେବ। ଅନେକ ରୋଜଗାରକ୍ଷମ ହେବେ। ସେହିପରି ଏହି ଗଡ଼ ନିକଟବର୍ତ୍ତୀ ପର୍ଯ୍ୟଟନ ସ୍ଥଳୀ ଯଥା ହରିହର ପୀଠ ମାଣତ୍ରୀ, ଦେବକୁଣ୍ଡ, ଲୁଲୁଙ୍ଗ, ସୀତାକୁଣ୍ଡ, କ୍ଷୀରଚୋରା ଗୋପୀନାଥ, ପଞ୍ଚଲିଙ୍ଗେଶ୍ୱର, ନୀଳଗିରି ଓ ବାରିପଦା ଜଗନ୍ନାଥ ମନ୍ଦିର ଆଦି ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିରେ ସହାୟକ ହେବ।

Leave A Reply