ଈଶ୍ୱର ଓ କୃତ୍ରିମ ବୁଦ୍ଧିମତ୍ତା
ଡ.ଜୀବନକୃଷ୍ଣ ମହାପାତ୍ର
ଈଶ୍ୱର ଓ ଏ.ଆଇ. (କୃତ୍ରିମ ବୁଦ୍ଧିମତ୍ତା), ଏ ଦୁଇଟି ଶବ୍ଦକୁ ଏକ ସଙ୍ଗେ, ଏକ ନିିଃଶ୍ୱାସେର ଉଚ୍ଚାରଣ କରେ, ସମସ୍ତଙ୍କ ଭାବନାରେ ଏକ ଅସ୍ୱସ୍ତିକର ଅନୁଭବ ସୃଷ୍ଟି ହେବ। ଏହା ଏକ ସ୍ୱାଭାବିକ ସ୍ଥିତି ଅଟେ। ଏପରି ହେବାର କାରଣ ତ ଅନେକ। ତେବେ ଆମେ ଏଠାରେ ଅଳ୍ପ କେତୋଟି ଉଲ୍ଲେଖ କରିବୁ, କାରଣ ଏ.ଆଇ. ର ସୃଷ୍ଟିକର୍ତ୍ତା, ଏଲନ୍ ମସ୍କଙ୍କ ଧାରଣା ଯେ ଏଣିକ କାଳେ ଏ.ଆଇ. ଈଶ୍ୱର ସୃଷ୍ଟ ମଣିଷର ମସ୍ତିଷ୍କର ବିକଳ୍ପ ରୂପେ, କାମ କରିବ!!
• ଈଶ୍ୱର ଏକ ଅପ୍ରମାଣିତ ସତ୍ୟ ଅଟନ୍ତି, କିନ୍ତୁ ଏ.ଆଇ. ଏକ ମନୁଷ୍ୟ କୃତ ପ୍ରମାଣିତ ସତ୍ୟ ଅଟେ।
• ଈଶ୍ୱର ଏକ ବ୍ୟକ୍ତିମୁକ୍ତ ସ୍ଥିତି (Objective Existence) ଅଟନ୍ତି । କାରଣ ଯିଏ ବି ସମର୍ପିତ ଭାବ ନେଇ ଈଶ୍ୱରଙ୍କୁ ଧ୍ୟାନ କରିବ, ସେ ଈଶ୍ୱରଙ୍କୁ ଅନୁଭବ କରିପାରିବ ; କିନ୍ତୁ ମସ୍କଙ୍କ ଧାରଣା ଯେ ଏ.ଆଇ ଏକ ବ୍ୟକ୍ତିନିଷ୍ଠ ସ୍ଥିତି (Subjective Existence) ଅଟେ।
• ଈଶ୍ୱରଙ୍କର ଯୋଜନା, କାର୍ଯ୍ୟ, ନିଷ୍ପତ୍ତି ଓ ସିଦ୍ଧାନ୍ତର ଆଧାର ଅପରିବର୍ତ୍ତନୀୟ ନିଶ୍ଚିତତା ଅଟେ ; କିନ୍ତୁ ମସ୍କ ତାଙ୍କର ଏ.ଆଇ. ଚିପ୍ ବିଷୟରେ ଏପରି କିଛି ଦୃଢତାର ସହ କହି ପାରିବେନି। କାରଣ ‘ସଫ୍ଟୱେର୍’ ସିକ୍ୟୁରିଟି କ୍ଷେତ୍ରରେ କାର୍ଯ୍ୟରତ ବୈଜ୍ଞାନିକଙ୍କ ଦାବି ହେଲା, ଏପରି କୈାଣସି ଚିପ୍ ସମ୍ଭବ ନୁହେଁ ଯାହା ହ୍ୟାକ୍ କରାଯାଇ ପାରିବ ନାହିଁ।
• ଈଶ୍ୱରଙ୍କର ଅନେକ ଗୁଣ ଭିତରୁ ଏଠି ମାତ୍ର ୫ଟି ଗୁଣ ଉଲ୍ଲେଖ କଲେ ଯଥେଷ୍ଟ ହେବ।
ଈଶ୍ୱର ‘ନିର୍ମୋହ’ ଅଟନ୍ତି, କାରଣ ତାହା ହିଁ ନିରପେକ୍ଷତାର ଆବାହକ ଅଟେ। ଏ.ଆଇ. ର ମନ ଓ ଭାବନା ନଥିବାରୁ ତାହା ବି ନିର୍ମୋହ ଅଟେ। ଈଶ୍ୱର ‘ନିରାକାର’ ଅଟନ୍ତି ; କିନ୍ତୁ ଏ.ଆଇ. ର ନିର୍ଦିଷ୍ଟ ଆକାର ଅଛି, ଯାହା ଅବଶ୍ୟ ଆବଶ୍ୟକତା ଅନୁଯାୟୀ ବଦଳାଇ ଦିଆଯାଇପାରିବ। ଏମିତି ବି ବିଜ୍ଞାନର ଭିତ୍ତିଭୂମି ଅନିଶ୍ଚିତତା ଅଟେ। (ହାଇଜେନ୍ ବର୍ଗଙ୍କର ‘ଅନିଶ୍ଚିତତା ତତ୍ତ୍ୱ’)। ଈଶ୍ୱର ‘ନିର୍ବିକଳ୍ପ’ ଥିଲେ, ଅଛନ୍ତି ଓ ରହିବେ; କିନ୍ତୁ ଏ.ଆଇ. ନିର୍ବିକଳ୍ପ ନୁହେଁ। ଏହା ପରିବର୍ତ୍ତନଶୀଳ। ଈଶ୍ୱର ଅନଧିଗମ୍ୟ ଅଟନ୍ତି, ସମସ୍ତଙ୍କ ପାଇଁ ; କିନ୍ତୁ ଏ.ଆଇ. ତ ହ୍ୟାକରଙ୍କ ଦ୍ବାରା ଅଧିଗମ୍ୟ । ସର୍ବଶେଷରେ ଈଶ୍ୱର ନିଜେ ସ୍ରଷ୍ଟା ଓ ସୃଷ୍ଟି ଅଟନ୍ତି। ଏ.ଆଇ. ନିଜେ ନିଜର ସ୍ରଷ୍ଟା ନୁହେଁ । ଈଶ୍ୱର ଏବଂ ଏ.ଆଇ. ଭିତରେ ଏତେ ଗୁଡାଏ ବିଭେଦାତ୍ମକ ସ୍ଥିତି ଥାଇ ମଧ୍ୟ ଆମେ ଏ ଦୁଇ ଶବ୍ଦକୁ ଏଇ ନିବନ୍ଧର ଶୀର୍ଷକ ରୂପେ ରଖିଛୁ। ଏହାର ଏକ ଅନ୍ତର୍ନିହିତ, ଗୂଢ଼ କାରଣ ଅଛି। ଏ.ଆଇ. ର ସୃଷ୍ଟି ପଛରେ ଯେଉଁ ପ୍ରଚ୍ଛନ୍ନ ମାନସିକତା ଓ ରୋଚକ ସ୍ୱପ୍ନ ଅଛି, ତାହା ମଣିଷ ଜାତିର ଇତିହାସ ସହିତ ସଂଯୁକ୍ତ। କେଇ ହଜାର ବର୍ଷ ପୂର୍ବେ ମଣିଷ ଯେତେବେଳେ ଦେଖିଲା ଯେ ସେ ନିୟମିତ ରୂପେ ସୂର୍ଯ୍ୟାଲୋକରୁ ଶକ୍ତି ପାଉଛି, ଚନ୍ଦ୍ରାଲୋକରୁ ଶୀତଳତା ପାଉଛି, ଜଳରୁ ଜୀବନ ଧାରଣର ଆଧାର ପାଉଛି, ପବନ ଅଛି ବୋଲି ସେ ନିିଃଶ୍ୱାସ ପ୍ରଶ୍ୱାସ ନେଉଛି, ବୃକ୍ଷଙ୍କ ଠାରୁ ଠିକ୍ ସମୟରେ ଫଳ, ପୁଷ୍ପ ପାଉଛି, ସେତେବେଳେ ମଣିଷ ଏ ସମସ୍ତଙ୍କୁ ସମ୍ମାନ ଦେବା ଆରମ୍ଭ କଲା ପୂଜା କଲା ।
ବେଶ୍ କେତେ ଶହ ବର୍ଷ ବିତିଗଲା । ତା’ ପରେ ଯେତେବେଳେ ତା’ ମନରେ ପ୍ରଶ୍ନ ଉଠିଲା; ଏ ବିଶ୍ୱବ୍ରହ୍ମାଣ୍ଡ କିଏ ସୃଷ୍ଟି କଲା ? ସେତେବେଳେ ତା’ ମନରେ ଈଶ୍ୱରଙ୍କ ଧାରଣା ଓ ରୂପକଳ୍ପ ସୃଷ୍ଟି ହେଲା । ସେଇ ପ୍ରକ୍ରିୟାରେ ସେ ସୂର୍ଯ୍ୟଙ୍କୁ ସୂର୍ଯ୍ୟଦେବ, ଚନ୍ଦ୍ରଙ୍କୁ ସୋମ ଦେବ, ଜଳକୁ ବରୁଣ ଦେବ, ବାୟୁକୁ ମାରୁତ ଦେବ ଏବଂ ବୃକ୍ଷଙ୍କୁ ଦାରୁ ଦେବ ରୂପେ ପୂଜା କଲା। ତା’ ସଙ୍ଗେସଙ୍ଗେ ଜୀବ; ଯଥା: ବୃଷଭ, ଗରୁଡ, ଧଳା ପେଚା, ସର୍ପ ଇତ୍ୟାଦି ଜୀବଙ୍କୁ ବି ପୂଜା କରିବା ଆରମ୍ଭ କଲା ଓ ଅନେକ ପୁରାଣ ଲେଖିଗଲା। ସେତେବେଳେ ତା’ର ଅବଚେତନରେ ଏକ ପ୍ରଚ୍ଛନ୍ନ ମାନସିକତା ଏବଂ ରୋଚକ ସ୍ୱପ୍ନ ମଧ୍ୟ ସୃଷ୍ଟି ହେଲା। ସେ ଭାବିଲା, ମୁଁ ତ ଈଶ୍ୱରଙ୍କର ଶ୍ରେଷ୍ଠ ସୃଷ୍ଟି, ମୋ ପାଖରେ ତ ବୁଦ୍ଧି ଓ ଧୀ-ଶକ୍ତି ଅଛି, ମୋ ଭିତରେ ତ ଈଶ୍ୱରଙ୍କର ସୂକ୍ଷ୍ମ ସତ୍ତା ବିଦ୍ୟମାନ, ତେଣୁ ଚେଷ୍ଟା କଲେ ମୁଁ ବି ଜଣେ ଦେବତା ବା ଈଶ୍ୱର ହୋଇ ପାରିବି….!
ଏଇ ଚିନ୍ତାଧାରାର ପ୍ରଥମ ଉନ୍ମେଷ ରୂପେ ଆମେ ଦେଖିବାକୁ ପାଉ ଗ୍ରୀକ୍ ପୁରାଣର ବାପ-ପୁଅ, ଡିଡାଲସ୍ ଓ ଇକାରସଙ୍କ ଯୋଡି। ସେଇ ଗ୍ରୀକ୍ ଗଳ୍ପ ଅନୁସାରେ ରାଜା ମିନୋସଙ୍କ ଆଦେଶରେ ସେମାନେ କାରାଦଣ୍ଡ ଭୋଗୁଥିଲେ। ଡିଡାଲସ୍ ଥିଲେ ଜଣେ ଅଦ୍ୱିତୀୟ କାରିଗର। ତାଙ୍କର ଅବଚେତନ ମନରେ ଏକ ଭାବନା ସୃଷ୍ଟି ହେଲା ଯେ ଯଦି ଈଶ୍ୱର ପକ୍ଷୀ ସୃଷ୍ଟି କରିପାରୁଛନ୍ତି ତେବେ ମୁଁ ତ ମୋର କାରିଗରୀ ଦକ୍ଷତା ଓ କୈାଶଳ ବ୍ୟବହାର କରି ଦୁଇ ଯୋଡ଼ା ବଡ଼ ପକ୍ଷୀ-ଡେଣା ସୃଷ୍ଟି କରିପାରିବି ଓ ତାକୁ ଆମେ ବାପ-ପୁଅ ଆମ ହାତ ସାଙ୍ଗରେ ସଂଯୁକ୍ତ କରି, ଏଇ କାରାଗାରର ଛାତକୁ ଯାଇ, ସେଠାରୁ ପକ୍ଷୀମାନଙ୍କ ପରି ଉଡ଼ିଉଡ଼ି ଏ ବନ୍ଦୀ ଜୀବନରୁ ମୁକ୍ତ ହୋଇଯାଇପାରିବୁ। ସେ ସେଇ ଯୋଜନା କାର୍ଯ୍ୟକାରୀ କଲେ; କିନ୍ତୁ ଉଡିବା ନିଶାରେ ଇକାରସ୍, ବାପାଙ୍କ ସତର୍କବାଣୀ ଭୁଲି, ଉଡ଼ିଉଡ଼ି ବହୁତ ଉଚ୍ଚକୁ ଚାଲିଗଲେ, ସୂର୍ଯ୍ୟ ରଶ୍ମିରେ ମହମ ସବୁ ତରଳି, ଡେଣାର ପର ସବୁ ଝଡିଗଲା ଏବଂ ସେ ସାଗର ବକ୍ଷରେ ପଡି ମୃତ୍ୟୁବରଣ କଲେ। ଏଥିରୁ ଏଇ ଶିକ୍ଷା ମିଳେ: ଆମେ ଈଶ୍ୱର ହେବାକୁ ଚେଷ୍ଟା କଲେ, ଧ୍ୱଂସ ହେବା ଅନିବାର୍ଯ୍ୟ ଅଟେ ।
ୟା’ ପରେ, ମଣିଷ ଈଶ୍ୱର ବନିବାର ପ୍ରବଳ ବାସନା ସମ୍ବନ୍ଧୀୟ ଏକ ଚମତ୍କାର ଦୃଷ୍ଟାନ୍ତ ମନେପଡେ; ୧୯୧୮ରେ ପ୍ରକାଶିତ ମେରୀ ସେଲୀଙ୍କର ବହୁ ଚର୍ଚ୍ଚିତ, କାଳଜୟୀ ଉପନ୍ୟାସ, ‘ଫ୍ରାଙ୍କେନ ଷ୍ଟାଇନ୍’ ରୂପରେ। ବୈଜ୍ଞାନିକ ଫ୍ରାଙ୍କେନ ଷ୍ଟାଇନ, ନିଜେ ଈଶ୍ୱର ହେବା ନିଶାରେ, କବର ଭିତରୁ ଶବମାନଙ୍କର ଅବୟବ କାଟି ଆଣି ସୃଷ୍ଟି କଲେ ଏକ ରକ୍ତ ମାଂସର ମଣିଷ। ତା’ ଶରୀରରେ ଜୀବନ ସଞ୍ଚାର ହେବାର ଧୀର ପ୍ରକ୍ରିୟାକୁ ଆରମ୍ଭ କରିଦେଇ, ପରୀକ୍ଷାଗାରରେ ତାଲା ପକାଇ ସେ ରାତିରେ ଘରକୁ ଚାଲିଗଲେ। ତା’ ଆରଦିନ ସକାଳୁ ଆସି ଦେଖିଲେ ଯେ କବାଟ ଖୋଲାଅଛି ଓ ସେ ମଣିଷ ପଳେଇଛି। ତେବେ ମଣିଷ ଦ୍ୱାରା ସୃଷ୍ଟ ସେଇ ମଣିଷ ନିଜର ଅସମତୁଲ ଶରୀର ପାଇଁ ଏକ କଦାକାର ଦାନବ ପରି ଦେଖାଯାଉଥିଲା। ତାକୁ ସମାଜରେ କେହି ଗ୍ରହଣ କଲେ ନାହିଁ। ସେ ଆସି ତା’ର ସୃଷ୍ଟିକର୍ତ୍ତାଙ୍କୁ କହିଲା, “ମୋରି ପରି ଗୋଟିଏ ନାରୀ ମୋ ପାଇଁ ସୃଷ୍ଟି କରିଦିଅ। ମୁଁ ଓ ସେ ଆନନ୍ଦରେ ରହିବୁ।” ଫ୍ରାଙ୍କେନ ଷ୍ଟାଇନ୍ ମନା କଲେ ଓ ଶେଷରେ ସେଇ ଦାନବ ତା’ର ସୃଷ୍ଟିକର୍ତ୍ତାଙ୍କୁ ହତ୍ୟାକଲା । ଫ୍ରାଙ୍କେନ୍ ଷ୍ଟାଇନ୍ ଈଶ୍ୱର ହେବାକୁ ଚେଷ୍ଟା କରି ମୃତ୍ୟୁବରଣ କଲେ ।
ଆଇନ୍ ଷ୍ଟାଇନ୍ ବସ୍ତୁତ୍ୱ ଓ ଶକ୍ତି ମଧ୍ୟରେ ଥିବା ସମତୁଲ୍ୟତା ଓ ବିନିମୟତା ପ୍ରମାଣ କରି ଶକ୍ତିର ଏକ ଅସରନ୍ତି ଉତ୍ସ ଆବିଷ୍କାର କଲେ; କିନ୍ତୁ ମଣିଷ, ନିଜକୁ ଈଶ୍ୱର ବୋଲି ଭାବି, ପରମାଣୁର ନାଭିକ ଭିତରେ ଈଶ୍ୱର ଗଚ୍ଛିତ କରି ରଖିଥିବା ଏଇ ଅସୀମ ଶକ୍ତିକୁ ଉନ୍ମୋଚନ କରି ମଣିଷ ସୃଷ୍ଟି କଲା (କାରଣ ସେ ଈଶ୍ୱର….., ସେ ସୃଷ୍ଟି କରିପାରିବ) ପରମାଣୁ ବୋମା ଏବଂ ସେଥିଯୋଗୁଁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହିରୋସିମା ଓ ନାଗାସାକିର ଲକ୍ଷଲକ୍ଷ ଲୋକ ମୃତ୍ୟୁ ବରଣ କଲେ। ଏବେ ଏଲନ୍ ମସ୍କ, ନିଜକୁ ଈଶ୍ୱର ମନେକରି, ଈଶ୍ୱର ମଣିଷର ମସ୍ତିଷ୍କରେ ଦେଇଥିବା ଅସୀମ ଧୀଶକ୍ତି (ଏ ସମ୍ବନ୍ଧରେ ପ୍ରସିଦ୍ଧ ନ୍ୟୁରୋ ବୈଜ୍ଞାନିକ ଷ୍ଟିଭେନ ପିନକରଙ୍କର ପୁସ୍ତକ ‘ହାଓ ଦି ବ୍ରେନ୍ ୱାର୍କସ୍’ ପଠନୀୟ) ପରି ଏକ ‘କୃତ୍ରିମ ଧୀଶକ୍ତି’ର ଚିପ୍, ଏ.ଆଇ. ତିଆରି କରି ସାରିଲେଣି ଏବଂ ତାକୁ ମଣିଷ ମସ୍ତିଷ୍କରେ ଖଞ୍ଜି ଦେଲେ, ସେଇ ଚିପ୍ ହିଁ ମଣିଷ ପାଇଁ ତା’ ଇଚ୍ଛାନୁସାରେ ସବୁ କାମ କରିଦେବ। ମଣିଷ ତା’ ନିଜର ମସ୍ତିଷ୍କ ବ୍ୟବହାର କରିବାର ଆବଶ୍ୟକତା ଅନୁଭବ କରିବନି ବୋଲି ସେ ବାହୁସ୍ଫୋଟ ମାରୁଛନ୍ତି। ଏମିତି ରୋଚକ ସ୍ୱପ୍ନ ଡିଡାଲସ୍ ଓ ଇକାରସ୍ ତଥା ଫ୍ରାଙ୍କେନ ଷ୍ଟାଇନ୍ ବି ଦେଖିଥିଲେ। ମସ୍କଙ୍କ କହିବା ଅନୁସାରେ ସେଇ ଚିପ୍ ଷ୍ଟିଫେନ୍ ହକିଂଙ୍କ ମସ୍ତିଷ୍କରେ ଲଗାଇ ଦେଇଥିଲେ ହକିଂ ଆହୁରି ବହୁତ ବର୍ଷକାମ କରି ପାରିଥାନ୍ତେ ।
ଏହା ହୁଏତ ସମ୍ଭବ ହୋଇ ପାରିଥାନ୍ତା…।
ତେବେ, ବୋଧହୁଏ ମସ୍କ, ଦାର୍ଶନିକ କ୍ୟାଣ୍ଟଙ୍କର ‘କ୍ୟାଟାଗୋରିକାଲ୍ ଇମପରେଟିଭ’ ତତ୍ତ୍ୱ ପଢିନାହାନ୍ତି । ସେ ତତ୍ତ୍ୱ ଅନୁସାରେ, କିଛି ନୂତନ କାମ କରିବା ପୂର୍ବରୁ ଥରେ ଭାବି ଦେଖ; ଯଦି ସେ କାମ ସମାଜର ସମସ୍ତେ କରନ୍ତି, ତେବେ ସମାଜର ମଙ୍ଗଳ ହେବ ନା ଅମଙ୍ଗଳ ହେବ। ଯଦି ମଙ୍ଗଳ ହେବ, ତେବେ ସେଇ କାମ କର। ଏବେ ଏ.ଆଇ. ବିଷୟରେ, ଏଇ ତତ୍ତ୍ୱର ଆଧାରରେ, ଏକ ସମ୍ଭାବ୍ୟ ଦିଗ ବିଷୟରେ ଆଲୋଚନା କରିବା। ଧରି ନିଆାଯାଉ ଯେ ଗୋଟିଏ ସହରର ୧୦ ଲକ୍ଷ ଅଧିବାସୀଙ୍କ ମୁଣ୍ଡରେ ଏ.ଆଇ. ଚିପ୍ ଖଞ୍ଜି ଦିଆଗଲା। ତେବେ ସେ ସବୁ ଚିପ୍ ଯେ ହ୍ୟାକ୍ କରି ହେବ, ଏ କଥା ଆମେ କହି ସାରିଛୁ। ଏଣେ ଓଡ଼ିଶାର ଏକ ନିପଟ ମଫସଲ ଗାଁ, ଛେଣ୍ଡିପଡ଼ାରେ ଏକ ନିରୀହ ଚାଷୀ ରୂପରେ ବସବାସ କରୁଥିବା ଜଣେ ମୁଖ୍ୟ ଆତଙ୍କବାଦୀ, ଯଦି ସେ ୧୦ ଲକ୍ଷ ଲୋକଙ୍କ ଭିତରୁ ମାତ୍ର ୫୦୦ ଜଣଙ୍କର ଏ.ଆଇ. ଚିପକୁ ହ୍ୟାକ୍ କରି ସେମାନଙ୍କୁ ନିଜର ନିୟନ୍ତ୍ରଣକୁ ନେଇ ଆସିଲା, ତେବେ ଭାବନ୍ତୁ ଅବସ୍ଥା କି ଭୟାନକ ହେବ!!
ସମାଜ ଏ ପ୍ରଶ୍ନ ମସ୍କଙ୍କୁ ପଚାରିବାର ସମୟ ଆସିଯାଇଛି। ଏବେ ନ ପଚାରିଲେ, ଖୁବ୍ ଶୀଘ୍ର ଏ ମାନବ ଜାତି ଧ୍ୱଂସ ହୋଇଯିବ ଏବଂ ରହିଯିବେ କେବଳ କିଛି ମସ୍ତିଷ୍କ ବିହୀନ ମେସିନ୍ ମଣିଷ ! ହେ ସାଧୁଜନେ; ସାଧାରଣ ମଣିଷ ହୋଇ ଆନନ୍ଦରେ ରହ। ଅସାଧାରଣ ଈଶ୍ୱର ହେବାକୁ ଚେଷ୍ଟା କର ନାହିଁ। ତାହା ଧ୍ୱଂସର ପଥ…। ଏହା ହିଁ ଅନ୍ତିମ ସତ୍ୟ!!
Comments are closed.