BJD Bijuli 480×75 Mob

୨୦୧୯ରେ ଭାରତୀୟ କ୍ରିକେଟ ଦଳ ୯ ଟେଷ୍ଟ, ୨୨ ଦିନିକିଆ ଓ ୧୪ ଟି୨୦ ଖେଳିବ

BJD Bijuli 480×75 Mob
0

ମୁମ୍ବଇ : ୨୦୧୯ ଭାରତୀୟ ପୁରୁଷ କ୍ରିକେଟ ଦଳ ପାଇଁ ଏକ ବ୍ୟସ୍ତବହୁଳ ବର୍ଷ ହେବ ବୋଲି ଜଣାପଡିଛି। ଆଇସିସି ପକ୍ଷରୁ ପ୍ରକାଶିତ ଖେଳସୂଚୀ ଅନୁଯାୟୀ ଭାରତ ଏବର୍ଷ ମୋଟ ୯ଟି ଟେଷ୍ଟ, ୨୨ଟି ଦିନିକିଆ ଓ ୧୪ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହାବ୍ୟତୀତ ଆଇସିସି ବିଶ୍ବକପରେ ମଧ୍ୟ ଭାରତ ଅଂଶଗ୍ରହଣ କରିବ। ସଂପ୍ରତି ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି। ୨୦୧୮ ସୁଦ୍ଧା ଏହି ସିରିଜର ୩ଟି ଟ୍ବେଣ୍ଟି୨୦ ଓ ୩ଟି ଟେଷ୍ଟ ଶେଷ ହୋଇସାରିଛି। ଆସନ୍ତା ୩ରୁ ସିଡ୍‌ନୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଆରମ୍ଭ ହେବ। ଜାନୁଆରୀ ୧୨ରୁ ୧୮ ମଧ୍ୟରେ ଦୁଇ ଦଳ ମଧ୍ୟରେ ୩ଟି ଦିନିକିଆ ମ୍ୟାଚ ଖେଳାଯିବ। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଶେଷ ହେବାପରେ ଭାରତୀୟ ଦଳ ସିଧାସଳଖ ନ୍ୟୁଜିଲାଣ୍ଡ ଗସ୍ତ କରିବ। ଜାନୁଆରୀ ୨୩ରୁ ଫେବୃଆରୀ ୧୦ ମଧ୍ୟରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୫ଟି ଦିନିକିଆ ଓ ୩ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳାଯିବ। ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବାପରେ ଭାରତୀୟ ଦଳ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଓ ଜିମ୍ବାୱେ ବିପକ୍ଷରେ ସିରିଜ ଖେଳିବ। ଫେବୃଆରୀ ୨୪ରୁ ମାର୍ଚ୍ଚ ୧୩ ମଧ୍ୟରେ ଭାରତ-ଅଷ୍ଟ୍ରେଲିଆ ୫ଟି ଦିନିକିଆ ଓ ୨ଟି ଟ୍ବେଣ୍ଟି୨୦ ଖେଳିବେ। ଏହି ସିରିଜ ଶେଷ ହେବାପରେ ଜିମ୍ବାୱେ ଦଳ ଭାରତରେ ପହଞ୍ଚି ଗୋଟିଏ ଟେଷ୍ଟ ଓ ୩ଟି ଦିନିକିଆ ଖେଳିବ। ଆଇପିଏଲର ଦ୍ବାଦଶ ସଂସ୍କରଣ ଶେଷ ହେବାପରେ ଭାରତୀୟ ଦଳ ବିଶ୍ବକପ ଖେଳିବାକୁ ଇଂଲଣ୍ଡ ଯାତ୍ରା କରିବ। ମେ ୩ରୁ ଜୁଲାଇ ୧୪ ପର୍ଯ୍ୟନ୍ତ ଇଂଲଣ୍ଡ ଓ ୱେଲ୍‌ସରେ ବିଶ୍ବକପ ଆୟୋଜିତ ହେବ।
ବିଶ୍ବକପ ପରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଯାତ୍ରା କରିବ। ଜୁଲାଇ-ଅଗଷ୍ଟରେ ଦୁଇ ଦେଶ ମଧ୍ୟରେ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୩ଟି ଟ୍ବେଣ୍ଟି୨୦ ଖେଳାଯିବ। ୱେଷ୍ଟଇଣ୍ଡିଜରୁ ଫେରିବାପରେ ଦକ୍ଷିଣ ଆଫ୍ରିକା ଦଳ ଭାରତରେ ପହଞ୍ଚି ନଭେମ୍ବରରେ କେବଳ ୩ଟି ଟେଷ୍ଟ ମ୍ୟାଚ ଖେଳିବ। ନଭେମ୍ବର-ଡିସେମ୍ବରରେ ବାଂଲାଦେଶ ଦଳ ଭାରତ ଗସ୍ତରେ ଆସି ୨ଟି ଟେଷ୍ଟ ଓ ୩ଟି ଟ୍ବେଣ୍ଟି୨୦ ଖେଳିବାର କାର୍ଯ୍ୟକ୍ରମ ରହିଛି। ଡିସେମ୍ବରରେ ୱେଷ୍ଟଇଣ୍ଡିଜ ଦଳ ଭାରତ ଗସ୍ତରେ ଆସି ୩ଟି ଦିନିକିଆ ଓ ୩ଟି ଟ୍ବେଣ୍ଟି୨୦ ଖେଳିବାପରେ ଚଳିତବର୍ଷ ପାଇଁ ଭାରତୀୟ ଦଳର ବ୍ୟସ୍ତବହୁଳ ସିଜିନ ଶେଷ ହେବ।

Leave A Reply